ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ଫଟୋ ଦେଖାଇ ପୁରୀ, ଯାଜପୁର, ଭଦ୍ରକ, ଖୋର୍ଧା, ନୟାଗଡ଼ ଆଦି ଜିଲ୍ଲାରେ କେତେକ ଅଣ ସବୁଜ ପତ୍ରିକାଧାରୀ ବେଆଇନ୍ ଭାବେ ଟଙ୍କା ଆଦାୟ କରୁଛନ୍ତି। ସେମାନେ ଟୋକନ୍ ଦେଖାଇ ତାକୁ ଗ୍ରହଣ କରିବାକୁ ବାଧ୍ୟ କରୁଛନ୍ତି। ଟୋକନ୍ ଗ୍ରହଣ ନକଲେ ସରକାରୀ ସାହାଯ୍ୟ ମିଳିବ ନାହିଁ ବୋଲି କହି ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି। ସେମାନେ ଟୋକନ୍ ବାବଦକୁ ୯୦୦ ଟଙ୍କା ଏବଂ ଗ୍ରୀନ୍ କାର୍ଡ ନବୀକରଣ କରିବାକୁ ୫୫୦ ଟଙ୍କା ଲୁଟୁଛନ୍ତି ବୋଲି ଆଜି ସ୍ଥାନୀୟ ନେହେରୁ ଯୁବକେନ୍ଦ୍ରଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ସବୁଜ ପତ୍ରିକାଧାରୀ ମହିଳା ମହାସଂଘର ସଭାନେତ୍ରୀ ବାସନ୍ତୀ କାଠ ଅଭିଯୋଗ କରିଛନ୍ତି। ଏପରି ଦଲାଲଙ୍କ କଥାରେ ନପଡ଼ିବାକୁ ଶ୍ରୀମତୀ କାଠ ସବୁଜପତ୍ରିକାଧାରୀ ମା’ମାନଙ୍କୁ ଅନୁରୋଧ କରିଛନ୍ତି। ଯଦି କିଏ ଏ ବାବଦରେ ଟଙ୍କା ଦେଇଥାନ୍ତି ତେବେ ଏଥିପାଇଁ ମହାସଂଘର କର୍ମକର୍ତା ଦାୟୀ ରହିବେ ନାହିଁ ବୋଲି ମହାସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଂପାଦିକା ରଶ୍ମିତା ପ୍ରଧାନ, କୋଷାଧ୍ୟକ୍ଷ ନମିତା ଦାସ, ପୁରୀ ଜିଲ୍ଲା ସଭାନେତ୍ରୀ ଅଞ୍ଜଳି ନାୟକ, ନୟାଗଡ଼ ସଭାନେତ୍ରୀ ଲିଲି ଖଣ୍ଡୁଆଳ, କଟକ ଜିଲ୍ଲା ସଭାନେତ୍ରୀ ରମାଦେବୀ ସାହୁ, ଭଦ୍ରକ ଜିଲ୍ଲା ସଭାନେତ୍ରୀ ସସ୍ମିତା ଲେଙ୍କା, ଯାଜପୁର ଜିଲ୍ଲା ସଭାନେତ୍ରୀ ଅଂଜନା ସାମଲଙ୍କ ସମେତ ଅନ୍ୟ ଜିଲ୍ଲାର ସଭାନେତ୍ରୀମାନେ ଉପସ୍ଥିତ ଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp