ପଲିଟେକ୍‌ନିକ୍‌ ଛାତ୍ରଛାତ୍ରୀଙ୍କ କମାଲ୍‌ : ତିଆରି କଲେ ବିନା ଇନ୍ଧନରେ ଘାସ କଟା ମେସିନ୍‌

ରାଉରକେଲା: ପେ‌ଟ୍ରୋଲ ନା ଡିଜେଲ ନା ଅନ୍ୟ କୌଣସି ଇନ୍ଧନ। ସିଟ୍‌ରେ ବସି ପେଡେଲ ମାରିଲେ କଟୁଛି ଘାସ, ଅନାବନା ବୁଦା। ସ୍କୁଲ କଲେଜ ହତା ହେଉ ଅବା ଯେ ‌କୌଣସି ସ୍ଥାନରେ ଅନାବନା ଘାସ କାଟିବାରେ ଏହି ମେସିନ୍‌ ତାର କରାମତି ଦେଖାଉଛି। ବିନା ଇନ୍ଧନରେ ଏଭଳି ଏକ ନିଆରା ଘାସ କଟା ମେସିନ୍‌କୁ ପ୍ରସ୍ତୁତ କରିଛନ୍ତି ବାସନ୍ତୀ କଲୋନି ଏସ୍‌.କେ. ଡିଏଭି ପଲିଟେକ୍‌ନିକ୍‌ର ମେକାନିକାଲ୍‌ ଛାତ୍ର। ଜଣେ କି ଦୁଇ ନୁହେଁ ୧୦ ଛାତ୍ରଛାତ୍ରୀ ଏହି ଘାସ କଟା ମେସିନ୍‌କୁ ତିଆରି କରିଛନ୍ତି। ୮ରୁ ୧୦ ଦିନ କଠିନ ପରିଶ୍ରମ କରି ଏହି ମେସିନକୁ ତିଆରି କରିବାରେ ସକ୍ଷମ‌ ହୋଇଛନ୍ତି।

ମେସିନ୍‌ ତିଆରି ବ୍ୟବହାର ହୋଇଛି ଲୁହା ପାଇପ୍‌, ଭଙ୍ଗା ସାଇକେଲରୁ ସଂଗ୍ରହ ପୁରୁଣା ଯନ୍ତ୍ରପାତି। ମେସିନ୍‌ ସମ୍ମୁଖ ଭାଗରେ ଲାଗିଥିବା ବ୍ଲେଡ ଘାସ କାଟି ସଫା କରୁଛି। ସିଟ୍‌ରେ ବସି ପେଡେଲ ମାରିଲେ ମେସିନ୍‌ ଆଗକୁ ଗଢ଼ୁଛି। କିନ୍ତୁ ପଛକୁ ଗଡି ପାରୁ ନାହିଁ। ଏଥି ସକାଶେ ଛାତ୍ରଛାତ୍ରୀମାନେ ସୋଲାର ଲଗାଇ ମେସିନ୍‌କୁ ପଛକୁ ଗଡାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ଆଗାମି ଦିନରେ ନିଶ୍ଚିତ ସଫଳ ହେବେ ବୋଲି କହିଛନ୍ତି ଟିମ୍‌ର ନେତୃତ୍ବ ନେଉଥିବା ଆଶୁତୋଷ ମହାନ୍ତି। ୧୦ ଜଣିଆ ଟିମ୍‌ର ନେତୃତ୍ବ ‌ନେଉଥିବା ଜଣେ ଛାତ୍ର ଜଗଦିଶ ପରିଡା କହିଛନ୍ତି ଆମକୁ କଲେଜ ପକ୍ଷରୁ ଏକ ପ୍ରକଳ୍ପ ପ୍ରସ୍ତୁତ କରିବାକୁ ମେକାନିକାଲ୍‌ ବିଭାଗର ଏଚ୍‌ଓଡି ରୀନା ରାୟଙ୍କ ତରଫରୁ କୁହାଯାଇଥିଲା। ୧୦ ଜଣ ଛାତ୍ରଛାତ୍ରୀ ଏକାଠି ହୋଇ ବିନା ଇନ୍ଧନରେ ଏଭଳି ମେସିନ୍‌ ତିଆରି କରିବାକୁ ଉଦ୍ୟମ ଆରମ୍ଭ କରିଥିଲୁ। କେବଳ ଘାସ କାଟିବାକୁ ବ୍ଳେଡ କିଣିବାକୁ ପଡିଥିଲା। ଆବଶ୍ୟକ ଅନ୍ୟ ସମସ୍ତ ଜିନିଷ ମୋଟର ଗ୍ୟାରେଜ୍‌ ଓ ସାଇକେଲ ମରାମତି ଦୋକାନରୁ ସଂଗ୍ରହ କରିଥିଲୁ। ଦିନରୁ ସଂଧ୍ୟା ପର୍ଯ୍ୟନ୍ତ ପରିଶ୍ରମ କରି ୧୦ ଦିନ ମେସିନ୍‌କୁ ତିଆରି କରିବାରେ ସକ୍ଷମ ହୋଇଥିଲୁ।

ଏଚ୍‌ଓଡି ଶ୍ରୀମତୀ ରାୟ କହିଛନ୍ତି ସମ୍ପ୍ରତି ପେଟ୍ରୋଲ, ଡିଲେଜ ଦର ହୁ ହୁ ହୋଇ ବଢ଼ି ଚାଲିଛି। ବିନା ଇନ୍ଧନରେ ମନୁଷ୍ୟ ଚାଳିତ ଯନ୍ତ୍ରପାତିର ଚାହିଦା ବଢ଼ୁଥିବାରୁ ଛାତ୍ରଛାତ୍ରୀମାନେ ଏହି ପ୍ରକାର ଘାସ କଟା ସେସିନ୍‌ ନିର୍ମାଣ ମନ ବଳାଇଥିଲେ। ଅନ୍ୟ ଛାତ୍ରଛାତ୍ରୀମାନେ ଏବେ ଏକ ଇ- ସାଇକେଲ ତିଆରି କରୁଛନ୍ତି। ସେପଟେ ଛାତ୍ରଛାତ୍ରୀଙ୍କ ଏଭଳି ଏକ ମେସିନ୍‌ ତିଆରିକୁ ସବୁ ମହଲରୁ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର