‘ଆମ ଜଙ୍ଗଲ ଯୋଜନା’ରେ ବଡ଼ କାରନାମା
ଭିଏସ୍ଏସ୍‌କୁ ଦିଆଯାଉଥିବା ଟଙ୍କା କେଉଁଠି ଖର୍ଚ୍ଚ ହୋଇଛି?

Advertisment

ବଲାଙ୍ଗୀର : ଜଙ୍ଗଲରେ ଲୋକଙ୍କୁ ରୋଜଗାର ଯୋଗାଅ। ଏଥିପାଇଁ ବୃକ୍ଷରୋପଣ ଏକମାତ୍ର ଉପାୟ। ଏହାକୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ବିକାଶ ପାଇଁ ରୂପରେଖ ପ୍ରସ୍ତୁତ କରିବାକୁ ରାଜ୍ୟ ସରକାର ଆହ୍ୱାନ ‌ଦେଉଛନ୍ତି । ଏପରିକି ଦୁଇଦିନିଆ ଡିଏଫ୍ଓମାନଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ରୂପରେଖ ପ୍ରସ୍ତୁତ କରିବାକୁ କହିଛନ୍ତି। ମାତ୍ର, ବଲାଙ୍ଗୀର ଜିଲ୍ଲାରେ ଓଲଟା ଚିତ୍ର। ଏଠି ବନୀକରଣ ଯୋଜନାରେ ଗ୍ରାମାଞ୍ଚଳର ଲୋକଙ୍କୁ ରୋଜଗାର ମିଳୁନି। ଏହି ଯୋଜନାରେ ଅଧିକ ରୋଜଗାର କରୁଛନ୍ତି ଅଧିକାରୀ।

ବଲାଙ୍ଗୀର ଜିଲ୍ଲାରେ ଆମ ଜଙ୍ଗଲ ଯୋଜନାରେ ‘ଭିଏସ୍ଏସ୍‌’ (ବନ ସଂରକ୍ଷଣ ସମିତି) ଜରିଆରେ ବନୀକରଣ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ୨୦୨୦-୨୧ ବର୍ଷରେ ‘ଆମ ଜଙ୍ଗଲ ଯୋଜନା’ରେ ବ୍ଲକ୍‌ ପ୍ଲାଣ୍ଟଟେସନ ( ‌ଗୋଟିଏ ହେକ୍ଟରରେ ୧୬୦୦ ଚାରାରୋପଣ) ପାଇଁ ୧୦ଟି ଭିଏସ୍‌ଏସ୍‌କୁ ୭ଲକ୍ଷ ୫୦ହଜାର ୯୬୦ ଟଙ୍କା ପ୍ରଦାନ କରାଯାଇଛି। ସେହିପରି, ଦ୍ବିତୀୟ ବର୍ଷରେ ଏଥିପାଇଁ ୪୦ଟି ଭିଏସ୍‌ଏସ୍‌କୁ ୭୯ଲକ୍ଷ ୪୮ହଜାର ଟଙ୍କା ପ୍ରଦାନ କରାଯାଇଛି। ପ୍ରତି ଭିଏସ୍‌ଏସ୍‌କୁ ୧ଲକ୍ଷ ୯୮ହଜାର ୭୦୦ ଟଙ୍କା ଲେଖାଏଁ ଦିଆଯାଇଛି। ଯୋଜନାର ଦ୍ବିତୀୟ ବର୍ଷରେ ସାଧାରଣତଃ ଲଗାଯାଇଥିବା ଗଛସବୁର ରକ୍ଷଣାବେକ୍ଷଣ କରାଯାଇଥାଏ। ତେବେ, ୭୯ ଲକ୍ଷ ୪୮ହଜାର ଟଙ୍କା ଖର୍ଚ୍ଚ କେମିତି ହୋଇଛି, ତାହାକୁ ନେଇ ପ୍ରଶ୍ନ ଉଠିଛି। ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତି କହିଛନ୍ତି, ଭିଏସ୍ଏସ୍ ଯଦି ଏତେ ଟଙ୍କା ପାଇଥିଲା ତା’ହେଲେ ଶ୍ରମିକମାନେ ରୋଜଗାର ପାଇବା କଥା। ମାତ୍ର, ବହୁ ଶ୍ରମିକ କାମରୁ ବଂଚିତ ହୋଇଛନ୍ତି। ‌ତେଣୁ, ଶ୍ରମିକଙ୍କୁ ଆକାଉଣ୍ଟରେ ଟଙ୍କା ଦିଆଯାଇଛି ନା ଅନ୍ୟ ଆକାରରେ ପ୍ରଦାନ କରାଯାଇଛି ବୋଲି ସେମାନେ ପ୍ରଶ୍ନ ଉଠାଇବା ସହିତ ତଦନ୍ତ ପାଇଁ ଦାବି କରିଛନ୍ତି। ଠିକ୍‌ ସେହିପରି ୨୦୨୦-୨୧ କାର୍ଯ୍ୟର ପ୍ରଥମ ବର୍ଷରେ ୩କୋଟି ୧୨ ଲକ୍ଷ ୯୫ହଜାର ଟଙ୍କା ୫୦ଟି ଭିଏସ୍ଏସ୍‌କୁ ଦିଆଯାଇଛି। ପ୍ରତ୍ୟେକ ଭିଏସ୍‌ଏସ୍‌କୁ ୬ଲକ୍ଷ ୨୫ହଜାର ୯୦୦ ଟଙ୍କା ଦିଆଯାଇଛି। ପ୍ରଥମ ବର୍ଷରେ ସାଧାରଣତଃ ବୃକ୍ଷରୋପଣ କରାଯାଇଥାଏ। ତେବେ, ଯେଉଁସବୁ ସ୍ଥାନରେ ବୃକ୍ଷରୋପଣ କରାଯାଇଥିବା କୁହାଯାଉଛି ସେସବୁ ସ୍ଥାନରେ ବୃକ୍ଷ ନଥିବା ଅଭିଯୋଗ ହେଉଛି।

ଫଳରେ, ଭିଏସ୍‌ଏସ୍‌ ଜରିଆରେ ବନୀକରଣ କରାଯାଇ ଅନୁଦାନ ଟଙ୍କାକୁ ହଡ଼ପ କରାଯାଉଥିବା ଏହି ଅଭିଯୋଗରୁ ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ୨୦୨୧-୨୨ ଆର୍ଥିକ ବର୍ଷରେ ମଧ୍ୟ ସମାନ ଢଙ୍ଗରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି। ଏହାର ବିଧିବଦ୍ଧ ତଦନ୍ତ କରାଗଲେ, ଦୁର୍ନୀତିର ଚେର କିଭଳି ଲମ୍ବିଛି ତାହା ଜଣାପଡ଼ିବ।