ବ୍ରହ୍ମପୁର: ଅନାଥ ଶିଶୁଙ୍କୁ ଥଇଥାନ କରିବା ସହିତ ସମାଜର ମୁଖ୍ୟ‌ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟ ନେଇ ସରକାର ବହୁ ଯୋଜନା କରିଛନ୍ତି। ବିଶେଷ କରି ସେମାନେ କିପରି ଉଚିତ ଶିକ୍ଷାଦାନ ପାଇ ନିଜର ଅଧିକାର ସାବ୍ୟସ୍ତ କରି ପାରିବେ ସେ ଦିଗକୁ ଗୁରୁତ୍ବ ଦିଆଯାଇଛି। ଉଚ୍ଚଶିକ୍ଷା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅନାଥ ପିଲାଙ୍କ ପାଇଁ ଏକ ସ୍ବତନ୍ତ୍ର ଯୋଜନା କରାଯାଇଛି। ତାହା ହେଉଛି ‘ଗ୍ରିନ୍‌ ପ୍ୟାସେଜ୍‌ ସ୍କିମ୍‌’। ଏହି ଯୋଜନାରେ ଅନୁସାରେ ମା’ କି ବାପା ନଥିବା କିମ୍ବା ଉଭୟ ମା’-ବାପା ନଥିବା ପିଲାଙ୍କୁ ମାଗଣାରେ ଉଚ୍ଚଶିକ୍ଷା ପ୍ରଦାନ କରାଯିବ। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଏହି ଯୋଜନା ଗତ ୨୦୧୬-୧୭ରୁ କାର୍ଯ୍ୟକାରୀ କରାଯାଇଛି। ହେଲେ ଗଞ୍ଜାମ ଜିଲ୍ଲାରେ ପ୍ରାୟତଃ କେହି ଏ ଯୋଜନା ବିଷୟରେ ଆଦୌ ଅବଗତ ନାହାନ୍ତି। ଏହାଛଡ଼ା ପ୍ରଶାସନିକ ସ୍ତରରେ ମଧ୍ୟ ଆନ୍ତରିତା ଅଭାବ ଓ ପ୍ରଚାରପ୍ରସାର ଅଭାବରୁ ପାଞ୍ଚବର୍ଷ ହେଲା ଯୋଜନାର କାର୍ଯ୍ୟକାରିତା ନେଇ କୌଣସି ସ୍ତରରେ ପ୍ରୟାସ ହିଁ ହୋଇ ନଥିଲା। ହେଲେ ୫ବର୍ଷ ପରେ ଏହି ଯୋଜନାରେ ଏବେ ୧୭ଜଣ ହିତାଧିକାରୀଙ୍କୁ ସାମିଲ କରାଯାଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ଏହି ଯୋଜନାର ପ୍ରଚାରପ୍ରସାର ହେଉ ନାହିଁ। ସଚେତନତା ଅଭାବରୁ ଲୋକେ ମଧ୍ୟ ଏ ବିଷୟରେ ଜାଣିପାରୁ ନାହାନ୍ତି। ଏଭଳି ଯୋଜନା ସମ୍ପର୍କରେ ବ୍ୟାପକ ପ୍ରଚାରପ୍ରସାର କରିବା ପାଇଁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଯାହା ଫଳରେ ଗରିବ ଅନାଥ ପିଲା ଉପକୃତ ହେବେ।

Advertisment

ଅନାଥ ତଥା ପୋଷ୍ୟ ଗ୍ରହଣ ହୋଇଥିବା ଗରିବ ପିଲାଙ୍କୁ ମାଗଣାରେ ଉଚ୍ଚଶିକ୍ଷା ପ୍ରଦାନ ଉଦ୍ଦେଶ୍ୟ ନେଇ ଗତ ୨୦୧୫ରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଗ୍ରିନ ପ୍ୟାସେଜ୍‌ ଯୋଜନା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତ ଅନୁସାରେ ୨୦୧୬-୧୭ ଶିକ୍ଷାବର୍ଷରୁ ଅନାଥ ପିଲାଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ଯୋଜନାରେ ସାମିଲ ହେବାକୁ ଥିବା ପିଲା ଅତିକମ୍‌ରେ ଯୁକ୍ତଦୁଇ ପାଠ ପଢ଼ିଥିବେ। ଏହାପରେ ସେ ଧାର୍ଯ୍ୟ ନିୟମ ଅନୁସାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିକଟରେ ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିବେ।

୨୦୨୦ରେ ଦେଖା ଦେଇଥିବା କରୋନା ମହାମାରୀ ସମୟରେ ବହୁ ପିଲା ସେମାନଙ୍କ ମାତାପିତାଙ୍କୁ ହରାଇଥିଲେ। ସେହି ଅନାଥ ପିଲାଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରି ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଗଞ୍ଜାମ ଜିଲ୍ଲାରୁ ଏଭଳି ପ୍ରାୟ ୪ହଜାରରୁ ଅଧିକ ଅନାଥ ପିଲା ଚିହ୍ନଟ ହୋଇଥିଲେ। କୋଭିଡ୍‌ ମହାମାରୀରେ ମାତାପିତାଙ୍କୁ ହରାଇଥିବା ପିଲାଙ୍କୁ ଗ୍ରିନ୍‌ ପ୍ୟାସେଜ୍‌ ଯୋଜନାରେ ସାମିଲ କରିବାକୁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ତରଫରୁ ୨୦୨୨ ଅଗଷ୍ଟ ମାସରେ ବିଜ୍ଞପ୍ତି ଜାରି କରାଯାଇଥିଲା। ଏବେ ଗଞ୍ଜାମ ଜିଲ୍ଲାରେ ୨୦୨୨-୨୩ ଶିକ୍ଷା ବର୍ଷରେ ମାତ୍ର ୧୭ଜଣ ଅନାଥ ପିଲାଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ୫ବର୍ଷ ପୂର୍ବରୁ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଥିଲେ ସୁଦ୍ଧା ଜଣେ ହେଲେ ବି ହିତାଧିକାରୀ ଚିହ୍ନଟ ହୋଇ ନଥିଲେ। ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଯୋଜନାରେ ସାମିଲ ହୋଇଥିବା ପିଲାଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ନା‌ମଲେଖା ଫି, ଟ୍ୟୁସନ୍‌ ଫି, ପରୀକ୍ଷା ଫି, ହଷ୍ଟେଲ୍‌ ଫି, କଲେଜ ଉନ୍ନୟନ ପାଣ୍ଠି, ଲାଇବ୍ରେରି ଫି ପ୍ରଭୃତି ଛାଡ଼ କରାଯିବ ବୋଲି ନିୟମ କରାଯାଇଛି। ଅନାଥ ପିଲାମାନେ ସରକାରଙ୍କ ଆର୍ଥିକ ସହାୟତାରେ ପାଠ ପଢ଼ିବେ। ଏହି ଯୋଜନାରେ ସାମିଲ ହେବା ପାଇଁ କିଛି ନିର୍ଦ୍ଦିଷ୍ଟ ନିୟମ ମଧ୍ୟ ରହିଛି।

ଗରିବ ଅନାଥ ପିଲାଙ୍କ ପାଇଁ ରାଜ୍ୟ ସରକାର ଏହି ମହତ ଯୋଜନା କରିଛନ୍ତି। କିନ୍ତୁ ସରକାରୀ କଳର ଖାମଖିଆଲି ମନୋଭାବ ଯୋଗୁଁ ଲୋକେ ଏଭଳି ଯୋଜନାରୁ ଉପକୃତ ହୋଇପାରୁ ନାହାନ୍ତି। ଗଞ୍ଜାମ ଜିଲ୍ଲାରେ ପ୍ରତିବର୍ଷ ବିଭିନ୍ନ କାରଣ ଯୋଗୁଁ ବହୁ ଗରିବ ପିଲା ଅଧାରୁ ପାଠପଢ଼ା ଛାଡ଼ି ଦାଦନ ଖଟିବାକୁ ଯାଉଛନ୍ତି। ସେମାନଙ୍କ ମଧ୍ୟରେ ଅନାଥ ପିଲା ମଧ୍ୟ ରହୁଛନ୍ତି। ସେଭଳି ପିଲାଙ୍କୁ ଚିହ୍ନଟ କରି ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବା ଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି। ଏ ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ ଷଡ଼ଙ୍ଗୀ କହନ୍ତି, ଗତ ୨୦୨୧-୨୨ ପର୍ଯ୍ୟନ୍ତ ଜିଲ୍ଲାରୁ ଜଣେ ବି ପିଲା ଚିହ୍ନଟ ହୋଇ ନଥିଲେ। କରୋନା ମହାମାରୀ ପରେ ମାତାପିତାଙ୍କୁ ହରାଇଥିବା ୧୭ଜଣ ପିଲାଙ୍କୁ ୨୦୨୨-୧୩ରେ ଏହି ଯୋଜନାରେ ସାମିଲ କରାଯାଇଛି। ମୋଟ ୩୪ଟି ଆବେଦନ ଆସିଥିବା ବେଳେ ୧୭ଜଣ ଯୋଜନାରେ ସାମିଲ ପାଇଁ ଯୋଗ୍ୟ ହୋଇଛନ୍ତି। ଆଉ ୬ଟି ଆବେଦନ ଯାଞ୍ଚ ଚାଲିଛି ବୋଲି ସେ କହିଛନ୍ତି।