ଫାଇଲ୍‌ ତଳେ ଗ୍ରିନ୍‌ ପ୍ୟାସେଜ୍‌ ଯୋଜନା: ୫ ବର୍ଷରେ ଜଣେ ବି ପିଲା ସାମିଲ ହେଲେନି!

ବାପା, ମା ଛେଉଣ୍ଡ ପିଲାଙ୍କ ପାଇଁ ଉଚ୍ଚଶିକ୍ଷା ସ୍ୱପ୍ନ, ୯୦ ପ୍ରତିଶତ ଲୋକ ଯୋଜନା ବିଷୟରେ ଅଜ୍ଞ

ବାଲେଶ୍ୱର : ଅନାଥ କିମ୍ବା ବାପା, ମା’ ଛେଉଣ୍ଡ ପିଲାଙ୍କ ପାଇଁ ସରକାର ଗ୍ରିନ୍‌ ପ୍ୟାସେଜ୍ ଯୋଜନା କରିଛନ୍ତି। ଉଚ୍ଚଶିକ୍ଷା କ୍ଷେତ୍ରରେ ଏହି ଯୋଜନା ଅନାଥ ପିଲାଙ୍କ ପାଇଁ ବରଦାନ ସଦୃଶ। ଏଥିରେ ଅନାଥ ପିଲା ମାଗଣାରେ ଶିକ୍ଷାଲାଭ କରିପାରିବେ। ସରକାରଙ୍କର ଏହା ଏକ ଫଳପ୍ରସୂ ଯୋଜନା ହୋଇଥିଲେ ମଧ୍ୟ ବାଲେଶ୍ବର ଜିଲ୍ଲାରେ ସଂପୂର୍ଣ୍ଣ ଫେଲ୍‌ ମାରିଛି। ୫ ବର୍ଷ ହେଲା ଏହି ଯୋଜନା କାର୍ଯ୍ୟକାରୀ ହୋଇଥିବା ବେଳେ ଜଣେ ବି ପିଲା ଏଥିରେ ସାମିଲ ହୋଇ ପାରିନାହାନ୍ତି।

୨୦୧୬ ମସିହାରୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗ୍ରିନ୍‌ ‌ପ୍ୟାସେଜ୍ ଯୋଜନା କାର୍ଯ୍ୟକାରୀ ହୋଇଛି। ୧୮ ବର୍ଷରୁ ଊର୍ଦ୍ଧ୍ବ ପିଲା ଉଚ୍ଚଶିକ୍ଷା ପାଇଁ ଏହି ଯୋଜନାରେ ଉପକୃତ ହୋଇପାରିବେ। ଜିଲ୍ଲାପାଳ, ଉପଜିଲ୍ଲାପାଳ କିମ୍ବା ତହସିଲଦାରଙ୍କଠାରୁ ଅନାଥ ପ୍ରମାଣପତ୍ର ନେଇ ଆବେଦନ କରିପାରିବେ। ଏମିତିକି କେହି ଅନାଥ ପିଲା ବାଳାଶ୍ରମ କିମ୍ବା ସମ୍ପର୍କୀୟଙ୍କ ଘରେ ରହୁଥିଲେ ବି ଏହି ଯୋଜନାରେ ଉପକୃତ ହୋଇପାରିବେ। ଆଉ ରାଜ୍ୟର ବିଭିନ୍ନ ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ‌ରେ ପାଠପଢିବା ସହିତ ମାଗଣାରେ ହଷ୍ଟେଲରେ ରହିପାରିବେ। ଏ ସଂକ୍ରାନ୍ତରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ଗୁଡ଼ିକୁ ମଧ୍ୟ ଅବଗତ କରାଯାଇଥିଲା। ମାତ୍ର ଏହି ଯୋଜନା କାଗଜକଲମରେ ରହିଯାଇଛି। ଜନସାଧାରଣଙ୍କୁ ଏ ଦିଗରେ ନା ସଚେତନ କରାଗଲା ନା ଏହାର ପ୍ରଚାରପ୍ରସାର ହେଲା। ଯାହାଫଳରେ ଏମିତି ଏକ ଯୋଜନା ଅଛି ବୋଲି ଅନେକ ଜାଣିନାହାନ୍ତି। ଯାହାର ଫଳସ୍ବରୂପ ଜିଲ୍ଲାର ଜଣେ ବି ପିଲା ଏଥିରୁ ଲାଭବାନ୍‌ ହୋଇନାହାନ୍ତି।

ଜିଲ୍ଲାରେ ୧୦ଟି ଶିଶୁ ପ୍ରଯତ୍ନ କେନ୍ଦ୍ରରେ ରହିଛି। ବାଲେଶ୍ବର ସହରରେ ଉତ୍କଳ ବାଳାଶ୍ରମ, କୁରୁଡ଼ା ବାଳାଶ୍ରମ ସହିତ ସୋର, ଖଇରା, ଔପଦା, ନୀଳଗିରି, ବସ୍ତା, ଜଳେଶ୍ବର ଆଦି ବ୍ଲକରେ ଶିଶୁ ପ୍ରଯତ୍ନ କେନ୍ଦ୍ର ରହିଛି। ଏହି ସବୁ କେନ୍ଦ୍ରଗୁଡ଼ିକରେ ୮ ଶହରୁ ଅଧିକ ପିଲା ରହିଛନ୍ତି। ପ୍ରତିବର୍ଷ ଏହି କେନ୍ଦ୍ରରୁ ଶତାଧିକ କିଶୋର ବାହାରୁଛନ୍ତି। କେନ୍ଦ୍ରରୁ ବାହାରିବା ପରେ ଏମାନେ କିଭଳି ଉଚ୍ଚଶିକ୍ଷା ପାଇବେ, ସେଥିପ୍ରତି ବିଭାଗ ଗୁରୁତ୍ବ ଦେବା କଥା। କିନ୍ତୁ ଦେଖାଯାଇଛି, ଏମାନେ ସଚେତନତା ଓ ଅର୍ଥ ଅଭାବରୁ ପାଠ ନପଢ଼ି ଘରେ ବସୁଛନ୍ତି।

ଏମିତିକି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଯଦି ଯୋଜନା ସଂପର୍କରେ ଅବଗତ କରାଯାଉଥାନ୍ତା, ତା ହେଲେ ଆବେଦନ ସଂଖ୍ୟା ନିଶ୍ଚୟ ବଢ଼ନ୍ତା‌। ଜିଲ୍ଲାରେ ଏମିତି ବହୁ ପିଲା ବାପା, ମା ଛେଉଣ୍ଡ ହୋଇ ନିଜ ସମ୍ପର୍କୀୟଙ୍କ ସହିତ ରହୁଛନ୍ତି। କିନ୍ତୁ ଜଣେ ବି ଏହି ଯୋଜନାରେ ଉପକୃତ ନ ହେବା ବିଭାଗୀୟ ଅବହେଳାର ଚରମ ନିଦର୍ଶନ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର