ଭୁବନେଶ୍ବର: ତୃଣମୂଳସ୍ତରରେ ଫୁଟ୍‌ବଲ୍‌କୁ ପ୍ରୋତ୍ସାହନ ଦେବା ଏବଂ ଏହାର ଅଭିବୃଦ୍ଧି ନିମନ୍ତେ ସର୍ବଭାରତୀୟ ଫୁଟ୍‌ବଲ ସଂଘ ପକ୍ଷରୁ ଜାରି ଭିଜନ-୨୦୨୪କୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ଓଡ଼ିଶା ଫୁଟ୍‌ବଲ ସଂଘ (ଫାଓ) ରାଜ୍ୟର ବିଭିନ୍ନ ସ୍ଥାନରେ ୮ରୁ ୧୨ ବର୍ଷ ବୟସ ବର୍ଗର ବାଳକ ବାଳିକାଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଆୟୋଜନ କରୁଛି। ଏହାର ଅଂଶବିଶେଷ ଭାବେ ଭୁବନେଶ୍ବରରେ ଦୁଇଟି ତୃଣମୂଳସ୍ତରୀୟ ଶିବିର ଉଦ୍‌ଘାଟିତ ହୋଇଯାଇଛି। ୟୁନିଟ୍‌-୧ ସରକାରୀ ବାଳକ ବିଦ୍ୟାଳୟ ‌ଖେଳ ପଡ଼ିଆରେ ଗତ ୪ ତାରିଖ ଏବଂ ୟୁନିଟ୍‌-୬ ସରକାରୀ ବାଳକ ବିଦ୍ୟାଳୟ ଖେଳ ପଡ଼ିଆରେ ୫ ତାରିଖ ଦିନ ଏହି ଦୁଇଟି ଶିବିର ଆରମ୍ଭ ହୋଇଛି।

Advertisment

ପ୍ରଶିକ୍ଷଣ ଶିବିରରେ ୫୦ରୁ ଅଧିକ ବାଳକ ବାଳିକା ଯୋଗଦେଇଛନ୍ତି। ଫୁଟ୍‌ବଲ ସଂପାଦକ ଦିଲିପ କୁମାର ଦାସ ଶିବିର ପରିଚାଳନା କରୁଥିଲା ବେଳେ ବରିଷ୍ଠ ଫୁଟ୍‌ବଲ କୋଚ୍‌ ରାଜକମଲ ମଣ୍ଡଳ, ଶଙ୍କର୍ଷଣ ଜେନା, ରାମ ମୁର୍ମୁ, ରଞ୍ଜନ ଦତ୍ତ, ଗଜଲ ଖାନ୍‌, ତିଳୋତ୍ତମା ଦଳେଇ ପ୍ରଶିକ୍ଷଣ ଦାୟିତ୍ବରେ ରହିଛନ୍ତି। ଫାଓ ଏବଂ ଭୁବନେଶ୍ବର ଦୌଡ଼କୁଦ ସଂଘ (ବିଏଏ) କର୍ମକର୍ତାଙ୍କ ଗହଣରେ ଏହି ଶିବିରକୁ ବିଏଏ ସଭାପତି ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ଫାଓର ଫୁଟ୍‌ବଲ ଟେକ୍ନିକାଲ କମିଟି ଅଧ୍ୟକ୍ଷ ସୁଜିତ ଘୋଷ, ସଦସ୍ୟ ମହମ୍ମଦ ଜବାର ଯୋଗଦେଇ ଖେଳାଳିମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ମହିଳା ଫୁଟ୍‌ବଲ ସମିତିର ଅଧ୍ୟକ୍ଷ ସହଦେବ ରାଉତ, ବିଏଏର ସାଧାରଣ ସଂପାଦକ ସୌର୍ଯ୍ୟରଞ୍ଜନ ପରିଜା, ପ୍ରାକ୍ତନ କ୍ରୀଡ଼ା ପ୍ରଶାସକ ଅଶୋକ କୁମାର ମହାନ୍ତି, ୟୁନିଟ୍‌-୬ ହାଇସ୍କୁଲ୍‌ର ପ୍ରଧାନ ଶିକ୍ଷକ ପ୍ରଭାସ ଗାଇଗେରିଆ ଏବଂ ବିଏଏର ଅନ୍ୟ କର୍ମକର୍ତାମାନେ ଉପସ୍ଥିତ ଥିଲେ।