ଭୁବନେଶ୍ବର : ଲଘୁଚାପ ଗଭୀର ଅବପାତ ରୂପ ନେଇ ସ୍ଥଳଭାଗ ଛୁଇଁ ଆଗକୁ ବଢ଼ିବାରେ ଲାଗିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା, ଉତ୍ତର ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ଗତ ୩୬ ଘଣ୍ଟା ଧରି ଯେଉଁ ବର୍ଷା ହୋଇଛି, ତାହା ଏବେ ରାଜ୍ୟ ପ୍ରତି ବିପଦ ବଢ଼ାଇଲାଣି। ପୂର୍ବାହ୍ନରେ ଝାଡ଼ଖଣ୍ଡ ସରକାର ଗାଲୁଡ଼ିହି ବ୍ୟାରେଜ୍‌ର ୭ଟି ଗେଟ୍ ଖୋଲିଥିଲେ। ହେଲେ ନିୟନ୍ତ୍ରଣ ବାହାରକୁ ଯାଉଥିବା ଲକ୍ଷ୍ୟ କରି ସେମାନେ ରାତି ୮ଟା ବେଳକୁ ଆଉ ସାତଟି ଏବଂ ରାତି ୧୦.୩୦ଟା ବେଳକୁ ପୁଣି ଦୁଇଟି ଗେଟ୍ ଖୋଲି ଦେଇଛନ୍ତି। ଫଳରେ ମୋଟ ୧୬ଟି ଗେଟ୍ ଦେଇ ଏବେ ୪.୨୫ଲକ୍ଷ କ୍ୟୁସେକ୍ ଜଳ ସୁବର୍ଣ୍ଣରେଖା ଆଡ଼କୁ ମାଡ଼ି ଆସୁଛି। ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ବିଳମ୍ବିତ ରାତିରେ ଟ୍ବିଟ୍ କରି ଜଣାଇଛନ୍ତି ଯେ ସୁବର୍ଣ୍ଣରେଖା ନଦୀରେ ଏକ ବଡ଼ ବନ୍ୟା ଆସୁଛି। ପରିସ୍ଥିତିକୁ ମୁକାବିଲା କରିବା ଲାଗି ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାକୁ ଅତିରିକ୍ତ ଦୁଇଟି ଏନ୍‌ଡିଆର୍‌ଏଫ୍, ୨ଟି ଓଡ଼୍ରାଫ୍ ଓ ୮ଟି ଅଗ୍ନିଶମ ଦଳ ପଠାଯାଉଛି। ସବୁ ପଞ୍ଚାୟତର ସରପଞ୍ଚ ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ନିୟୋଜିତ କରି ଲୋକଙ୍କୁ ନିରାପଦ ସ୍ଥାନକୁ ନେବା ଲାଗି ଏସ୍‌ଆର୍‌ସି ଉଭୟ ଜିଲ୍ଲାର ଜିଲ୍ଲାପାଳଙ୍କୁ ଜଣାଇଛନ୍ତି।

Advertisment

ବୁଢ଼ାବଳଙ୍ଗ, ବଂଶଧାରା, ଋଷିକୁଲ୍ୟା ଫୁଲୁଛି
୪ ଗେଟ୍‌ ଖୋଲା; ମହାନଦୀରେ ପାଣି କମୁଛି

କେବଳ ସେତିକି ନୁହେଁ, ଶ୍ରୀ ଜେନା ଆହୁରି କହିଛନ୍ତି ଯେ ବୈତରଣୀ ନଦୀର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି। ସେଠାରେ ମଧ୍ୟ ବନ୍ୟା ପରିସ୍ଥିତି ଗମ୍ଭୀର ଆଡ଼କୁ ଗତି କରୁଛି। ରାତି ୧୨ଟା ସୁଦ୍ଧା ଆଖୁଆପଦା ଠାରେ ଜଳସ୍ତର ବିପଦ ସଙ୍କେତ (୧୭.୮୩ ମିଟର) ଡେଇଁ ୧୮.୩୬ମିଟର ଛୁଇଁଛି। ବୈତରଣୀ ନଦୀ ଆନନ୍ଦପୁର ଠାରେ ମଧ୍ୟ ବିପଦସଙ୍କେତ ଡେଇଁଯାଇଛି। ଏଠାରେ ବିପଦ ସଙ୍କେତ ୩୮.୩୬ ମିଟର ଥିବା ବେଳେ ଜଳସ୍ତର ୩୮.୭୯ ମିଟର ଛୁଇଁଲାଣି ଓ ଦ୍ରୁତ ବେଗରେ ବଢ଼ୁଛି। ଏଠାକୁ ମଧ୍ୟ ଅତିରିକ୍ତ ଅଗ୍ନିଶମ ଦଳ ପଠାଯିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ବୁଢ଼ାବଳଙ୍ଗ ଏବଂ ବଂଶଧାରା, ଋଷିକୁଲ୍ୟା ନଦୀ ବଢ଼ୁଥିବା ବେଳେ ଏବେ ଏହି ଦୁଇଟି ନଦୀ ଦ୍ରୁତ ବେଗରେ ଫୁଲୁଥିବା କାରଣରୁ ରାଜ୍ୟ ପୁଣି ଗୋଟିଏ ଭୀଷଣ ବନ୍ୟା ପରିସ୍ଥିତି ସାମ୍ନା କରିବାକୁ ଯାଉଛି। ତେବେ ଆଶ୍ବସ୍ତର ବିଷୟ ହେଉଛି, ରିପୋର୍ଟ ଲେଖା ହେବା ବେଳକୁ ମହାନଦୀ ଓ ଏହାର ଶାଖା ନଦୀରେ ଜଳପ୍ରବାହ କମୁଛି। ଛତିଶଗଡ଼ରେ ହେଉଥିବା ବର୍ଷାର ବିଶେଷ ପ୍ରଭାବ ଏଯାଏ ପରିଲକ୍ଷିତ ହୋଇନାହିଁ।

publive-image
ଶୁକ୍ରବାର ରାତିରୁ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ ବୁଢ଼ାବଳଙ୍ଗ, କତରା ନଦୀରେ ବନ୍ୟା‌ ଆସି ତଳିଆ ଅଞ୍ଚଳରେ ପାଣି ପଶିଛି। ଜିଲ୍ଲାର ସବୁ ଛୋଟବଡ଼ ନଦୀ ଓ ନାଳ ଉଛୁଳୁଥିବାରୁ ଅଧିକାଂଶ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ମୋରଡ଼ା, ରାସଗୋବିନ୍ଦପୁର, ବେତନଟୀ, ବାଙ୍ଗିରିପୋଷି, ବିଶୋଇ ଆଦି ବ୍ଲକ୍‌ର ପ୍ରମୁଖ ରାସ୍ତାରେ ୪-୫ ଫୁଟ୍‌ର ବର୍ଷାଜଳ ପ୍ରବାହିତ ହୋଇ ଯାତାୟାତ ଠପ୍‌ ହୋଇଯାଇଛି। ଶୁକୃଳି ଓ ରରୁଁଆ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଖଇରୀଭଣ୍ଡାର ନଦୀରେ ଜଳସ୍ତର ବଢ଼ି ଚାଲିଥିବା ବେଳେ ଶିମିଳିପାଳ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୁଢ଼ାବଳଙ୍ଗ ଓ କତରା ନଦୀରେ ବନ୍ୟା ଆସି ବାଙ୍ଗିରିପୋଷି ବ୍ଲକ୍‌ର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ସେହିପରି ବାଲେଶ୍ବର ଜିଲ୍ଲାରେ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ସହିତ ଜଳକା ବି ଫୁଲୁଛି। ଲଗାଣ ବର୍ଷାରେ ଭୋଗରାଇ, ବାଲିଆପାଳ, ବସ୍ତା, ଜଳେଶ୍ବର, ନୀଳଗିରି ବ୍ଲକର ୧୯ଟି ପଞ୍ଚାୟତର ୩୪ଟି ଗାଁ ଏବଂ ବାଲେଶ୍ବର, ଜଳେଶ୍ବର ଓ ନୀଳଗିରି ପୌରାଞ୍ଚଳରେ ୫୨୮୧ ଲୋକ ପ୍ରଭାବିତ ହୋଇଛନ୍ତି। ବର୍ଷା ବିତ୍ପାତରେ ୨୦୦ରୁ ଅଧିକ କଚ୍ଚାଘର ଭାଙ୍ଗିଯାଇଛି।

ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ଓ ଗଜପତି ଜିଲ୍ଲାର ବଂଶଧାରା ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। ବଂଶଧାରା ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ଏହାର ପ୍ରଭାବରେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ନଦୀ ଓ ନାଳରେ ଜଳସ୍ତର ବଢ଼ିବାରେ ଲାଗିଛି। ନାଗାବଳୀରେ ମଧ୍ୟ ଜଳସ୍ତର ବଢ଼ିବାରେ ଲାଗିଛି। ହେଲେ ରାୟଗଡ଼ାର ତଳମୁଣ୍ଡରେ ଝଞ୍ଜାବତୀ ଜଳ ନାଗାବଳୀରେ ମିଶୁଥିବାରୁ ପିତାମହଲ, ଜେମାଦେଇପେଣ୍ଠ, ଶେଷଖାଲ, ଜଗନ୍ନାଥପୁର ଅଞ୍ଚଳରେ ନାଗାବଳୀ ପ୍ରଖର ବେଗରେ ପ୍ରବାହିତ ହେଉଛି। ସେହିଭଳି ଗଞ୍ଜାମ ଜିଲ୍ଲାରେ ଥିବା ୭ଟି ଡ୍ୟାମ୍‌ ମଧ୍ୟରୁ ୩ଟି ଡ୍ୟାମ୍‌ରେ ୯୦ ପ୍ରତିଶତରୁ ଅଧିକ ପାଣି ରହିଛି। ଧନେଇ ଡ୍ୟାମ୍‌ରେ କ୍ଷମତାର ଶତପ୍ରତିଶତ ପାଣି ଭର୍ତ୍ତି ହୋଇ ସାରିଲାଣି। କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବାରୁ ଏହାର ପ୍ରଭାବରେ ଋଷିକୁଲ୍ୟା ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି।

publive-image

କନ୍ଧମାଳ ଜିଲ୍ଲାରେ ଶୁକ୍ରବାର ରାତିରୁ ବର୍ଷା ଜାରି ରହିଛି। ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ବହୁ ଗ୍ରାମ ଏବେ ଜଳବନ୍ଦି। ସାଲୁଙ୍କି, ପଦ୍ମା, ଖଡ଼୍‌ଗ ନଦୀ ସମେତ ସମସ୍ତ ନଦୀନାଳ ଉଛୁଳି ଗାଁ ଓ ସ୍କୁଲ ଭିତରେ ପାଣି ପଶିଛି। ବହୁ ପୋଲ, କଲଭର୍ଟ ଧୋଇଯାଇଛି। ଅନେକ କଚ୍ଚା ଘର ଭୁଶୁଡ଼ି ପଡ଼ିଛି। ପ୍ରଶାସନ, ଓଡ୍ରାଫ୍‌ ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଘୁ.ଉଦୟଗିରି ବ୍ଲକ୍‌ରେ ଦେରିଜଡ଼ି ନଦୀରେ ପ୍ରଖର ସ୍ରୋତରେ ବନ୍ୟାପାଣି ପ୍ରବାହିତ ହେଉଛି। ରାସ୍ତାରେ ଅଣ୍ଟାଏ ଉଚ୍ଚରେ ପାଣି ଚାଲୁଥିବା ବେଳେ ପୋଲ ନଥିବାରୁ ଗ୍ରାମବାସୀଙ୍କ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ତୁମୁଡ଼ିବନ୍ଧ ବ୍ଲକ୍‌ ମାତୃଗାଁ-ବେଲଘର ଘାଟିର ଉଷାବାଲି ନିକଟରେ ଭୂସ୍ଖଳନ ଯୋଗୁଁ ତୁମୁଡ଼ିବନ୍ଧ-ଜଲେଶପଟ୍ଟାରୁ ସିର୍ଲା ମୁଖ୍ୟମନ୍ତ୍ରୀ ସଡ଼କ ରାସ୍ତାର ସରଧାପୁର ନିକଟରେ ଗାର୍ଡୱାଲ୍‌ ଧୋଇ ହୋଇ ରାସ୍ତା ବିଚ୍ଛିନ୍ନ ହୋଇଛି। ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତାରୁ ମାଟିପଥର ହଟାଯାଇ ଯାନବାହନ ଚଳାଚଳ ସ୍ବାଭାବିକ କରାଯାଇଛି।

ଏପଟେ ହୀରାକୁଦର ଜଳପତ୍ତନ ୬୨୦.୪୩ଫୁଟ ଅଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ଲକ୍ଷ ୯୬ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ୪ଟି ଗେଟ୍ ଦେଇ ୧ଲକ୍ଷ ୨ହଜାର ୬୮୫ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଖଇରମାଳରୁ ଆରମ୍ଭ କରି ମୁଣ୍ଡଳି ପର୍ଯ୍ୟନ୍ତ ସବୁ ସ୍ଥାନରେ ଜଳ ପ୍ରବାହ ହ୍ରାସ ପାଇଥିବାରୁ ହୀରାକୁଦର ସବୁ ଗେଟ୍‌ ବନ୍ଦ କରିବା ନେଇ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା କହିଛନ୍ତି।

publive-image

ବନ୍ୟା ଜନିତ କ୍ଷୟକ୍ଷତି ସଂପର୍କରେ ସରକାରୀ ରିପୋର୍ଟକୁ ଆଧାର କରି ଶ୍ରୀ ଜେନା କହିଛନ୍ତି ଯେ ଚଳିତ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୧୩ଟି ଜିଲ୍ଲାର ୭୩ଟି ବ୍ଲକ, ୬୦୭ଟି ଗ୍ରାମ ପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ୨୨୩୨ଟି ଗ୍ରାମ ପ୍ରଭାବିତ ହୋଇଛି। ରାଜ୍ୟରେ ୭୬୩ଟି ଗ୍ରାମ ଜଳ ଘେରରେ ରହିଥିବାବେଳେ ୪ଲକ୍ଷ ୭୨ହଜାର ଲୋକ ଜଳବନ୍ଦି ଅବସ୍ଥାରେ ଅଛନ୍ତି। ପ୍ରାୟ ୭ଲକ୍ଷ ୧୩ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଏହିସବୁ ଅଞ୍ଚଳରେ ୨୪୮ଟି ରିଲିଫ କେନ୍ଦ୍ରରେ ୧ଲକ୍ଷ ୪ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଯାଉଛି। ବନ୍ୟାରେ ୧୮୬୬ଟି ଘର କ୍ଷତିଗ୍ରସ୍ତ ହୋଇଥିବାବେଳେ ଲଗାଣ ବର୍ଷାରେ ୩୯୧୬ଟି ଘର ଭାଙ୍ଗିଛି। ଲଗାଣ ବର୍ଷାରେ ୮ଟି ଜିଲ୍ଲାର ୫୨ଟି ବ୍ଲକ ଅନ୍ତର୍ଗତ ୨୬୩ଟି ଗ୍ରାମପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଥିରେ ୫୨୪ଟି ଗ୍ରାମର ୨୬,୯୮୨ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ଏହି ଅଞ୍ଚଳରେ ୧୪ଟି ରିଲିଫ କେନ୍ଦ୍ରରେ ୨ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଯାଉଛି।

ଉଲ୍ଲେଖଥାଉକି, ଶୁକ୍ରବାର ସଂଧ୍ୟାରେ ପଶ୍ଚିମବଙ୍ଗର ଦୀଘା ନିକଟରେ ଗଭୀର ଅବପାତ ସ୍ଥଳଭାଗ ଛୁଇଁବା ପରେ ଉତ୍ତର ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଯାଇଛି। ଗତକାଲି(ଶୁକ୍ରବାର) ସକାଳ ସାଢ଼େ ୮ଟାରୁ ଆଜି(ଶନିବାର) ସକାଳ ୮ଟା ସୁଦ୍ଧା ରାଜ୍ୟର ସର୍ବାଧିକ ବର୍ଷା ଫୁଲବାଣୀଠାରେ ୧୬୮.୨ ମିମି ରେକର୍ଡ ହୋଇଛି। ସେହିଭଳି ବାଲେଶ୍ବର ସହରରେ ୧୪୬.୮ ମିମି, ବୌଦ୍ଧ‌ରେ ୧୩୬.୫ ମିମି, ବାରିପଦାରେ ୧୧୧.୪ ମିମି, ତାଳଚେରରେ ୯୭ ମିମି ଓ ଦେବଗଡ଼ରେ ୭୭.୮ ମିମି ଲେଖାଏଁ ବର୍ଷା ରେକର୍ଡ ହୋଇଛି। ଆଜି ମଧ୍ୟ ରାଜ୍ୟର କିଛି କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଯାଇଛି। ତେବେ ଆଜିଠାରୁ ରାଜ୍ୟରେ ପାଗର ପରିବର୍ତ୍ତନ ଘଟିବ ଓ ପାଗ ଖରାଟିଆ ରହିବ ବୋଲି ପାଣିପାଗ ବିଭାଗ ଆଶ୍ବସ୍ତ କରିଛି।

publive-image

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଗଭୀର ଅବପାତଟି ଦକ୍ଷିଣ ଝାଡ଼ଖଣ୍ଡ, ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପରେ ରହିଥିବା ବେଳେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଶନିବାର ସକାଳ ସାଢ଼େ ୮ଟା ସୁଦ୍ଧା ଦକ୍ଷିଣ ଝାଡ଼ଖଣ୍ଡ ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ରହିଥିଲା। ଏହାପୁଣି ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ଗତି କରି ଜାମ୍‌ସେଦ୍‌ପୁର(ଝାଡ଼ଖଣ୍ଡ) ଓ ଓଡ଼ିଶାର ଝାରସୁଗୁଡ଼ାର ପୂର୍ବ-ଉତ୍ତରପୂର୍ବ ଦିଗରେ ୧୭୦ କିମି ଦୂରତାରେ ରହିଥିଲା। ଏହାର ପ୍ରଭାବରେ ଶନିବାର ଦିନ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ନୂଆପଡ଼ା, ସମ୍ବଲପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ ବରଗଡ଼ ଆଦି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇଯାଇଛି। ଏଥିସହ ମୟୂରଭଞ୍ଜ, ଅନୁଗୁଳ, କୋରାପୁଟ, ରାୟଗଡ଼ା‌ ଓ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଆଜି ବର୍ଷା ହୋଇଥିଲା।

ତେବେ ରାଜ୍ୟରେ ଆସନ୍ତ‌ା ୨ ଦିନ ପାଗ ଶୁଖିଲା ଓ ଖରାଟିଆ ରହିବ। କାଁ ଭାଁ କିଛି କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଏହାପରେ ୨୩ ତାରିଖରୁ ପୁଣି ବର୍ଷା ସାମାନ୍ୟ ବଢ଼ିପା‌ରେ। ଅନ୍ୟପଟେ ରାଜ୍ୟରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ ରହିଛି।