ବେଲଗୁଣ୍ଠା : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଗୋବରା ପଞ୍ଚାୟତ ଡେଙ୍ଗାପଦର ଉଚ୍ଚପ୍ରାଥମିକ ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ଖାଦ୍ୟରୁ ମଲା ଅସରପା ଓ ଝିଟିପିଟି ବାହାରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବିଦ୍ୟାଳୟ ତଥା ଗ୍ରାମରେ ଉତ୍ତେଜନା ସୃଷ୍ଟି ହୋଇଥିବା ଜଣାପଡ଼ିଛି। ସୂଚନାରୁ ଜଣାପଡ଼ିଛି, ଉକ୍ତ ବିଦ୍ୟାଳୟକୁ ସ୍ଥାନୀୟ ଏକ ସଂସ୍ଥା ମଧ୍ୟାହ୍ନ ଭୋଜନ ଯୋଗାଉଛି। ପ୍ରତିଦିନ ପରି ଗତକାଲି ଉକ୍ତ ସଂସ୍ଥା ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ଆଣିଥିଲା। ତେବେ ଛାତ୍ରଛାତ୍ରୀଙ୍କୁ ତାହା ପରଷିବା ବେଳେ ସେଥିରୁ ମଲା ଅସରପା ଓ ଝିଟିପିଟି ବାହାରିଥିଲା। ପରେ ଛାତ୍ରଛାତ୍ରୀ ଆତଙ୍କିତ ହୋଇ ଖାଦ୍ୟକୁ ଫୋପାଡ଼ି ଦେଇଥିଲେ। ଖବର ପ୍ରଚାରିତ ହେବା ପରେ ବହୁ ଅଭିଭାବକ ଓ ଗ୍ରାମବାସୀ ବିଦ୍ୟାଳୟରେ ରୁଣ୍ଡ ହୋଇ ସମସ୍ତ ଖାଦ୍ୟକୁ ପୋତି ଦେଇଥିଲେ।
ଏହି କ୍ରମରେ ଆଜି ଉକ୍ତ ସଂସ୍ଥାର ମଧ୍ୟାହ୍ନ ଭୋଜନ ଗାଡ଼ି ବିଦ୍ୟାଳୟରେ ପହଞ୍ଚିବା ପରେ ଡେଙ୍ଗାପଦର ଗ୍ରାମ୍ୟ କମିଟି ସଭାପତି ବିପ୍ରଚରଣ ନାୟକ, ସଦସ୍ୟ ଚନ୍ଦ୍ରଶେଖର ନାୟକ, ସନ୍ତୋଷ କୁମାର ମଲ୍ଲ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦିଲ୍ଲୀପ କୁମାର ସାହୁ ଓ ସଦସ୍ୟ ଉପେନ୍ଦ୍ର ନାୟକ ପ୍ରମୁଖ ପହଞ୍ଚି ସଂସ୍ଥାର ଦାୟିତ୍ବହୀନତା ସଂପର୍କରେ ପଚାରିଥିଲେ। ତୁମେ ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳୁଛ ବୋଲି କହି ମଧ୍ୟାହ୍ନ ଭୋଜନ ଗାଡ଼ିକୁ ଫେରାଇ ଦେଇଥିଲେ। ପରେ ଗ୍ରାମରେ ଏକ ବୈଠକ କରାଯାଇ ଆଗାମୀ ଦିନରେ ମଧ୍ୟହ୍ନ ଭୋଜନ ଖାଦ୍ୟକୁ ପ୍ରଥମେ ପ୍ରଧାନଶିକ୍ଷକ, ଖାଦ୍ୟ ଦେଉଥିବା ସଂସ୍ଥାର ମୁଖ ଓ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଥମେ ଖାଇବା ପରେ ଛାତ୍ରଛାତ୍ରୀଙ୍କୁ ପରଷାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ସୂଚନା ଥାଉକି, ଗତ କିଛି ମାସ ତଳେ ଖାଦ୍ୟରେ ପୋକ ବାହାରିବା ଯୋଗୁଁ ବିଦ୍ୟାଳୟର ୧୭୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୦ ଜଣ ନିଜଘରୁ ସ୍କୁଲକୁ ଖାଦ୍ୟ ଆଣୁଛନ୍ତି। ଏନେଇ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହିତ ଏହାର ସମାଧାନ ନହେଲେ ଉପରିସ୍ଥ ଅଧିକାରୀଙ୍କୁ ପତ୍ର ଲେଖାଯିବା ନେଇ ଗ୍ରାମବାସୀ ଓ ଅଭିଭାବକ ପ୍ରକାଶ କରିଛନ୍ତି।