‘ସବୁଜ ମହାନଦୀ ମିସନ’ରେ ଲାଗିବ ୨ କୋଟି ଗଛ

୬ ବର୍ଷରେ ବଢ଼ିଛି ୪.୭୬ ପ୍ରତିଶତ ଜଙ୍ଗଲ ଆଚ୍ଛାଦନ , ଚିଲିକା ଘେରିମୁକ୍ତ ପରେ ଜୈବ ବିବିଧତାରେ ଉନ୍ନତି

ଭୁବନେଶ୍ୱର: ରାଜ୍ୟ ସରକାର ‘ସବୁଜ ମହାନଦୀ ମିସନ’ ଯୋଜନାରେ ମହାନଦୀ, ଇବ୍‌, ତେଲ୍‌ ନଦୀଗୁଡ଼ିକର ଉଭୟ ପାର୍ଶ୍ୱର ପ୍ରାୟ ୭୦୦ ବର୍ଗ କି.ମି. ପରିମିତ ଅଞ୍ଚଳରେ ପ୍ରାୟ ୨ କୋଟି ଗଛ ଲଗାଯିବ। ଫଳରେ ୧୩୦୩ ଗ୍ରାମର ଲୋକେ ଉପକୃତ ହେବେ। ପ୍ରାୟ ୧୬୫୦୦ ସରକାରୀ ଜମିରେ ଗଛ ଲଗାଯିବ। ପ୍ରାୟ ୫ ହଜାର ଘରୋଇ ଜମିରେ ଫଳଚାଷ କରାଯିବ। ଏହି ଯୋଜନାରେ ଚଳିତ ବର୍ଷ ୫୯.୦୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି।

ଆଜି ବିଭାଗୀୟ ପ୍ରଦର୍ଶନ ସଂପର୍କରେ ବିସ୍ତତ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ରାଉତରାୟ କହିଲେ, ଗତ ୬ ବର୍ଷରେ ରାଜ୍ୟରେ ୪.୭୬ ପ୍ରତିଶତ ଜଙ୍ଗଲ ଆଚ୍ଛାଦନ ବୃଦ୍ଧି ପାଇଛି। ଭାରତୀୟ ସର୍ବେକ୍ଷଣ ସଂସ୍ଥା ରିପୋର୍ଟ ଅନୁଯାୟୀ ୨୦୧୫ରୁ ୨୦୧୭ ମଧ୍ୟରେ ରାଜ୍ୟରେ ୮୮୫ ବର୍ଗ କି.ମି. ଜଙ୍ଗଲ ଆୟତନ ବଢ଼ିଛି। ବ୍ୟାପକ ଘେରି ଯୋଗୁଁ ଶ୍ରୀହୀନ ହୋଇପଡ଼ିଥିବା ଚିଲିକା ହ୍ରଦରୁ ୧୮୮.୯୦ ବର୍ଗ କି.ମି.ର ବେଆଇନ ଘେରି ମଧ୍ୟରୁ ୧୫୧.୪୭ ବର୍ଗ କି.ମି. ଉଚ୍ଛେଦ କରାଯାଇଛି। ଫଳରେ ପ୍ରାୟ ୨୦ ପ୍ରତିଶତ ମାଛ ଉତ୍ପାଦନ ବଢ଼ିବା ସହିତ ଜଳର ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇଛି। ହ୍ରଦର ବଗଡ଼ା ଚିଙ୍ଗୁଡ଼ି, ସାମୁଦ୍ରିକ ଘାସ, ଉଦ୍ଭିଦର ମଧ୍ୟ ଅଭିବୃଦ୍ଧି ଘଟିଛି। ସେହିପରି ବିଭିନ୍ନ ସାମୁଦ୍ରିକ ଜୀବର ଆବିର୍ଭାବ ଏବଂ ଇରାଓ୍ଵାଡି ଡଲ୍‌ଫିନ୍‌ର ବିଚରଣ ଅଞ୍ଚଳ ବ୍ୟାପକ ହେବା ସହିତ ଭ୍ରମଣଶୀଳ ପକ୍ଷୀମାନଙ୍କର ଚିଲିକା ପ୍ରାକୃତିକ ବାସସ୍ଥଳୀରେ ପରିଣତ ହୋଇପାରିଛି। ଜଙ୍ଗଲରୁ ବ୍ୟାପକ କାଠ ଚୋରି ଚାଲିଥିବା ଅଭିଯୋଗକୁ ଏଡ଼ାଇ ଯାଇ ମନ୍ତ୍ରୀ କହିଲେ, ପାଦଚଲା ପାଟ୍ରୋଲିଂ ଫଳରେ ଚୋରି ହ୍ରାସ ପାଇଛି। ପର୍ଯ୍ୟଟନ ବିଭାଗ ସହିତ ବୁଝାମଣାପତ୍ର(ଏମ୍‌ଓୟୁ) ସ୍ୱାକ୍ଷରିତ ହେବା ଫଳରେ ପରିବେଶ ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧି ଘଟିଛି। ସାତକୋଶିଆ, ଶିମିଳିପାଳ, ହୀରାକୁଦ ଅଭୟାରଣ୍ୟରେ ବାସ କରୁଥିବା ସମସ୍ତ ପରିବାରକୁ ସ୍ଥାନାନ୍ତର କରାଯାଇ ସେମାନଙ୍କୁ ନୂଆ ବାସସ୍ଥାନ ଯୋଗାଇ ଦିଆଯାଇଛି। ଇତିମଧ୍ୟରେ ୪୮ଜଣ ଏସିଏଫ୍‌, ୧୧୧ଜଣ ରେଞ୍ଜ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି। ଜୁନ୍‌ ମାସରେ ମଧ୍ୟ ପ୍ରଦେଶରୁ ଗୋଟିଏ ବାଘ ଅଣାଯିବ। ବର୍ଷକ ପରେ ଆଉ ଗୋଟିଏ ଏବଂ ପର୍ଯ୍ୟାୟ କ୍ରମେ ୬ଟି ବାଘ ଅଣାଯିବ ବୋଲି ମନ୍ତ୍ରୀ ଶ୍ରୀ ରାଉତରାୟ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର