ରହସ୍ୟ ଘେରରେ ଗ୍ରିନ୍‌-ରେ ଏମ୍‌ଡିଙ୍କ ମୃତ୍ୟୁ

ଭୁବନେଶ୍ବର : ଗ୍ରିନ୍‌-ରେ ଚିଟ୍‌ଫଣ୍ଡର ପରିଚାଳନା ନିର୍ଦେଶକ (ଏମ୍‌ଡି) ମୀର ସହିରୁଦ୍ଦିନଙ୍କ ମୃତ୍ୟୁକୁ ୨୪ ଘଣ୍ଟା ବିତିଯାଇଥିଲେ ବି ମୃତ୍ୟୁ ପଛର ରହସ୍ୟ ଉପରେୁ ପର୍ଦ୍ଦା ହଟିପାରି ନାହିଁ। ଜେଲ୍‌ କର୍ତୃପକ୍ଷ ଗୋଟିଏ କଥା କହୁଥିବା ବେଳେ ଭିନ୍ନ କଥା ପଦାକୁ ଆସିଛି। ଗାଧୁଆ ଘରେ ଗୋଡ଼ ଖସିଯିବାରୁ ମୁଣ୍ଡରେ ମାଡ଼ ହୋଇ ତାଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ହେଲେ ତାଙ୍କ ସାନ ଭାଇ ମୀର ଜାହିରଉଦ୍ଦିନ ହତ୍ୟା ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ ଆଉ ଏକ କଥା ମଧ୍ୟ ପଦାକୁ ଆସିଛି ଯେ, ଦୁଇଦିନ ତଳେ ସହିରୁଦ୍ଦିନଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଏକଥା ସେ କାଳେ ଜେଲ୍‌ କର୍ତୃପକ୍ଷଙ୍କୁ ଜଣାଇଥିଲେ। ହେଲେ ଜେଲ୍‌ କର୍ତୃପକ୍ଷ ଏହାକୁ ଗୁରୁତର ସହ ନେଇନଥିବା ଚର୍ଚ୍ଚା ହେଉଛି। ଯଦି ଘଟଣା ସତ, ତେବେ ସାଂଘାତିକ। କର୍ତୃପକ୍ଷଙ୍କ ଅବହେଳା ନେଇ ପ୍ରଶ୍ନ ଉଠିଛି। ସାନ ଭାଇଙ୍କ ହତ୍ୟା ଅଭିଯୋଗ ଏବଂ କର୍ତୃପକ୍ଷଙ୍କ ଅବହେଳା ଦୁଇଟି ଯାକ ପ୍ରସଙ୍ଗ ଘଟଣାକୁ ଅଧିକ ରହସ୍ୟାବୃତ୍ତ କରିଛି।

ଅପରପକ୍ଷରେ ଆଜି ଦିନ ୧୧ଟା ସମୟରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଦୁଇ ଜଣ ଡାକ୍ତର ଶବ ବ୍ୟବଚ୍ଛେଦ କରିଥି‌ଲେ। ଯାହାର ଭିଡିଓଗ୍ରାଫି ମଧ୍ୟ କରାଯାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହକୁ ସାନଭାଇ ଜାହିରଉଦ୍ଦିନଙ୍କୁ ହସ୍ତାନ୍ତର କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଘଟଣାର ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ପୁଲିସ କହିଛି। ଏନେଇ ପୁଲିସ ଅଧିକ ତଦନ୍ତ କରୁଛି। ଘଟଣାଦିନ କ’ଣ ଘଟିଥିଲା? କର୍ତୃପକ୍ଷ କେତେବେଳେ ହସ୍ପିଟାଲ୍‌ ନେଲେ ସମସ୍ତ ଦିଗକୁ ପୁଲିସ ଗୁରୁତ୍ବ ଦେଇଛି। ଏଥିପାଇଁ ଜେଲ୍‌ର ସିସିଟିଭି ଫୁଟେଜ୍‌କୁ ମଧ୍ୟ ପୁଲିସ ଯାଞ୍ଚ କରୁଛି। ପ୍ରକାଶ ଥାଉକି, ଦେଶରୁ ୨ ହଜାର କୋଟି ଏବଂ ଓଡ଼ିଶାରୁ ୫୦୦ କୋଟି ଠକେଇ କରିଥିବା ମୀର ସହିରୁଦ୍ଦିନ(୪୭) ଦୀର୍ଘ ୫ ବର୍ଷ ହେବ ଝାରପଡ଼ା ଜେଲ୍‌ରେ ବନ୍ଦୀ ଥିଲେ। ରବିବାର ଭୋର୍‌ ପ୍ରାୟ ୫ଟା ସମୟରେ ସେ ଗାଧୁଆ ଘରକୁ ଯାଉଥିବା ବେଳେ ତାଙ୍କ ଗୋଡ଼ ଖସିଯିବାରୁ ସେ ତଳେ ପଡ଼ିଯାଇଥିଲେ। କିନ୍ତୁ ଆଉ ନ ଉଠିବାରୁ ଝାରପଡ଼ା ଜେଲ୍ କର୍ତ୍ତୃପକ୍ଷ ଜଣେ ଫାର୍ମାସିଷ୍ଟଙ୍କ ସହାୟତାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଇଥିଲେ। ମାତ୍ର ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ତୁରନ୍ତ କ୍ୟାପିଟାଲ୍ ହସ୍ପିଟାଲ୍‌ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର