ବରଗଡ଼/ପାଇକମାଳ: ଗନ୍ଧମାର୍ଦ୍ଦନ ପାଦଦେଶରେ ଖଣି ଖୋଜାଯିବାର ଚିତ୍ର ସାମ୍ନାକୁ ଆସିଛି। ମିନେରାଲ୍‌ ଏକ୍ସପ୍ଲୋରେସନ୍‌ ଆଣ୍ଡ୍‌ କନସନ୍‌ଲଟାନ୍ସି ଲିମିଟେଡ୍‌ ସଂସ୍ଥାର କର୍ମଚାରୀ ଆଜି ଖଣି ପାଇଁ ସର୍ଭେ କରିବାକୁ ଆସିଥିବାବେଳେ ସ୍ଥାନୀୟ ଅଞ୍ଚଳବାସୀ ତୀବ୍ର ବିରୋଧ କରିଥିଲେ। କାହା ଅନୁମତିରେ ସର୍ଭେ ଚାଲିଛି ବୋଲି ଅଞ୍ଚଳବାସୀ ପ୍ରଶ୍ନ କରି ସେମାନଙ୍କୁ ଘେରିଥିଲେ। ଫଳରେ ଟିମ୍‌ ସେଠାରେ ସର୍ଭେ ନକରି ଫେରିଯାଇଛି। ଶନିବାର ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ୍‌ ଝାରବନ୍ଧ ପଞ୍ଚାୟତ ଟେମରିମାଲ ଗାଁରେ ମିନେରାଲ୍‌ ଏକ୍ସପ୍ଲୋରେସନ୍‌ ଆଣ୍ଡ୍‌ କନସନ୍‌ଲଟାନ୍ସି ଲିମିଟେଡ୍‌ର ଦୁଇ ଜଣ ଭୂତତ୍ତ୍ବବିତ୍‌ (ଜିଓଲୋଜିଷ୍ଟ) ପହଞ୍ଚିଥିଲେ। ଗାଁ ଲୋକ ଖଣି ଖୋଜିବାକୁ ଆସିଥିବା ଜାଣିବା ପରେ ଉକ୍ତ ଦୁଇ କର୍ମଚାରୀଙ୍କୁ ଡାକି ଆଲୋଚନା କରିଥିଲେ। 

Advertisment

ବଲାଙ୍ଗୀର ଜିଲ୍ଲାରେ ତାଙ୍କ କମ୍ପାନି ସରକାରୀ ଅନୁମତିରେ ବିଭିନ୍ନ ବ୍ଲକ୍‌ ଓ ଗାଁରେ ଗ୍ରାଫାଇଟ୍‌ ଖଣି କେଉଁଠି ରହିଛି, ତାହା ଜାଣିବାକୁ ସର୍ଭେ କରୁଥିବା ଉଭୟ କହିଥିଲେ। ବରଗଡ଼ ଜିଲ୍ଲାରେ ବି ଗ୍ରାଫାଇଟ୍‌ କେଉଁଠି ରହିଛି ତାହା ଖୋଜାଯିବ ବୋଲି କହିଥିଲେ। ସବୁ କିଛି କେନ୍ଦ୍ର ସରକାରଙ୍କ ଅନୁମତିରେ କରାଯାଉଛି ବୋଲି ଉଭୟ ଗ୍ରାମବାସୀଙ୍କୁ କହିଥିଲେ। ଏହାସହ ଗ୍ରାଫାଇଟ୍‌ର ଅନୁସନ୍ଧାନ କରିବାକୁ ଜିଲ୍ଲାପାଳଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଛୁ ବୋଲି ସେମାନେ ସୂଚନା ଦେଇଥିଲେ। କିନ୍ତୁ ଗ୍ରାମବାସୀ ଖଣି ଖନନ ତାଙ୍କ ଅଞ୍ଚଳରେ କେବେ ହେବ ନାହିଁ। ବିଗତ ଦିନରେ ଗନ୍ଧମାର୍ଦ୍ଦନକୁ ନଜର ପକାଇଥିବା କମ୍ପାନିକୁ ଏଠାରୁ ତଡ଼ାଯାଇଥିଲା। ଏବେ ବି ଗନ୍ଧମାର୍ଦ୍ଦନ ସହ ଅନ୍ୟ ଜମିରେ ଖଣିକୁ ବିରୋଧ କରାଯିବ ବୋଲି ସେମାନଙ୍କୁ କହିଥିଲେ। ଏହା ପରେ ଦୁଇ କର୍ମଚାରୀ ସେଠାରୁ ଫେରିଥିଲେ। ବର୍ତ୍ତମାନ ଗନ୍ଧମାର୍ଦ୍ଦନକୁ ନେଇ ଚର୍ଚ୍ଚା ଲାଗି ରହିଥିବା ସମୟରେ ଏହି ସର୍ଭେ କରାଯିବାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଆଗକୁ ସର୍ଭେ ହେଲେ ହଜାର ହଜାର ଲୋକ ଆନ୍ଦୋଳନମୁହାଁ ହେବେ ବୋଲି ଚେତାବନୀ ଦେଇଛନ୍ତି।