ବୃକ୍ଷରୋପଣରେ ମହାଦୁର୍ନୀତି : ବାଇକ୍‌, ସ୍କୁଟର୍‌ ପାଲଟିଛି ପାଣି ଟ୍ୟାଙ୍କର

ଟ୍ରାକ୍ଟର ଦର୍ଶାଇ ଗଛରେ ପାଣି ଦିଆଯାଇଛି
ଭୂତ ଗାଡ଼ି ମାଧ୍ୟମରେ ବି ଗଛ ପାଇଛନ୍ତି ପାଣି
ପାଣି ଦେବା କଥା ମିଛ ଥିଲେ, ବୃକ୍ଷରୋପଣ?
ଯାଜପୁରରେ ଯଦି ଏମିତି, ଅନ୍ୟ ଜିଲ୍ଲାରେ କେମିତି?

ଯାଜପୁର : ରାଜ୍ୟ ସରକାରଙ୍କ ବାବୁମାନେ ଗଛ ଲଗାଇଲେ। ଏହି ଗଛମାନଙ୍କରେ ପାଣି ଦେବା ପାଇଁ ଟ୍ରାକ୍ଟର (ନମ୍ବର ଓଆର-୦୪-ସି ୨୦୯) ଓ (ନମ୍ବର ଓଆର-୦୪-ସି ୨୧୦)ବ୍ୟବହାର କରାଯାଇଥିଲା। ସରକାରଙ୍କ ବିଲ୍ କହୁଛି, ଏହି ନମ୍ବର ଗାଡ଼ି ଟ୍ରାକ୍ଟର ଓ ଟ୍ରଲି(ଡାଲା) ଜରିଆରେ ଯେଉଁ ପାଣି ଦିଆଗଲା, ସେ ବାବଦରେ ସଂପୃକ୍ତ ଗାଡ଼ିକୁ (ଭାଉଚର ନମ୍ବର ୪୪ଜେଆର୍ ୩/୨୦୨୦) ୪୨ହଜାର ଟଙ୍କା ବିଲ୍ ପ୍ରଦାନ କରାଯାଇଛି। ମାତ୍ର ‘ସମ୍ବାଦ’ ଅନୁସନ୍ଧାନ ବେଳେ ଜାଣିବାକୁ ପାଇଛି ଯେ ବିଲ୍‌ରେ ଦର୍ଶାଯାଇଥିବା ଗାଡ଼ି ନମ୍ବର ଓଆର୦୪ସି ୨୦୯ ଏକ ବଜାଜ୍ ବକ୍ସର ମୋଟର ସାଇକଲ। ଏହାର ମାଲିକ ରାମ ସାହୁ। ସେହିପରି ଓଆର୍୦୪ସି ୨୧୦ ନମ୍ବରଟି ଗୋଟିଏ ବଜାଜ୍‌ ମୋଟର ସାଇକେଲର। ଏହା ବଳରାମ ନାୟକଙ୍କ ନାମରେ ରହିଛି। ଅର୍ଥାତ୍ ପାଣି ଦିଆଯିବା କଥା ଯେ ପୂରା ମିଛ, ଏକଥା ଅବୁଝା ରହୁନାହିଁ। ଏକଥା ବି ସ୍ବାଭାବିକ ଯେ ଯଦି ପାଣି ଦିଆଯାଇନାହିଁ, ତେବେ ବୃକ୍ଷରୋପଣ ବି ହୋଇନାହିଁ।

ଯାଜପୁର ରୋଡ୍ ରେଞ୍ଜ ଅଧୀନ ଦାନଗଦୀ ବ୍ଲକର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠି ବିନିଯୋଗରେ ୧୦ହଜାର ଚାରା ବନୀକରଣରେ ଏଭଳି ସାଂଘାତିକ ଦୁର୍ନୀତି ପଦାକୁ ଆସିଛି। ଧାନ ପରିବହନ ପାଇଁ ସ୍କୁଟର୍‌ ବ୍ୟବହାର ହେବା ଭଳି କଟକ ବନଖଣ୍ଡ ଅଧୀନ ଯାଜପୁର ଜିଲ୍ଲାର ୪ଟି ରେଞ୍ଜରେ ସମାନ ତରିକାରେ ଦୁର୍ନୀତି ‌ହୋଇଛି। ଏଠାରେ ପାଣି ସିଞ୍ଚନ ଓ ସାମଗ୍ରୀ ପରିବହନ ପାଇଁ ସ୍କୁଟି ଏବଂ ବାଇକ୍‌ ବ୍ୟବହାର କରାଯାଇଛି। ଏପରିକି ରେଜିଷ୍ଟ୍ରେସନ୍‌ ହୋଇନଥିବା ଗାଡ଼ି ନମ୍ବର(ଜାଲ)ରେ ମଧ୍ୟ ବ୍ୟାପକ ସାମଗ୍ରୀ ପରିବହନ ହୋଇଥିବାର ଦର୍ଶାଯାଇଛି।

ଭାତ ହାଣ୍ଡିରୁ ଗୋଟିଏ ଚିପିବା ନ୍ୟାୟରେ ଏହି ଗୋଟିଏ ଜିଲ୍ଲାର ବୃକ୍ଷରୋପଣ ଚିତ୍ର ବୟାନ କରୁଛି ଯେ ରାଜ୍ୟରେ ଅନ୍ୟ ଜିଲ୍ଲାରେ କିଭଳି ଢଙ୍ଗରେ ବୃକ୍ଷରୋପଣ ଚାଲିଛି। କେବଳ ସେତିକି ନୁହେଁ, କିଭଳି ଫନ୍ଦି କରି ସରକାରୀ ବାବୁ-ରାଜନେତା ସରକାରୀ ତହବିଲ୍‌ରୁ ଟଙ୍କା ଲୁଟୁଛନ୍ତି। ମୂଳରୁ ଚୂଳ ପର୍ଯ୍ୟନ୍ତ ଏଭଳି କେଳେଙ୍କାରୀରେ ସାମିଲ ଥିବା ପରିପ୍ରେକ୍ଷୀରେ ଏ ପ୍ରସଙ୍ଗ ସାମ୍ନାକୁ ଅଣାଯାଉନାହିଁ। ରାଜ୍ୟ ଭିଜିଲାନ୍ସ ବିଭାଗ ନିଜ ସୂତ୍ରରୁ ଏସବୁ ତନାଘନା କରୁନି କି ଚଢ଼ଉ ନାହିଁ। ୫ଟି ଫେଲ୍, ସରକାରଙ୍କ ଦୁର୍ନୀତି ମୁକ୍ତ ସ୍ଲୋଗାନ୍ ବି ତୁଚ୍ଛା ପ୍ରହସନ, ଏକଥା ଯାଜପୁର ଜିଲ୍ଲାର ଏସବୁ ଦୁର୍ନୀତି ସଙ୍କେତ ଦେଉଛି।

ରାଜ୍ୟରେ ଶୀର୍ଷସ୍ତରରେ ଦୁର୍ନୀତି ନେଇ ରାଜନୈତିକ ଦଳର ନେତାମାନେ ବୟାନବାଜି କରୁଥିବା ବେଳେ ତୃଣମୂଳସ୍ତରରେ ଦୁର୍ନୀତିର ଚେର କେତେ ତଳକୁ ଭେଦିଛି, ଏକଥା ଏହି ବନୀକରଣ କେଳେଙ୍କାରୀ ଇସାରା ଦେଉଛି। କେଉଁଠି କ୍ଷେତରେ ଗଛ ନଥାଇ ଖାତାରେ ବନୀକରଣ ଦର୍ଶାଯାଇଛି ତ ଆଉ କେଉଁଠି ଶହେ କିଲୋମିଟର ଦୂରରୁ ଶ୍ରମିକ ଆସି କରୋନା ବେଳେ କାମରେ ଲାଗିଥିବା ଦର୍ଶାଇ ବିଲ୍‌ କରାଯାଇଛି। ଏମିତି ପୁଳାପୁଳା ଦୁର୍ନୀତି ହୋଇଥିଲେ ବି ସମସ୍ତେ ଆଖିକାନ ବନ୍ଦ କରି ରହିଛନ୍ତି।

ବନ ବିଭାଗ ବୃକ୍ଷରୋପଣ ମହାଦୁର୍ନୀତି ନେଇ ଆହୁରି ବିସ୍ଫୋରକ ତଥ୍ୟ ‘ସମ୍ବାଦ’ ଅନୁସନ୍ଧାନ ଟିମ୍‌ ହାତରେ ଲାଗିଛି। ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠିରୁ ନେଳିଆବାରି-ଯୋକଡ଼ିଆ ରାସ୍ତାପାର୍ଶ୍ବ ବନୀକରଣ ହୋଇଛି। ଏଠାରେ ଭାଉଚର ନମ୍ବର ୪୯ଜେଆର ୩/୨୦୨୦ରେ ଗଛରେ ପାଣି ଦେବା ନିମନ୍ତେ ୪୬ହଜାର ୬୩୯ଟଙ୍କା ବ୍ୟୟ ହୋଇଛି। ପାଣି ଦେବା ପାଇଁ ଟ୍ରାକ୍ଟର ନମ୍ବର ଓଆର୦୫ଏସି ୭୮୨୬ ଓ ୨୭(ଟ୍ୟାଙ୍କର)କୁ ବିନିଯୋଗ କରାଯାଇଥିବା ସରକାରୀ ରେକର୍ଡ ଦର୍ଶାଇଛି। ଅଥଚ ପୂର୍ବ ପ୍ରକଳ୍ପ ଭଳି ଏହି ୨ଟି ନମ୍ବର ଓଆର୍୦୫ଏସି ୭୮୨୬, ଓଆର୍୦୫ଏସି ୭୮୨୭(ଟ୍ୟାଙ୍କର) ଦୁଇଟି ଗାଡ଼ି ସ୍କୁଟି ପେପ୍ ପ୍ଲସ୍, ଯାହାକି ଅଶୋକ ମହାନ୍ତି ଓ ମହେନ୍ଦ୍ର ଦାସଙ୍କ ନାମରେ ଅଛି। ଅଧିକ ସନ୍ଧାନରୁ ଆହୁରି ଜଣାପଡ଼ିଛି ଯେ ଭୂତଗାଡ଼ି ନମ୍ବର ଓଡି ୦୪ଏଡି- ୫୫୩ ଓ ୫୫୪ ନାମରେ ଗଛ ମୂଳରେ ପାଣି ଦେବା ନିମନ୍ତେ ଭାଉଚର ନମ୍ବର ୩୮ଜେଆର୍ ୩/୨୦୨୦ରେ ୪୨ହଜାର ଟଙ୍କା ବିଲ୍ ‌ହୋଇଛି। ଅଥଚ ଏଭଳି ଗାଡ଼ି ଚଣ୍ଡିଖୋଲ ଆରଟିଓରେ ଆଦୌ ନାହିଁ। ବନ ବିଭାଗ ଅଧିକାରୀ ଏପରି ଗାଡ଼ି କେଉଁଠୁ ଆଣିଲେ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି।

ସ୍କୁଟରରେ କୁଇଣ୍ଟାଲ କୁଇଣ୍ଟାଲ ଧାନ ପରିବହନ କରିବା ଯେପରି ଅସମ୍ଭବ ସେହିଭଳି ସ୍କୁଟି ଓ ମୋଟର ସାଇକେଲ‌କୁ ପାଣି ଟ୍ୟାଙ୍କର କରି ଗଛ ମୂଳରେ ପାଣି ଦେବା ଯେ କୌଣସି ବ୍ୟକ୍ତିକୁ ବିସ୍ମିତ କରିବ। ତେବେ ବନ ବିଭାଗ ଏହାକୁ ସମ୍ଭବ କରି ଦେଖାଇଛି। ପୂର୍ବରୁ ଶ୍ରମିକ ନାମରେ ଜାଲିଆତି କରି ମଜୁରି ହଡ଼ପ, ସାମଗ୍ରୀ କିଣା, ପରିବହନ ଓ ଜଗୁଆଳି ନିଯୁକ୍ତି ଜାଲିଆତି ଭଳି ଦୁର୍ନୀତି ପଦାକୁ ଆସିଥିଲା। ଏବେ ପାଣି ସିଞ୍ଚନ ଏବଂ ସାମଗ୍ରୀ ପରିବହନରେ ଦୁଇଚକିଆ ବ୍ୟବହାର ଭଳି ତଥ୍ୟ ପଦାକୁ ଆସିବା ପରେ ଯାଜପୁର ଜିଲ୍ଲାରେ ଦୁର୍ନୀତି କେତେ ଗଭୀରକୁ ଗଲେଣି,ତାହା ଆକଳନ କରିବା ଆଉ ମୁସ୍କିଲ୍ ନୁହେଁ।

ସମ୍ବନ୍ଧିତ ଖବର