କଣିହାଁ: ଦିନକୁ ଦିନ ଅନୁଗୁଳ ଜିଲ୍ଲାର ପରିବେଶ ନଷ୍ଟ ହେବାରେ ଲାଗିଛି। ତାଳଚେର ପରେ କଣିହାଁ ଓ ଛେଣ୍ଡିପଦା ଅଞ୍ଚଳରେ ଥିବା ବଡ଼ବଡ଼ ଜଙ୍ଗଲ ବଳି ପଡ଼ିବାକୁ ଯାଉଛି। ଖଣିମୁହଁରେ ସବୁଜିମା ସମାଧି ନେଉଛି। ଏପଟେ କିନ୍ତୁ ସେହି ପରିମାଣରେ ଜଙ୍ଗଲ ସୃଷ୍ଟି କରିବା ନେଇ କିଛି ଯୋଜନା ହୋଇଥିବା ମନେ ହେଉନି।
ମିଳିଥିବା ସୂଚନା ଅନୁଯାୟୀ କଣିହାଁ ବ୍ଲକ୍ ଅଞ୍ଚଳରେ ଏକର ଏକର ଜଙ୍ଗଲ ନଷ୍ଟ ହେବ ବୋଲି ଆକଳନ କରାଯାଇଛି। ଏଠାରେ ଏକାଧିକ କମ୍ପାନିକୁ କୋଇଲା ବ୍ଲକ୍ ଆବଣ୍ଟନ କରାଯାଇଛି। ଫଳରେ ପରିବେଶ ସମ୍ପୂର୍ଣ୍ଣ ପ୍ରଦୂଷିତ ହେବ। କଣିହାଁ ବ୍ଲକର ଜନସାଧାରଣ ଏହାଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କ୍ଷତିଗ୍ରସ୍ତ ହେବେ। ଅନ୍ୟପକ୍ଷରେ ଯେଉଁ ପରିମାଣରେ ଜଙ୍ଗଲ ନଷ୍ଟ ହେବ, ସେହି ପରିମାଣରେ ଜଙ୍ଗଲ ସୃଷ୍ଟି କରିବାକୁ କଣିହାଁ ବ୍ଲକ୍ରେ ସରକାରୀ ଜମିର ଅଭାବ ରହିଛି। ଫଳରେ କଣିହାଁ ଅଞ୍ଚଳରେ ଆଉ ନୂତନ ଜଙ୍ଗଲ ସୃଷ୍ଟି ସମ୍ଭବ ନୁହେଁ ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି।
ନୂଆ ଜଙ୍ଗଲ ସୃଷ୍ଟି କରିବାକୁ ନାହିଁ ଯୋଜନା
ଅନୁଗୁଳର ପ୍ରଦୂଷଣ ରୋକିବ କିଏ ?
ଏହିସବୁ ଖଣି ଖାଦାନ ଦ୍ୱାରା କଣିହାଁ ବ୍ଲକର ୮୦ରୁ ଅଧିକ ଗାଁ କ୍ଷତିଗ୍ରସ୍ତ ହେବ। ଲୋକମାନେ ଅନ୍ୟତ୍ର ବିସ୍ଥାପିତ ହେବେ। ବିସ୍ଥାପିତ ଅଞ୍ଚଳରେ ନୂତନ ଜଙ୍ଗଲ ସୃଷ୍ଟି କରିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି। କିନ୍ତୁ ଏହାକୁ କମ୍ପାନି କର୍ତ୍ତୃପକ୍ଷ ମାନୁ ନାହାନ୍ତି କି ନୂତନ ଜଙ୍ଗଲ ସୃଷ୍ଟି କରିବାକୁ ଆଗ୍ରହ ପ୍ରକାଶ କରୁ ନଥିବା ଅଭିଯୋଗ ହେଉଛି। ବର୍ତ୍ତମାନ କଣିହାଁ ବ୍ଲକରେ କୋଇଲା ଖନନ କାର୍ଯ୍ୟ ଆରମ୍ଭ ହୋଇଛି। କୋଇଲା ଖଣି ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ଜରଡ଼ା ଗାଁ ଅଧୀନରେ ଥିବା ୪୮ ହେକ୍ଟର ସଂରକ୍ଷିତ ଜଙ୍ଗଲ ଜମି ଅଧିଗ୍ରହଣ କରାଯାଇଛି। ଏହି ସଂରକ୍ଷିତ ଜଙ୍ଗଲ ଉପରେ ଗ୍ରାମବାସୀ ଓ ଗୃହପାଳିତ ପ୍ରାଣୀ ନିର୍ଭର କରନ୍ତି। ବନ ବିଭାଗ ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ବନ ସୁରକ୍ଷା ସମିତି ଗଠନ କରି ଜଙ୍ଗଲର ସୁରକ୍ଷା, ରକ୍ଷଣାବେକ୍ଷଣ କରନ୍ତି। ସେହିପରି ପଥରମୁଣ୍ଡା ଗ୍ରାମବାସୀଙ୍କ ଦ୍ବାରା ସଂରକ୍ଷିତ ଏକ ଜଙ୍ଗଲକୁ ଖଣି କର୍ତ୍ତୃପକ୍ଷ ଅଧିଗ୍ରହଣ କରିଛନ୍ତି। ଏହି ଜଙ୍ଗଲ ମଧ୍ୟ ଖଣିମୁହଁରେ ନିଶ୍ଚିହ୍ନ ହୋଇଯିବ।
ଗୋପାଳଜୀ କୋଇଲା ଖଣି ଦ୍ୱାରା କଣିହାଁ ବ୍ଲକର କଂସମୁଣ୍ଡା ଗାଁ ନିକଟରେ ଥିବା ୨୭ ହେକ୍ଟର ଗୋହିରାଦଣ୍ଡା ସଂରକ୍ଷିତ ଜଙ୍ଗଲ ବଳି ପଡ଼ିବ ବୋଲି ଜଣାପଡ଼ିଛି। କଂସମୁଣ୍ଡା ଗ୍ରାମବାସୀ ବନ ସୁରକ୍ଷା ସମିତି (ଭିଏସ୍ଏସ୍) ଗଠନ କରି ଏହି ଜଙ୍ଗଲର ରକ୍ଷଣାବେକ୍ଷଣ କରିବା ସହ ନିକଟରେ ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ବୃକ୍ଷରୋପଣ କରିଛନ୍ତି। ସେହିପରି କଣିହାଁ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ୨୫ ହେକ୍ଟର ପିତାଲରଗୁଡ଼ି ଜଙ୍ଗଲ ମଧ୍ୟ ଖଣି ଦ୍ୱାରା ନଷ୍ଟ ହେବାକୁ ଯାଉଛି। ଏହାଦ୍ବାରା ଜଙ୍ଗଲରୁ ଔଷଧୀୟ ବୃକ୍ଷ ଲୋପ ପାଇବ। ଜଙ୍ଗଲରୁ ଶାଳପତ୍ର, ଟୁଲ, ମହୁଲ ସଂଗ୍ରହ ସ୍ବପ୍ନ ହୋଇଯିବ। ପରିବେଶର ସନ୍ତୁଳନ ବିଗିଡ଼ିଯିବ ଏବଂ ବନ୍ୟପ୍ରାଣୀମାନେ ସେମାନଙ୍କର ବାସସ୍ଥାନ ହରାଇବେ। ତେଣୁ ଜଙ୍ଗଲ ନଷ୍ଟ କରିବା ପୂର୍ବରୁ ଖଣି ନିକଟସ୍ଥ ଅଞ୍ଚଳରେ ଜଙ୍ଗଲ ସୃଷ୍ଟି କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି।