ପ୍ରତାପୁର : ମାନବ ସେବା ହିଁ ମାଧବ ସେବା। ଏହି ଉକ୍ତିକୁ ଠିକ୍ ଭାବେ ବୁଝିପାରିଛନ୍ତି ଶିକ୍ଷୟିତ୍ରୀ ସଚଳା ନାୟକ। ବର୍ଷକୁ ଥରେ ଗୋଟିଏ ମାସର ଦରମା ସେ ଅସହାୟଙ୍କ ଉଦ୍ଦେଶ୍ୟରେ ଦାନ କରୁଛନ୍ତି। ଆଉ ତାଙ୍କର ଏହି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Advertisment

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ବେଙ୍ଗସର ଗ୍ରାମର ସନାତନ ନାୟକଙ୍କ ପତ୍ନୀ ସଚଳା। ସେ ବର୍ତ୍ତମାନ କୁଡ଼ୁତାଇ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ। ନିଜ ଗୋଟିଏ ମାସର ଦରମାରେ ଶୀତବସ୍ତ୍ର କିଣି କୁଡ଼ୁତାଇ, ବେଙ୍ଗସର, ଚଞ୍ଚରାପଲ୍ଲୀ, ଘାଟିପଲ୍ଲୀ ଓ ଖାଲିଆ ଗ୍ରାମର ଅସହାୟଙ୍କୁ ବଣ୍ଟନ କରିଛନ୍ତି।

ସଚଳା କହିଛନ୍ତି, ସେ ପ୍ରତିବର୍ଷ ଏଭଳି ଗୋଟିଏ ମାସର ଦରମା ଅସହାୟଙ୍କ ଉଦ୍ଦେଶ୍ୟରେ ଦାନ କରୁଥିବା ବେଳେ ତାଙ୍କର ଏହି ଚିନ୍ତାଧାରାକୁ ସ୍ବାମୀ ବି ସମର୍ଥନ କରୁଛନ୍ତି। ଗତବର୍ଷ କୋଭିଡ୍ ମହାମାରୀର ପ୍ରାଦୁର୍ଭାବ ବେଳେ ସେ ଦୁଇମାସର ଦରମା ୫୧ହଜାର ଟଙ୍କା ପିଏମ୍‌ କେୟାର୍ ଫଣ୍ଡ୍‌କୁ ଦାନ କରିଥିଲେ।

ପିଲାଟି ଦିନରୁ ହିଁ ଅନ୍ୟକୁ ସାହାଯ୍ୟ କରିବା ମନୋଭାବ ସଚଳାଙ୍କ ମନରେ ରହିଥିବା ତାଙ୍କ ପରିବାରବର୍ଗ କହିଛନ୍ତି। ସଚଳା ବର୍ତ୍ତମାନ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଥିବା ବେଳେ ସହକର୍ମୀମାନେ ବି ତାଙ୍କ ପାଇଁ ଗର୍ବିତ ବୋଲି ପ୍ରକାଶ କରିଛନ୍ତି।