ଭୁବନେଶ୍ୱର: ୨୪ ବର୍ଷ ଧରି ସେବା କରିବାର ସୁଯୋଗ ଦେଇଥିବାରୁ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଛି ବିଜେଡି। ଆଜି ଶଙ୍ଖ ଭବନରେ ଦଳର ତିନି ଜଣ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ମାନସ ମଙ୍ଗରାଜ ଓ ସୁଲତା ଦେଓ ଏକ ସାମ୍ବାଦିକ ସମ୍ମିଳନୀରେ କହିଲେ, ଗତ ୨୪ ବର୍ଷ ଧରି ଓଡ଼ିଶାବାସୀ ବିଜୁ ଜନତା ଦଳକୁ ନିରନ୍ତର ଆଶୀର୍ବାଦ କରି ଆସିଛନ୍ତି। ଏହି ଆଶୀର୍ବାଦ ଫଳରେ ବିଜେଡି ଓଡ଼ିଶାର ଅହରହ ସେବା କରି ଆସିଛି। ତେଣୁ ଓଡ଼ିଶାବାସୀଙ୍କ ପାଖରେ ଦଳ ଚିରଋଣୀ।

Advertisment

ସବୁ ନିର୍ବାଚନ ଭଳି ଚଳିତ ନିର୍ବାଚନରେ ମଧ୍ୟ ପ୍ରାୟ ୪୦ ପ୍ରତିଶତ ଭୋଟ ହାରରେ ବିଜୁ ଜନତା ଦଳକୁ ଦେଇ ଆଶୀର୍ବାଦ କରିଛନ୍ତି। ଗତ ନିର୍ବାଚନ ଭୋଟ ହାରରୁ ଏହା ମାତ୍ର ୩ ପ୍ରତିଶତ କମ। ତେବେ ସିଟ ବ୍ୟବଧାନ ବେଶୀ ଜଣାପଡ଼ିଲା। ଏହା ପରେ ମଧ୍ୟ ପ୍ରାୟ ୫୦ ରୁ ୫୧ ଟି ଆସନରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ବିଜୟୀ କରିଥିବାରୁ ସାଢେ଼ ଚାରି କୋଟି ଓଡ଼ିଆଙ୍କୁ ଧନ୍ୟବାଦ। ଏହା ସହ ଓଡ଼ିଶାର ବିଜେପିକୁ ମଧ୍ୟ ବିଜୟ ପାଇଁ ଧନ୍ୟବାଦ। ଆଗାମୀ ଦିନରେ ଓଡ଼ିଶାବାସୀ ବିଜେଡିକୁ ଯେଉଁ ଦାୟିତ୍ୱ ଦେବେ, ତାହାକୁ ତୁଲାଇବୁ। ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ଆମେ କାର୍ଯ୍ୟ କରିବୁ। ସମସ୍ତ ଆସନର ଫଳାଫଳ ଆସିବା ପରେ ଦଳ ପରାଜୟ ଉପରେ ଅନୁଶୀଳନ କରିବ ବୋଲି ସେମାନେ କହିଥ‌ିଲେ।