ଦୁଷ୍ମନ୍ତଙ୍କ ବଗିଚାରେ ହସୁଛି ଅଙ୍ଗୁର

ଧମା: ପୂର୍ବରୁ ଓଡ଼ିଶାରେ ଦେଖିବାକୁ ମିଳୁ ନଥିବା ଭିନ୍ନ ଜଳବାୟୁର ଫଳ, ଫୁଲ ଚାଷ କରିବାକୁ ଏବେ ରାଜ୍ୟର ବହୁ ଚାଷୀ ଆଗଭର ହେଉଛନ୍ତି। ଏଭଳି ଚାଷ ଦ୍ବାରା ଅଧିକ ଲାଭ ହେବା ସହ ଭିନ୍ନ କିଛି କରିବାର ଆନନ୍ଦ ମିଳିବାରୁ ରାଜ୍ୟର ବିଭିନ୍ନ ପ୍ରାନ୍ତର ଅଭିଳାଷୀ ଚାଷୀ ମାନେ ଏଭଳି ନିଆରା ଉଦ୍ୟମ କରୁଥିବା ଦେଖିବାକୁ ମିଳୁଛି। ସମ୍ବଲପୁର ଜିଲ୍ଲା ଭୋଜପୁର ଅଞ୍ଚଳର ଜଣେ ଚାଷୀ ବହୁ ପରିମାଣରେ ସେଓ ଚାଷ କରି ସଫଳ ହୋଇଥିବାବେଳେ ଏବେ ମାନେଶ୍ବର ବ୍ଲକ୍‌ ବଦୁଆପାଲି ପଞ୍ଚାୟତର ଦୁଷ୍ମନ୍ତ ବିଶ୍ବାଳ ନାମକ ଜଣେ ଚାଷୀ ପରୀକ୍ଷାମୂଳକ ଭାବେ ଅଙ୍ଗୁର ଚାଷ କରିଥିବା ଦେଖିବାକୁ ମିଳିଛି।

ତାଙ୍କ ଘର ବଗିଚାରେ ପେନ୍ଥାପେନ୍ଥା ଅଙ୍ଗୁର ଫଳିବା ଦୁଷ୍ମନ୍ତଙ୍କ ମନରେ ଆନନ୍ଦ ଭରି ଦେଇଛି। ଚଳିତ ବର୍ଷ ପରୀକ୍ଷାମୂଳକ ଭାବେ ଖୁବ୍‌ କମ୍‌ ସଂଖ୍ୟକ ଗଛ ଲଗାଇଥିବା ବେଳେ ଆସନ୍ତା ବର୍ଷଠାରୁ ସେ ଅଧିକ ପରିମାଣର ଅଙ୍ଗୁର ଚାରା ଲଗାଇବେ ଓ ତାକୁ ବ୍ୟବସାୟିକ ଭାବେ ଚାଷ କରିବେ ବୋଲି କହିଛନ୍ତି। ‘ସମ୍ବାଦ’ ସହ କଥାବାର୍ତ୍ତା ବେଳେ ଦୁଷ୍ମନ୍ତ କହିଲେ, ସେ ୫-୬ ବର୍ଷ ପୂର୍ବରୁ ଥ‌େର ନାସିକ୍ ଯାଇଥିଲେ। ସେଠାରେ ଅଙ୍ଗୁର ସମେତ ବିଭିନ୍ନ ଫଳ ଚାଷ ତାଙ୍କୁ ପ୍ରଭାବିତ କରିଥିଲା। ଏଠାରେ ହେଉଛି ଯଦି ମୁଁ କାହିଁକି କରି ପାରିବି ନାହିଁ ବୋଲି ସେ ଚିନ୍ତା କରିଥିଲେ।

ତେଣୁ ସେ କିଛି ସେଓ ଓ ଅଂଗୁର ଚାରା ମଗାଇ ଲଗାଇଥିଲେ। ସେଓ ଗଛ ଗୁଡ଼ିକ ମରିଗଲା। କିନ୍ତୁ ଅଂଗୁର ଲତାରେ ଭଲ ଫଳ ଧରିଛି। ଫଳ ଧରିବାକୁ ପ୍ରାୟ ଦେଢ଼ ବର୍ଷ ଲାଗିଲା। ଏହା ତାଙ୍କୁ ଉତ୍ସାହିତ କରିଛି ଓ ଆସନ୍ତା ବର୍ଷ ସେ ଅଧିକ ପରିମାଣର ଅଂଗୁର ଚାଷ କରିବେ ବୋଲି ଦୁଷ୍ମନ୍ତ କହିଛନ୍ତି। ଅଙ୍ଗୁର ବ୍ୟତୀତ ସେ ଲିଚୁ, ଆମ୍ବ, ସଫେଟା ଆଦି ଫଳ ଚାଷ କରିଛନ୍ତି। ସୂଚନାଯୋଗ୍ୟ ଯେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଚାଷ ହେଉଥିବା ସେଓ, ଷ୍ଟ୍ରବରି, ଆପଲ୍‌ବେରି, ଡ୍ରାଗନ୍ ଫ୍ରୁଟ୍ ଆଦି ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି।

 

ସମ୍ବନ୍ଧିତ ଖବର