ଅତନୁଙ୍କ ଗସ୍ତ ପରେ ରାୟଗଡ଼ା ରାଜନୀତି ଚଳଚଞ୍ଚଳ: ବିଜେଡ଼ି ଖେଳିବ ଝୋଡ଼ିଆ କାର୍ଡ!

ମଧ୍ୟରାତ୍ରି ପର୍ଯ୍ୟନ୍ତ ସର୍କିଟ୍ ହାଉସରେ ଚାଲିଲା ମାନସ ମନ୍ଥନ

ରାୟଗଡ଼ା: ମିଳିମିଶି କାମ କର। ତୃଣମୂଳସ୍ତରରେ ସଂଗଠନକୁ ମଜଭୁତ କର। ଗୋଷ୍ଠୀ ବିବାଦରୁ ଦୂରେଇ ରହି ଲୋକଙ୍କ ସମସ୍ୟାକୁ ଗୁରୁତ୍ବ ଦିଅ। ନେତାଙ୍କ ନାଁରେ ଗୋଷ୍ଠୀ ବିଭେଦ କରି ଦଳକୁ କ୍ଷତି ପହଞ୍ଚାଇଲେ କାହାକୁ ଛଡା ଯିବନି, ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ରାୟଗଡ଼ା ନିର୍ବାଚନ ମଣ୍ଡଳୀର ସ୍ଥିତି ସମୀକ୍ଷା କରି ରାୟଗଡ଼ା, କାଶୀପୁର ବ୍ଲକର କର୍ମୀଙ୍କୁ ଏପରି ଚରମବାଣୀ ଶୁଣାଇଛନ୍ତି ଜିଲ୍ଲା ବିଜେଡ଼ି ପର୍ଯ୍ୟବେକ୍ଷକ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ।

୨୦୧୯ ସାଧାରଣ ନିର୍ବାଚନରେ ବିଜେଡ଼ି ହାତରୁ ରାୟଗଡ଼ା ଆସନ ଖସିବା ପରେ ଦଳ ଏହାକୁ ଗମ୍ଭୀରତାର ସହ ନେଇଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳୀୟ ସ୍ଥିତି ଓ ସଙ୍ଗଠନ ସଜାଡ଼ିବାକୁ ଦଳ ଆରମ୍ଭ ହୋଇଛି ମାନସ ମନ୍ଥନ। ଅସନ୍ତୁଷ୍ଟ କର୍ମୀ, ନେତାଙ୍କ ମାନଭଞ୍ଜନ ସହ ଦଳ ପଞ୍ଚାୟତ ନିର୍ବାଚନରେ କିପରି କ୍ଷମତାକୁ ଫେରିବ ସେ ନେଇ ବୁଧବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ସର୍କିଟ୍ ହାଉସରେ ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାଶଙ୍କ ସହ ଆଲୋଚନା କରିଛନ୍ତି ପର୍ଯ୍ୟବେକ୍ଷକ। ବିଶେଷ କରି କାଶୀପୁର ବ୍ଲକର କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିବାରୁ ଏହାର ସମାଧାନ କରିବାକୁ ପାଇଁ ପର୍ଯ୍ୟବେକ୍ଷକ ଜିଲ୍ଲାସ୍ତରୀୟ ନେତାଙ୍କୁ ପରାମର୍ଶ ଦେଇଛନ୍ତି।

ଆଦିବାସୀ ମାନ୍ୟତା ଦାବିରେ ଝୋଡ଼ିଆ ନିଜ ଜିଦରେ ଅଟଳ ରହି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ଆସୁଛନ୍ତି। କେନ୍ଦ୍ର-ରାଜ୍ୟ ସମନ୍ବୟ ଅଭାବରୁ ମାନ୍ୟତା ମିଳିବାରେ ବିଳମ୍ବ ହେବା କାଶୀପୁରରେ ବିଜେଡ଼ି ପାଇଁ ସମସ୍ୟା ସୃଷ୍ଟି କରୁଛି। ପୂର୍ବରୁ ଝୋଡ଼ିଆ ଭୋଟ କଂଗ୍ରେସ ସପକ୍ଷରେ ଯାଉଥିଲା। ୨୦୧୯ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ କାଶୀପୁର ବ୍ଲକର ମକରନ୍ଦ ମୁଦୁଲି ନିର୍ବାଚନକୁ ଓହ୍ଲାଇବା ପରେ ଆଞ୍ଚଳିକତାବାଦ ଭିତ୍ତିରେ ଝୋଡ଼ିଆ ଭୋଟ ମକରନ୍ଦଙ୍କ ସପକ୍ଷରେ ଯାଇଥିଲା। ଯାହା ବିଜେଡ଼ି ପରାଜୟର ମୁଖ୍ୟ କାରଣ ହୋଇଥିଲା। ବ୍ଲକର ୮୫ଟି ଗାଁରେ ୨୨ ହଜାରରୁ ଉର୍ଧ୍ବ ଝୋଡ଼ିଆ ସଂପ୍ରଦାୟର ଲୋକ ବାସ କରୁଥିବା  ବେଳେ ଏହି ଗାଁ ଗୁଡ଼ିକର ନେତୃତ୍ବ ଝୋଡ଼ିଆ ହିଁ ନେଉଛନ୍ତି। କୌଣସି ମତେ ଆଗାମୀ ନିର୍ବାଚନ ପୂର୍ବରୁ ଝୋଡ଼ିଆଙ୍କୁ ନିଜ ସପକ୍ଷରେ ଆଣି ରାୟଗଡ଼ାରେ ପୁଣି କ୍ଷମତାକୁ ଫେରିବାକୁ ବିଜେଡ଼ି ନୂଆ ‌ଷ୍ଟ୍ରାଟେଜି ଗ୍ରହଣ କରିବା ସହିତ ନିର୍ବାଚନରେ ଝୋଡ଼ିଆ କାର୍ଡ ଖେଳିବାର ଯୋଜନା ରଖିଛି।

ଅନ୍ୟପକ୍ଷରେ ବୁଧବାର ରାତିରେ କିଛି କର୍ମୀ ଓ ନେତାଙ୍କ ସହ ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ସର୍କିଟ୍ ହାଉସରେ ବିଜେଡ଼ି ପର୍ଯ୍ୟବେକ୍ଷକ ଶ୍ରୀ ନାୟକଙ୍କୁ ସାକ୍ଷାତ କରି ରାୟଗଡ଼ା ନିର୍ବାଚନ ମଣ୍ଡଳୀର ବିକାଶ ସଂପର୍କରେ ଆଲୋଚନା କରିଛନ୍ତି। ଯାହା ରାୟଗଡ଼ା ରାଜନୀତିକୁ ଚଳଚଞ୍ଚଳ କରିଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ରାୟଗଡ଼ା ବ୍ଲକ୍ ବିଜେଡ଼ି ହାତରେ ରହିବା ସହ ୩ ଜିଲ୍ଲା ପରିଷଦ ଆସନକୁ ମଧ୍ୟ ଦଖଲରେ ରଖିଥିଲା। ‌କିନ୍ତୁ କାଶୀପୁର ବ୍ଲକରେ ବିଜେଡ଼ି ପ୍ରାର୍ଥୀ ଜିତିବା ସତ୍ତ୍ବେ ବ୍ଲକ୍ ଦଖଲ କରିପାରିନଥିଲା। ବ୍ଲକର ୨୪ ପଞ୍ଚାୟତରୁ ୧୪ ପଞ୍ଚାୟତରେ ବିଜେଡ଼ି ସମର୍ଥିତ ସମିତିସଭ୍ୟ ନିର୍ବାଚିତ ହେବା ସତ୍ତ୍ବେ ଗୋଷ୍ଠୀ କନ୍ଦଳ ଯୋଗୁ କଂଗ୍ରେସ ବ୍ଲକ୍ ଦଖଲ କରିଥିଲା।

ସେହିପରି ୩ ଜିଲ୍ଲା ପରିଷଦ ଆସନରୁ ୨ଟିରେ କଂଗ୍ରେସ, ଗୋଟିଏରେ ବିଜେଡ଼ି ବିଜୟୀ ହୋଇଥିଲା। ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ଲାଲ୍ ବିହାରୀ ହିମିରିକା ୪୭ ହଜାର ୯୭୪ ଭୋଟ ପାଇଥିବା ବେଳେ ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ୫୨ ହଜାର ୮୪୪ ଭୋଟ ପାଇ ବିଜୟୀ ହୋଇଥିଲେ। ୨୦୧୭ ଓ ୨୦୧୯ ନିର୍ବାଚନର ପୁନରାବୃତ୍ତି ଯେପରି ଆଗକୁ ନ ହେବ ସେଥି ଲାଗି ଜିଲ୍ଲା ପର୍ଯ୍ୟବେକ୍ଷକ ଅଧିକ ଗୁରୁତ୍ବାରୋପ କରିଛନ୍ତି। ବିଶେଷ କରି କର୍ମୀଙ୍କୁ ଅଧିକ ଶୃଙ୍ଖଳିତ ଓ ସଂଗଠିତ କରିବା ଦିଗରେ ଉଦ୍ୟମ ଜାରି ରଖିବାକୁ ଜିଲ୍ଲାର ଦୁଇ ଟପ୍ କ୍ୟାଡର ନେତା ଭାସ୍କର ରାଓ ଏବଂ ସୁଧୀର ଦାଶଙ୍କୁ ପର୍ଯ୍ୟବେକ୍ଷକ ଶ୍ରୀ ନାୟକ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର