ସମ୍ବଲପୁର ଜିଲ୍ଲାରେ ସବୁଜ ମହାନଦୀ ମିସନ୍‌ ବାଟବଣା

ବହୁ ଆଡ଼ମ୍ବରରେ ଲଘୁକ୍ରିୟା

ସମ୍ବଲପୁର : ୨୦୧୮ରେ ରାଜ୍ୟସ୍ତରରେ ମହାନଦୀକୂଳିଆ ଜିଲ୍ଲାଗୁଡ଼ିକରେ ଆରମ୍ଭ ହୋଇଥିବା ଗ୍ରିନ୍‌ ମହାନଦୀ ମିସନ୍‌ ସମ୍ବଲପୁର ଜିଲ୍ଲାରେ ଶୋଚନୀୟ ଭାବେ ବିଫଳ ହୋଇଛି। ଏହି ମିସନକୁ ଇତିମଧ୍ୟରେ ଦୁଇ ବର୍ଷ ପୂରିଛି। ହେଲେ ନା ମହାନଦୀ ଉପତ୍ୟକା ସବୁଜ ହୋଇଛି ନା ମିସନ ସଫଳ ହୋଇଛି। ପ୍ରତି ବର୍ଷ ସମ୍ବଲପୁର ଜିଲ୍ଲାର ପରିସୀମା ମଧ୍ୟରେ ମହାନଦୀ କୂଳେକୂଳେ ୫ ଲକ୍ଷ ଲେଖାଏଁ ଚାରା ରୋପଣ ପାଇଁ ଜିଲ୍ଲା ବନ ଲକ୍ଷ୍ୟ ସ୍ଥିର କରିଥିଲା। ପ୍ରଥମ ବର୍ଷରେ ବହୁ ଆଡ଼ମ୍ବରରେ ଲଘୁକ୍ରିୟା ଭଳି ଏହି ମେଗା ବୃକ୍ଷରୋପଣ ଅଭିଯାନରେ ଚାରା ରୋପଣ ବ୍ୟତୀତ ଆହୁରି ଅନେକ କିଛି କାର୍ଯ୍ୟକ୍ରମ ହାତକୁ ନିଆ ଯାଇଥିଲା। ହେଲେ ସବୁ ହେ‌ଲା, କିନ୍ତୁ ଗଛ ବଞ୍ଚିଲା ନାହିଁ। ପ୍ରଥମ ବର୍ଷ ଯେତିକି ଚାରା ରୋପଣ ପାଇଁ ବନ ବିଭାଗ ପକ୍ଷରୁ ଦାବି କରା ଯାଇଥିଲା ତହିଁରୁ ପ୍ରାୟ ୬୦% ଲକ୍ଷ୍ୟ ବି ପୂରଣ ହୋଇପାରି ନଥିବା ଜଣାପଡ଼ିଛି।

ସମ୍ବଲପୁର ଜିଲ୍ଲାରେ ପ୍ରାୟ ୨ ଲକ୍ଷ ୮୦ ହଜାର ବୃକ୍ଷରୋପଣ କରା ଯାଇଥିବା ବନ ବିଭାଗ ପକ୍ଷରୁ କହାଯାଇଛି। ତେବେ ତନ୍ମଧ୍ୟରୁ ଆଜିର ତାରିଖରେ ୨୦% ଗଛ ବଞ୍ଚିଥିବା ନେଇ ସଂଦେହ ରହିଛି। ଅର୍ଥାତ ସରକାରୀ ଅନୁଦାନରେ ୫ ଲକ୍ଷ ଚାରା ଲଗାଇ ମହାନଦୀ ଦୁଇ କୂଳରେ ଜଙ୍ଗଲ ସୃଷ୍ଟି କରିବା ଦାୟିତ୍ବ ନେଇଥିବା ବନ ବିଭାଗ ଦୁଇ ବର୍ଷ ପରେ ୫୦ ହଜାର ଚାରା ବି ବଞ୍ଚାଇ ରଖିପାରି ନଥିଲା। ଗତ ବର୍ଷ ବନ ବିଭାଗ ମୁଖ୍ୟତଃ ଚାରା ବଣ୍ଟନରେ ନିଜ ଦାୟିତ୍ବ ସାରିଥିଲା। ମନରେଗା ଯୋଜନା ସହ ଗ୍ରିନ୍‌ ମହାନଦୀ ମିସନ୍‌କୁ ଯୋଡ଼ିବାର ପ୍ରୟାସ ବସ୍ତୁତଃ ବିଫଳ ହୋଇଛି। ୧୦୧୯ରେ ୨୦୧୮ଠାରୁ କମ୍‌ ସଂଖ୍ୟାରେ ଚାରା ରୋପଣ ହୋଇଥିଲେ ବି ଅଧିକ ହାରରେ ଚାରା ବଞ୍ଚିଥିବା ଦାବି କରାଯାଇଛି। ତେବେ କେଉଁ ଅଞ୍ଚଳରେ ନିର୍ଦ୍ଦିଷ୍ଟ କେତେ ପରିମାଣର ଗଛ ବଞ୍ଚିଛି ସେ ନେଇ ହିସାବ ନାହିଁ।

୨୦୧୮ ଜୁଲାଇ ୮ ତାରିଖରେ ବହୁ ଆଡ଼ମ୍ବରରେ ଏହି ମିସନ୍‌ର ଶୁଭାରମ୍ଭ କରା ଯାଇଥିଲା। ସମ୍ବଲପୁରର ତତ୍କାଳୀନ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ସଦର ଡିଏଫ୍‌ଓ ସଂଜିତ କୁମାରଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ସାଂସଦ, ବିଧାୟକ, ଅଧିକାରୀଙ୍କ ସମେତ ବିଭିନ୍ନ ବିଶ୍ବବିଦ୍ୟାଳୟର କୁଳପତି ଓ ନିର୍ଦ୍ଦେଶକମାନେ ଅତିଥିଭାବେ ଯୋଗ ଦେଇଥିଲେ। ରିଂ ରୋଡ୍‌ ଡିଭାଇଡର୍‌ରେ ସୋ ଗଛ (ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଚାରା) ଲଗାଇ କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଥିଲା। କଚେରି ଛକରୁ ମନ୍ଦଲିଆ ପର୍ଯ୍ୟନ୍ତ ମାନବ ଶୃଂଖଳ କରା ଯାଇଥିଲା। କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତଙ୍କୁ ଟି-ସାର୍ଟ ଓ ଟୋପି ପ୍ରଦାନ କରା ଯାଇଥିଲା। ପଥପ୍ରାନ୍ତ ନାଟକ, ପୁଚି ଖେଳ, ଚିତ୍ରାଙ୍କନ, ର˚ଗୋଲି, ଜୁଡୋ, ଝୋଟି, ସେଲ୍‌ଫି, ସା˚ସ୍କୃତିକ କାର୍ଯ୍ୟକ୍ରମ, ବାଦିପାଲା ଭଳି ନାନା କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା। ପ୍ରଥମ ଦିନରେ ୧୫୦୦ ଗଛ ଲଗା ଯାଇଥିଲାବେଳେ ସେଗୁଡ଼ିକୁ ଚିହ୍ନିବା ପାଇଁ ସୂତା (ସଂପର୍କର ସୂତ୍ର) ବନ୍ଧା ଯାଇଥିଲା। ଆଜିର ତାରିଖରେ ତନ୍ମଧ୍ୟରୁ ୧୦୦ ଚାରା ବି ଜୀବିତ ନାହିଁ। ମରି ଯାଇଥିବା ସ୍ଥାନରେ ଗତ ବର୍ଷ ପୁଣି ଚାରା ରୋପଣ ହୋଇଥିଲା। କିନ୍ତୁ ସେ ଗୁଡ଼ିକର ମଧ୍ୟ ସମାନ ଦଶା ହେଲା। କେଉଁଠି ଚାରା ପୁଣି ମରି ଗଲା ତ କେଉଁଠି ସୁରକ୍ଷା ଜାଲି ଚୋରି ହୋଇଯିବା ପରେ ଚାରାକୁ ଗୋରୁ ଖାଇ ଯାଇଛନ୍ତି।

facebook.com

ଗ୍ରିନ୍‌ ମହାନଦୀ ଅଭିଯାନର ଚାକଚକ୍ୟ କେବଳ ଉଦ୍‌ଘାଟନୀ ଦିବସରେ ସୀମିତ ନଥିଲା। ପରବର୍ତ୍ତୀ ସମୟରେ ଏଥି ପାଇଁ ଗ୍ରିନ୍‌ ମହାନଦୀ ଫୁଟବଲ ଟୁର୍ନାମେଣ୍ଟ କରା ଯାଇଥିଲା। ମହାନଦୀ କୂଳ ବିଭିନ୍ନ ଗାଁ ଦଳ ଏଥିରେ ଭାଗ ନେଇଥିଲେ। ସଚେତନତା ସୃଷ୍ଟି ନାଁରେ ବନ ବିଭାଗ ଲକ୍ଷଲକ୍ଷ ଟଙ୍କା ‌ଖର୍ଚ୍ଚ କରିଥିଲା। କାର୍ଯ୍ୟକ୍ରମରେ ରେଙ୍ଗାଲି ଅଞ୍ଚଳରୁ ଆରମ୍ଭ କରି ଧନକଉଡ଼ା, ମାନେଶ୍ବର, ସମ୍ବଲପୁର ହୋଇ ଲରାସରା ପର୍ଯ୍ୟନ୍ତ ୧୬୦ଟି ଗାଁକୁ ଏହି ସବୁଜ ବଳୟ ମଧ୍ୟକୁ ଅଣାଯିବ ବୋଲି କହା ଯାଇଥିଲା। ରେଙ୍ଗାଲି, ଲପଙ୍ଗା, ସ୍ବପ୍ନେ, କୁର୍ଲା, ନୂଆଁ ରମ୍ପେଲା, ପୋତାପାଲି, ବୁର୍ଲା, ହୀରାକୁଦ, ସାନସି˚ହାରୀ, ମୁଣ୍ତୋଘାଟ, ଆଇଆଇଏମ ରୋଡ଼, ସମ୍ବଲପୁର ମହାନଦୀ ରିଙ୍ଗ ରୋଡ଼, ହଲଦୀ, ହୁମା, ଦେଓଗାଁରେ ବୃକ୍ଷରୋପଣକୁ ବିଶେଷ ଗୁରୁତ୍ବ ଦିଆଯିବ ବୋଲି କୁହା ଯାଇଥିଲା। ହେଲେ ଯେଉଁ ଅଞ୍ଚଳ ବା ଗାଁକୁ ଅଧିକ ଗୁରୁତ୍ବ ଦିଆଯିବ ବୋଲି ସେତେବେଳେ ସାମ୍ବାଦିକ ସମ୍ମିଳନୀରେ ଦାବି କରା ଯାଇଥିଲା ତା ମଧ୍ୟରୁ ଅଧିକାଂଶ ସ୍ଥାନରେ ଆଜି ଗ୍ରିନ୍‌ ମହାନଦୀର ଚିହ୍ନବର୍ଣ୍ଣ ନାହିଁ। ଅନେକ ସ୍ଥାନରେ ଚାରା ଗଛ ଚାରିପଟେ ସବୁଜ ଜାଲର ସୁରକ୍ଷା ବାଡ଼ ଘେରା ଯାଇଥିଲା। କିନ୍ତୁ କେବଳ ବାଡ଼ ରହିଛି, ତା ଭିତରେ ଚାରା କେବେଠୁ ମରି ସାରିଲାଣି। ‌ସେତେବେଳେ ଜଙ୍ଗଲ ସୃଷ୍ଟି ନାମରେ ସୋ ଗଛ ଲଗାଇବାକୁ ଅନେକ ସମାଲୋଚନା କରିଥିଲେ। କିନ୍ତୁ ବନ ବିଭାଗ ସେହି ସୋ ଗଛ ଗୁଡ଼ିକୁ ବଞ୍ଚାଇବାରେ ବି ବିଫଳ ହୋଇଛି। ସେତେବେ‌େ‌ଳ ୯୦% ଗଛକୁ ବଞ୍ଚାଇ ରଖାଯିବ ବୋଲି ଡିଏଫ୍‌ଓ ଦାବି କରିଥିଲେ। କିନ୍ତୁ ଗଛ ଗୁଡ଼ିକ ନ ବଞ୍ଚିବା ବେଳକୁ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ବନ ବିଭାଗ ଚେଷ୍ଟା କରିଥିଲା। ଚାରା ମରିବାର ଅନେକ କାରଣ ରହିଥିବାବେଳେ ଯେଉଁ‌ ଯେଉଁ ସ୍ଥାନରେ ତାହା ମରିଛି ସବୁଠି ପୁଣି ଚାରା ରୋପଣ କରାଯାଇଛି ବୋଲି କହା ଯାଇଛି। ଭିନ୍ନ ଭିନ୍ନ ସ୍ଥାନରେ ଗଛ ବଞ୍ଚିବାର ପ୍ରତିଶତ ଭିନ୍ନ ଭିନ୍ନ ବୋଲି କହିବା ସହ ମୋଟ ଉପରେ ୮୦ରୁ ୯୦ ପ୍ରତିଶତ ଗଛ ବଞ୍ଚିଥିବା ବିଭାଗ ଦାବି କରିଛି। କିନ୍ତୁ ସହର ଭିତରେ ଥିବା ରିଂ ରୋଡ୍‌ ଯେଉଁଠି ଜାକଜମକରେ ଏହି ମହତ୍ବାକାଂକ୍ଷୀ ପ୍ରକଳ୍ପର ଶୁଭାରମ୍ଭ କରା ଯାଇଥିଲା, ସେଠାରେ ବଞ୍ଚି ରହିଥିବା ଗଛର ହାର ହିସାବ କଲେ ଡିଏଫ୍‌ଓଙ୍କ ଦାବି ଭୁଲ ପ୍ରମାଣିତ ହେଉଛି। ସମସ୍ତଙ୍କ ଆଖି ଆଗରେ ସହର ମଝିରେ ସୁରକ୍ଷା ଜାଲ ଭିତରେ ଥିବା ଗଛ ଗୁଡ଼ିକ ତିଷ୍ଟି ପାରି ନଥିବା ବେଳେ ଗାଁ ଗଣ୍ଡାରେ ବିନା ସୁରକ୍ଷାରେ ଥିବା ଗଛ ଗୁଡ଼ିକର ଅବସ୍ଥା କଣ ହୋଇଥିବ ତାହା ସହଜରେ ଅନୁମାନ କରା ଯାଇପାରେ ବୋଲି ପ୍ରକୃତି ପ୍ରେମୀମାନେ ମତ ଦିଅନ୍ତି।

ସମ୍ବନ୍ଧିତ ଖବର

Comments are closed.