ଅନୁଗୁଳ : ଗ୍ରିନ୍ ମହାନଦୀ ମିସନ୍‌ ଫେଲ୍, ୨ ବର୍ଷ ପରେ ବି ମିଳିଲାନି ଟଙ୍କା

ଅନୁଗୁଳ : ରାଜ୍ୟ ସରକାରଙ୍କ ମହତ୍ତ୍ବାକାଂକ୍ଷୀ ‘ଗ୍ରିନ୍‌ ମହାନଦୀ ମିସନ’ ଅନୁଗୁଳ ଜିଲ୍ଲାରେ ଫେଲ୍ ମାରିଛି। ୨୦୧୮-୧୯ ଆର୍ଥିକ ବର୍ଷରେ ବୃକ୍ଷରୋପଣ ଓ ଚାରା ବଣ୍ଟନ କାର୍ଯ୍ୟ ବାବଦରେ ଖର୍ଚ୍ଚ ହୋଇଥିବା ଅର୍ଥ ଏପର୍ଯ୍ୟନ୍ତ ମିଳିପାରିନାହିଁ। ପାଲଟା ବନ କର୍ମଚାରୀଙ୍କୁ ନିଜ ହାତରୁ ପାରିଶ୍ରମିକ ଦେବାକୁ ପଡ଼ିଛି। ଏଭଳି ସ୍ଥିତିରେ ‌ଏହି ପ୍ରକଳ୍ପର କାମ କରିବାକୁ ଆଉ ସାହସ କରିପାରୁ ନଥିବା ଜଣାପଡ଼ିଛି।

naturetalkies.com

ରାଜ୍ୟ ସରକାର ମହାନଦୀର ଉଭୟ ପାର୍ଶ୍ବରେ ୨ କିଲୋମିଟର ବ୍ୟାପୀ ଅଂଚଳରେ ବୃକ୍ଷରୋପଣର ଲକ୍ଷ୍ୟ ନେଇ ୨୦୧୮ ମସିହାରେ ଆରମ୍ଭ କରିଛନ୍ତି ‘ଗ୍ରିନ ମହାନଦୀ ମିସନ’। ଏହି ଯୋଜନାରେ ଉଭୟ ସରକାରୀ ଓ ଘରୋଇ ଜମିରେ ବି ଗଛ ଲଗ‌ାଇବାର ବ୍ୟବସ୍ଥା ରହିଛି। ଯୋଜନାର ସଫଳ ରୂପାୟନ ପାଇଁ ଜନ ସହଯୋଗ ଉପରେ ଗୁରୁତ୍ବ ଦେବାକୁ କୁହାଯାଇଛି। ମାତ୍ର କେତେକ ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ଯୋଗୁଁ ଅନୁଗୁଳ ଜିଲ୍ଲାରେ ଏହି ଯୋଜନାରେ ସେତେଟା ସଫଳତା ମିଳିପାରିନାହିଁ। ଅନୁଗୁଳ ଜିଲ୍ଲାର ମୁଖ୍ୟତଃ ସାତକୋଶିଆ ବନଖଣ୍ଡ ଓ ଆଠମଲ୍ଲିକ ବନଖଣ୍ଡ ଅଂଚଳ ଦେଇ ମହାନଦୀ ପ୍ରବାହିତ ହୋଇଛି। ମହାନଦୀର ଉଭୟ ପାର୍ଶ୍ବରେ ବୃକ୍ଷରୋପଣ ନେଇ ଜମି ନମିଳିବା ଓ ଜନ ସମର୍ଥନ ନମିଳିବା ଏକ ବଡ଼ ସମସ୍ୟା ରୂପେ ଉଭା ହୋଇଛି। ତଥାପି ଆଠମଲ୍ଲିକ ବନଖଣ୍ଡ ପକ୍ଷରୁ ଗ୍ରିନ ମହାନଦୀ ମିସନରେ ଚଳିତ ବର୍ଷ ୧୦ ହେକ୍ଟର ଜମିରେ ବୃକ୍ଷରୋପଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ସଂରକ୍ଷିତ ଜଂଗଲ ଭିତରେ ଗଛ ଲଗାଯାଇପାରିବ ନାହିଁ। ତେଣୁ ସାତକୋଶିଆ ବନଖଣ୍ଡର କେବଳ ଜିଲିଣ୍ଡା ରେଂଜ ଅଂଚଳରେ ମହାନଦୀ ପାର୍ଶ୍ବରେ ଗଛ ଲଗାଯିବା ପାଇଁ ୨୦୧୮-୧୯ ଆର୍ଥିକ ବର୍ଷରେ ପଦକ୍ଷେପ ନିଆଯାଇଥିଲା। ଜିଲିଣ୍ଡା ରେଂଜ୍‌ର ଅଧା ଅଂଚଳ କଟକ ଜିଲ୍ଲା ଏବଂ ବାକି ଅଧା ଅଂଚଳ ଅନୁଗୁଳ ଜିଲ୍ଲାରେ ରହିଛି। କଟକ ଡିଆରଡିଏ ପକ୍ଷରୁ ଗ୍ରିନ୍‌ ମହାନଦୀ ମିସନରେ ଗଛ ଲଗାଇବାକୁ ଜିଲିଣ୍ଡା ରେଂଜକୁ ଦାୟିତ୍ବ ଦିଆଯାଇଥିଲା। ସାନଗାଁଠାରୁ ବାଲିପୁଟ ମଧ୍ୟ‌ରେ ରାସ୍ତାର ଉଭୟ ପାର୍ଶ୍ବରେ ୨୫ଶହ ଗଛ ଲଗାଯାଇଥିଲା। ଏଥିସହିତ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ୪୦ ହଜାର ଚାରା ବଣ୍ଟାଯାଇଥିଲା। ଏଥିପାଇଁ ୮ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ମାତ୍ର ଏଥିରୁ ଏବେସୁଦ୍ଧା ପ୍ରାୟ ୯୦ ହଜାର ଟଙ୍କା ମିଳିଛି। ବୈଷୟିକ ସମସ୍ୟା ଥିବା ଦର୍ଶାଇ ଏପର୍ଯ୍ୟନ୍ତ ବାକି ଟଙ୍କା ଦିଆଯାଇନାହିଁ ବୋଲି ଜିଲିଣ୍ଡା ରେଂଜ ଅଧିକାରୀ ହରିଶ୍ଚନ୍ଦ୍ର ପ୍ରଧାନ କହିଛନ୍ତି। ତେବେ ପାରିଶ୍ରମିକ ପାଇଁ ଶ୍ରମିକମାନେ ବାରଂବାର ତାଙ୍କ ନିକଟକୁ ଦୌଡ଼ିବାରୁ ଧାରକରଜ କରି ସେମାନଙ୍କୁ ଟଙ୍କା ଦେଇଥିବା ଶ୍ରୀ ପ୍ରଧାନ କ୍ଷୋଭର ସହିତ କହିଛନ୍ତି।

ଅପରପକ୍ଷରେ, ଅର୍ଥ ନମିଳିବାରୁ ସାନଗାଁଠାରୁ ବାଲିପୁଟ ମଧ୍ୟରେ ୧୦ କିଲୋମିଟର ଜାଗାରେ ଲଗାଯାଇଥିବା ଗଛଗୁଡ଼ିକର ଉପଯୁକ୍ତ ଯତ୍ନ ନିଆଯାଇ ପାରିନାହିଁ। ‌ତଥାପି ପାଖାପାଖି ୫୦ ପ୍ରତିଶତ ଗଛ ବଞ୍ଚିଛି ବୋଲି ସେ କହିଛନ୍ତି। ଅର୍ଥ ପ୍ରଦାନରେ ସମସ୍ୟା ଯୋଗୁଁ ୨୦୧୯-୨୦ ଏବଂ ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପରେ ଆଉ ଗଛ ଲଗାଯାଇ ନାହିଁ । ମହାନଦୀ ତଟରେ ପୁଣି ଜାଗା ସମସ୍ୟା ରହିଛି। ଲୋକମାନଙ୍କଠାରୁ ସମର୍ଥନ ବି ମିଳୁନାହିଁ ବୋଲି ‌ସେ ପ୍ରକାଶ କରିଛନ୍ତି। ତେବେ କାମ୍ପା, ଏମ୍‌ଜିଏନ୍ଆରଇଜିଏସ୍, ଓଇଏମ୍‌ପି ଆଦି ଯୋଜନାରେ ଅନ୍ୟ ଅଂଚଳରେ ଏବେ ବୃକ୍ଷରୋପଣ କରାଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର