ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ବନାଞ୍ଚଳରେ ମହାବଳ ବାଘର ଆତଙ୍କ ଦେଖିବାକୁ ମିଳିଛି। ଅଞ୍ଚଳରେ ବାଘ ବୁଲୁଥିବା ଜାଣିବା ପରେ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଗତ କିଛି ଦିନ ତଳେ ଗଜପତି ଜିଲ୍ଲା ତ ଆଉ କେତେବେଳେ କନ୍ଧମାଳ ଜିଲ୍ଲାରେ ବାଘର ଆତଙ୍କ ଦେଖିବାକୁ ମିଳିଥିଲା। ଗତ ୨୮ ତାରିଖରେ ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଲିକିଟିପଦର ପଞ୍ଚାୟତର ମିଳିକାପାଙ୍ଗା ଜଙ୍ଗଲ ଅଞ୍ଚଳରେ ମହାବଳ ବାଘର ପାଦଚିହ୍ନ ଦେଖିବାକୁ ମିଳିଥିଲା। ଏହା ଜାଣିବା ପରେ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଥିଲା। ତେବେ ଗତକାଲିଠାରୁ ମୁନିଗୁଡ଼ା ବ୍ଲକର ତେଲେଙ୍ଗାପଦରରେ ବାଘର ଗତିବିଧି ବିଷୟରେ ଖବର ଶୁଣିବାକୁ ମିଳିଥିବା ବେଳେ ଆଜି ଶିବପଦର ପଞ୍ଚାୟତର ବନ୍ଧଗୁଡ଼ା ଜଙ୍ଗଲ ଓ ମୁନିଗୁଡ଼ା-ଅମ୍ବାଦଳା ରାସ୍ତାର ଜଙ୍ଗଲ ମଧ୍ୟରେ ବାଘର ପଦଚିହ୍ନ ଦେଖିବାକୁ ମିଳିଛି।

Advertisment

ଏପରିକି ବାଘ ଏକ ମଇଁଷି ଛୁଆକୁ ମାରିଥିବା ଖବର ବନ କର୍ମଚାରୀଙ୍କଠାରୁ ଖବର ହସ୍ତଗତ ହୋଇଛି। ବାଘର ପାଦଚିହ୍ନକୁ ନିରୀକ୍ଷଣ କଲେ ଏହା ମହାବଳ ବାଘ ବୋଲି ବନ ବିଭାଗ ପକ୍ଷରୁ ସନ୍ଦେହ କରାଯାଉଛି। ଏହି ବାଘ ଖାଦ୍ୟ ଅନ୍ୱେଷଣରେ ଏଣେତେଣେ ଘୂରି ବୁଲୁଥିବାର ଅନୁମାନ କରାଯାଉଛି। ଆଜି ବନ ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ତଥା ମୁନିଗୁଡ଼ା ବନାଞ୍ଚଳ ଅଧିକାରୀ ଅନୀଲ କୁମାର ବାଲାଙ୍କ ନେତୃତ୍ବରେ ବନପାଳ ପ୍ରମୋଦିନୀ ମାଣ୍ଡିଙ୍ଗି, ବନରକ୍ଷୀ ରୋନିତ କୁମାର ମହାରଣା, ସୁରେଶ ପାତ୍ର, ସୋନାଲି ସ୍ୱାଇଁଙ୍କ ସହିତ ବନ ସୁରକ୍ଷା ସମିତିର କାର୍ଯ୍ୟକର୍ତ୍ତା ବାଘର ଗତିବିଧି ସମ୍ପର୍କରେ ତନଖି କରିବା ସହ ଲୋକମାନଙ୍କୁ ସଚେତନ ଏବଂ ସୁରକ୍ଷା ଯୋଗାଇ ଦେବା ପାଇଁ ବନ୍ଧଗୁଡ଼ା ବନାଞ୍ଚଳରେ ଜଗି ରହିଛନ୍ତି। ଅନ୍ୟପଟେ ବାଘକୁ ନେଇ ସାଧାରଣରେ ଭୟର ବାତାବରଣ ଖେଳିଯାଇଛି। ତୁରନ୍ତ ବାଘକୁ ଆୟତ୍ତ କରିବା ନଚେତ୍ ସୁରକ୍ଷିତ ଅଞ୍ଚଳରେ ଛାଡ଼ିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ନଚେତ୍ ଏହି ରକ୍ତମୁଖା ବାଘ ଅନେକ ମଣିଷ ଓ ପଶୁଙ୍କ ଜୀବନ ନେଇପାରେ ବୋଲି ଲୋକେ କହିଛନ୍ତି। ଏ ସମ୍ପର୍କରେ ରେଞ୍ଜର ଅନୀଲ କୁମାର ବାଲାଙ୍କୁ ପଚାରିବାରୁ ମହାବଳ ବାଘର ଗତିବିଧି ଉପରେ ତୀକ୍ଷ୍ମଣ ନଜର ରଖାଯାଥିବା କହିଛନ୍ତି।