ବିଦ୍ୟୁତ୍‌ କ୍ଷେତ୍ର ପାଇଁ ବଡ଼ ନିଷ୍ପତ୍ତି, କ୍ଷତି ୧୫%କୁ କମାଇବାକୁ ନିର୍ଦେଶ

ଭୁବନେଶ୍ବର: ପରିଚାଳନା ଓ ବ୍ୟାବସାୟିକ ସଂସ୍କାର ମାଧ୍ୟମରେ ରାଜ୍ୟର ବିଦ୍ୟୁତ ଯୋଗାଣ ବ୍ୟବସ୍ଥାକୁ ଆତ୍ମନିର୍ଭରଶୀଳ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଓପିଟିସିଏଲ୍, ଗ୍ରିଡ୍‌କୋ ଏବଂ ବିତରଣ କଂପାନିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟୁତ ବ୍ୟବସ୍ଥାରେ କୋଭିଡ୍‌ର ପ୍ରଭାବ ଏବଂ ବର୍ତ୍ତମାନର ଆବଶ୍ୟକତା ଆଦି ବିଷୟରେ ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ବିଭିନ୍ନ କଂପାନିକୁ ବୈଷୟିକ ଓ ବାଣିଜ୍ୟିକ କ୍ଷତି ହ୍ରାସ ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ସୃଷ୍ଟି ହୋଇଥିବା ଭିତ୍ତିଭୂମିର ପୂର୍ଣ୍ଣ ବିନିଯୋଗ କରି ବିଦ୍ୟୁତ ଯୋଗାଣ ମାନ ବୃଦ୍ଧି କରିବା ଲାଗି ସମସ୍ତଙ୍କୁ ନିର୍ଦେଶ ଦିଆଯାଇଛି।

ଲୋକସେବା ଭବନରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟଶାସନ ସଚିବ କହିଥିଲେ ଯେ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ନିଶ୍ଚିତ କରାଗଲେ ଶିଳ୍ପାନୁଷ୍ଠାନ ମାନେ ଗ୍ରିଡ୍‌କୋରୁ ବିଦ୍ୟୁତ କିଣିବେ। ନିଜସ୍ୱ ପାୱାର ପ୍ଲାଣ୍ଟରେ ବିଦ୍ୟୁତ ଉତ୍ପାଦନ ଅପେକ୍ଷା ଏହା ସେମାନଙ୍କୁ ଅଧିକ ଶସ୍ତା ଓ ସୁବିଧାଜନକ ହେବ। ଗ୍ରିଡ୍‌କୋରୁ ବିଦ୍ୟୁତ ନେବା ପାଇଁ ରାଜ୍ୟରେ ପ୍ରତିଷ୍ଠା ହେଉଥିବା ଶିଳ୍ପାନୁଷ୍ଠାନମାନଙ୍କୁ ଉତ୍ସାହିତ କରିବା ଲାଗି ମୁଖ୍ୟ ସଚିବ ଶିଳ୍ପ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ବୈଠକରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜବିହାରୀ ଧଳ ରାଜ୍ୟରେ ବିଦ୍ୟୁତ ଯୋଗାଣ ସ୍ଥିତି ବିଷୟରେ ସୂଚନା ଦେଇଥିଲେ। ଶ୍ରୀ ଧଳ କହିଥିଲେ ଯେ ରାଜ୍ୟରେ ବର୍ତ୍ତମାନ ବିଭିନ୍ନ ସ୍ରୋତରୁ ୭.୧୫ ଜିଗାୱାଟ୍ ବିଦ୍ୟୁତ ଉତ୍ପାଦନ ହେଉଛି। ବିଦ୍ୟୁତ ଭିତ୍ତିଭୂମିରେ ବ୍ୟାପକ ସଂପ୍ରସାରଣ ହୋଇଛି। ରାଜ୍ୟରେ ଗ୍ରିଡ୍ ଏବଂ ୩୩/୧୧ କେଭି ସବଷ୍ଟେସନ୍ ସଂଖ୍ୟା ଯଥାକ୍ରମେ ୧୫୬ ଏବଂ ୯୧୯ କୁ ବୃଦ୍ଧି ପାଇଛି। ସେହିଭଳି ଏଚ୍‌ଟି ଲାଇନ୍ ୧ଲକ୍ଷ ୫୮ହଜାର ୪୪୫ କିମି ଏବଂ ଏଲ୍‌ଟି ଲାଇନ୍ ୧ଲକ୍ଷ ୮୪ ହଜାର ୧୦ କିମିକୁ ସଂପ୍ରସାରଣ କରାଯାଇଛି। ଇତିମଧ୍ୟରେ ଗ୍ରାହକଙ୍କ ସଂଖ୍ୟା ୮୯ ଲକ୍ଷକୁ ବୃଦ୍ଧି ପାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଶକ୍ତି ସଚିବ କହିଥିଲେ, ବର୍ତ୍ତମାନ ଓଡ଼ିଶା ବିଦ୍ୟୁତ ବଳକା ରାଜ୍ୟର ମାନ୍ୟତା ହାସଲ କରିଛି। ବାହାର ରାଜ୍ୟକୁ ବିକ୍ରି କରିବା ପାଇଁ ବାର୍ଷିକ ପ୍ରାୟ ୧୦୦୦ ମେଗାୱାଟ୍ ବଳକା ବିଦ୍ୟୁତ ଓଡ଼ିଶା ପାଖରେ ଅଛି।

ଅନ୍ୟପକ୍ଷରେ ସମୀକ୍ଷାରୁ ଜଣାପଡିଥିଲା ଯେ କୋଭିଡ୍-୧୯ ସଟ୍ଡ଼ାଉନ୍ ଓ ଲକ୍‌ଡ଼ାଉନ୍ ଯୋଗୁ ବିଦ୍ୟୁତ କ୍ଷେତ୍ର ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ମାର୍ଚ୍ଚରୁ ଜୁନ୍ ମଧ୍ୟରେ ବିଦ୍ୟୁତ ଚାହିଦା ଓ ବିକ୍ରି ଶତକଡା ୧୪% କମିଛି। ସେହିପରି ଶିଳ୍ପାନୁଷ୍ଠାନ ମାନଙ୍କର ନିଜସ୍ୱ କାପଟିଭ୍ ବିଦ୍ୟୁତ ଉତ୍ପାଦନ ଓ ବ୍ୟବହାର ମଧ୍ୟ ଏପ୍ରିଲ୍ ଓ ମେ’ ମାସରେ ଯଥାକ୍ରମେ ଶତକଡା ୨୫% ଓ ୧୨% କମିଛି। ଚାହିଦା କମ୍‌ ଥିବାରୁ ଗ୍ରିଡ଼କୋର ରାଜସ୍ୱ କମିଥିବା ବେଳେ ପାୱାର ସଂଗ୍ରହ ବୁଝାମଣା ଅନୁସାରେ ଗ୍ରିଡ଼କୋକୁ ନିର୍ଦ୍ଧାରିତ ରାଶି ଶକ୍ତି ଉତ୍ପାଦନକାରୀ ପ୍ଲାଣ୍ଟ୍ ମାନଙ୍କୁ ଦେବାକୁ ହେଉଛି ବୋଲି ଅଧିକାରୀମାନେ କହିଥିଲେ।

ସବୁଠାରୁ ବଡ଼ କଥା ହେଲା, ବିଦ୍ୟୁତ ଏକ ଗୁରୁତ୍ୱପୂର୍ଣ୍ଣ ମୌଳିକ ଆବଶ୍ୟକତା ହୋଇଥିବାରୁ ଗ୍ରିଡ୍‌କୋଙ୍କୁ ଆବଶ୍ୟକ ଆର୍ଥିକ ଗ୍ୟାରେଣ୍ଟି ଦେବା ପାଇଁ ବୈଠକରେ ସ୍ଥିର ହୋଇଥିଲା। ବିତରକ କଂପାନିମାନେ ଚଳିତ ବର୍ଷ ମଧ୍ୟରେ ନିଜ ନିଜର ବିଲ୍ ବଣ୍ଟନ ଏବଂ ଦେୟ ଆଦାୟର ଶତକଡା ୯୮ ଭାଗ ହାସଲ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ବିଶେଷତଃ ସାମଗ୍ରିକ ବୈଷୟିକ ଏବଂ ବାଣିଜ୍ୟିକ (ଏଟି ଆଣ୍ଡ ସି) କ୍ଷତି କମାଇବା ଉପରେ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ଗୁରୁତ୍ୱ ଆରୋପ କରିଥିଲେ।ବିଗତ ବର୍ଷମାନଙ୍କ ମଧ୍ୟରେ ଏହି କ୍ଷତି ଶତକଡା ୫୭ ରୁ ଶତକଡା ୩୦ ଭାଗକୁ କମାଯାଇ ପାରିଛି। ଶତକଡା ୧% ଏଟି ଆଣ୍ଡ ସି କ୍ଷତି କମିଲେ ୧୩୦ କୋଟି ଟଙ୍କାର ରାଜସ୍ୱ ଅଧିକ ମିଳିବ। ତେଣୁ ଓପିଟିସିଏଲ୍, ଗ୍ରିଡ୍‌କୋ ଏବଂ ବିତରକ କଂପାନିମାନେ ମିଳିତ ଲକ୍ଷ୍ୟଭେଦୀ କାର୍ଯ୍ୟଯୋଜନା ମାଧ୍ୟମରେ ଏହି କ୍ଷତିକୁ ୧୫% ପର୍ଯ୍ୟନ୍ତ କମାଇବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦେଶ ଦେଇଥିଲେ। ସେହିଭଳି ନୂତନ ବୈଷୟିକ କୌଶଳ ଗୁଡିକ ମାଧ୍ୟମରେ ନିଜର ପରିଚାଳନାଗତ ଦକ୍ଷତା ବୃଦ୍ଧି କରିବା ପାଇଁ ମଧ୍ୟ ବିଦ୍ୟୁତ କଂପାନିମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, ପ୍ରମୁଖ ଶାସନ ସଚିବ ତଥା ଓପିଟିସିଏଲ୍ ଅଧ୍ୟକ୍ଷ ସୌରଭ ଗର୍ଗ, ଗ୍ରିଡ୍‌କୋର ଆର୍ଥିକ ନିର୍ଦ୍ଦେଶକ ଗଗନ ସ୍ୱାଇଁଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ସମ୍ବନ୍ଧିତ ଖବର