ବନବିଭାଗ କଟକ ଡିଭିଜନ୍‌ରେ ଦୁର୍ନୀତି : ଖାତାରେ ଲାଗିଛି, କ୍ଷେତରେ ନାହିଁ

ଓମବାଡସି, ଡିଏମ୍ଏ‌ଫ, କାମ୍ପା ଓ ମନରେଗା ଅନୁଦାନ ହରିଲୁଟ

ଯାଜପୁର : କଟକ ବନ ବିଭାଗ ଡିଭିଜନ୍‌ର ବନୀକରଣ ମହାଦୁର୍ନୀତି ନେଇ ରୋଚକ ତଥ୍ୟ ଆସିବାରେ ଲାଗିଛି। ଏହି ଡିଭିଜନ୍ ଅଧୀନସ୍ଥ ଯାଜପୁର ଜିଲ୍ଲାର ୪ଟି ରେଞ୍ଜ ଡାଳିଯୋଡା(ବୈରୀ), ଯାଜପୁରରୋଡ଼, ସୁକିନ୍ଦା ଓ ଟମକାରେ ଗତ ୧୦ବର୍ଷ ମଧ୍ୟରେ ବିଭିନ୍ନ ଯୋଜନାରେ ପ୍ରାୟ ୫୦କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ପ୍ରତି ବର୍ଷ ଲକ୍ଷ ଲକ୍ଷ ଗଛ ଲଗାଯାଉଥିବା ନେଇ ଖାତାରେ ଦର୍ଶାଯାଉଥିବା ବେଳେ କ୍ଷେତରେ କିନ୍ତୁ ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନି। ବନୀକରଣ ପାଇଁ ମନରେଗା ସମେତ ଓମବାଡସି, ଡଏମଏଫ ଓ କାମ୍ପା ଅନୁଦାନରୁ କୋଟି କୋଟି ଟଙ୍କା ବନ ବିଭାଗ ଅଧିକାରୀ ବିନା ଟେଣ୍ଡରରେ ବ୍ୟୟ କରୁଥିବା ଦେଖିବାକୁ ମିଳିଛି।

ଅନୁସନ୍ଧାନରୁ ଜଣାପଡ଼ିଛି ଯାଜପୁରରୋଡ଼ ରେଞ୍ଜ ପକ୍ଷରୁ ଦାନଗଦୀ ବ୍ଲକ୍‌ର ରାମ୍ପିଲୋ ଏକଲବ୍ୟ ମଡ଼େଲ ସ୍କୁଲ ପରିସରରେ ବନୀକରଣ ପାଇଁ ଡିଏମଏଫରୁ ୬୧ଲକ୍ଷ ୨୭ହଜାର ୩୧୪ଟଙ୍କା ଅନୁଦାନ ମଞ୍ଜୁର ହୋଇଛି। ୧୦ହଜାର ଗଛ ୨୦୧୮-୧୯ରେ ଲଗାଇଯାଇ ୪୨ଲକ୍ଷ ୮୯ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି। ଅଥଚ ଏଠାରେ ହଜାରେ ଗଛ ମଧ୍ୟ ନାହିଁ। ସେହିପରି ୨୦୧୯-୨୦ ରେ ଧୂଳିଗଡ଼ରେ ୧୫ଶହ ଗଛ ଲଗାଇବା ବାବଦରେ ୭ଲକ୍ଷ ୩୫ହଜାର ୯୭ଟଙ୍କା ବ୍ୟୟ ହୋଇଛି। ଏଠାରେ ମଧ୍ୟ ଦଶ ପ୍ରତିଶତ ଗଛ ନାହିଁ। ଧୂଳିଗଡ଼, ରାଛିପୁର, ରଣଗୁଡ଼ିରେ ‌ହେକ୍ଟର ହେକ୍ଟର ଅଞ୍ଚଳରେ ବନୀକରଣ ସହିତ ରାସ୍ତା ପାର୍ଶ୍ବରେ ଗଛ ଲଗାଇବା ବାବଦରେ ମୋଟ ୧କୋଟି ୧୦ଲକ୍ଷ ୯୪ହଜାର ୫୩୫ଟଙ୍କା ଖର୍ଚ୍ଚ ହୋଇଥିବାର ଦର୍ଶାଯାଇଛି। ଯାଜପୁରରୋଡ଼ ରେଞ୍ଜ ସହିତ ସୁକିନ୍ଦା ଓ ଟମକାରେ ମଧ୍ୟ କୋଟି କୋଟି ଟଙ୍କାର ବନୀକରଣ ହୋଇଥିବା କାଗଜପତ୍ରରେ ଦର୍ଶାଯାଇଛି। କେବଳ ୨୦୧୭-୧୮ ରୁୁ ୨୦୨୦ବର୍ଷ ମଧ୍ୟରେ ଓମବାଡସି ରୁ ୫କୋଟି ୯୩ଲକ୍ଷ ଖର୍ଚ୍ଚ ହୋଇଥିବା ବେଳେ ଡିଏମଏଫ ଅନୁଦାନରୁ ୨୦୧୮-୧୯ ରୁ ଏଯାଏଁ ମିଳିଥିବା ୨୫କୋଟି ଅନୁଦାନରୁ ୧୩କୋଟି ୩୭ଲକ୍ଷ ଟଙ୍କା ବନୀକରଣ ବାବଦରେ ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି। ସେହିପରି କାମ୍ପା ଯୋଜନାରେ କେବଳ ଡାଳିଯୋଡ଼ା ରେଞ୍ଜରେ ଗତ ୭ବର୍ଷରେ ୧୩କୋଟି ୧୮ଲକ୍ଷ ଟଙ୍କା ବ୍ୟୟ ହୋଇଥିବାର ବିଭାଗ ଦର୍ଶାଇଛି।

ଗତ ୧୦ବର୍ଷ ମଧ୍ୟରେ ଯାଜପୁର ଜିଲ୍ଲାର ୪ଟି ରେଞ୍ଜରେ ପ୍ରାୟ ୫୦କୋଟି ଟଙ୍କା ଜଙ୍ଗଲ ସୁରକ୍ଷା ଓ ବନୀକରଣ ବାବଦରେ ହରିଲୁଟ୍ କରାଯାଇଛି। ରାସ୍ତା ପାର୍ଶ୍ବ ବନୀକରଣ, ଲଣ୍ଡାପାହାଡ଼ ବନୀକରଣ, ଜଙ୍ଗଲ ଭିତରେ ବନୀକରଣ ଓ ନୂତନ ବନୀକରଣ ନାମରେ ସରକାରୀ ଅନୁଦାନକୁ ହଡପ କରାଯାଇଛି। ନର୍ସରି ଠାରୁ ଆରମ୍ଭ କରି ବାଡ଼ବନ୍ଦୀ, ପାଣି ଦେବା ଓ ପଲିଥିନ କିଣା, ଶ୍ରମିକ ମଜୁରି ବାବ‌ଦରେ ଜାଲ ହାତ ଭାଉଚର କରି ଅଧିକାରୀମାନେ ସରକାରୀ ଅନୁଦାନକୁ ପକେଟସ୍ଥ କରିଛନ୍ତି। ଭିଜିଲାନ୍ସ ବିଭାଗ ଦ୍ବାରା ଛାନଭିନ୍ କଲେ ବହୁ କୋଟି ଟଙ୍କାର ବନୀକରଣ କେଳେଙ୍କାରୀ ପଦାରେ ପଡ଼ିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର