ଝାରପଡ଼ା ଜେଲ୍‌ରେ ଗ୍ରିନ୍‌-ରେ’ ଏମ୍‌ଡି ସହିରୁଦ୍ଦିନଙ୍କ ମୃତ୍ୟୁ

ଲକ୍ଷ୍ମୀସାଗର ଥାନାରେ ଏତଲା ଦେଲେ ଜେଲ୍ ସୁପରିନ୍‌ଟେଣ୍ଡେଣ୍ଟ, ମୃତ୍ୟୁ କେମିତି ହେଲା ତଦନ୍ତ ହେବ

ଭୁବନେଶ୍ୱର/ଜଳେଶ୍ବର : ଦେଶରୁ ୨ ହଜାର କୋଟି ଏବଂ ରାଜ୍ୟରୁ ୫୦୦ କୋଟି ଠକେଇ କରିଥିବା ଚିଟ୍‌ଫଣ୍ଡ୍ ସଂସ୍ଥା ଗ୍ରିନ୍‌-ରେ’ ଇଣ୍ଟରନ୍ୟାସନାଲ୍ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ମୀର ସହିରୁଦ୍ଦିନ(୪୭)ଙ୍କ ରବିବାର ଦିନ ଝାରପଡ଼ା ଜେଲ୍‌‌‌‌ରେ ମୃତ୍ୟୁ ହୋଇଛି। ଦୀର୍ଘ ୫ ବର୍ଷ ହେଲା, ସେ ଝାରପଡ଼ା ଜେଲ୍‌ରେ ବିଚାରାଧୀନ ବନ୍ଦୀ ଥିଲେ। ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ୭ରୁ ଅଧିକ ମାମଲା‌ରେ ସେ ବିଚାରାଧୀନ ଥିଲେ।

ରବିବାର ଭୋର୍‌ ପ୍ରାୟ ୫ଟା ବେଳେ ସହିରୁଦ୍ଦିନ୍‌ ଗାଧୁଆ ଘରକୁ ଯାଉଥିବା ବେଳେ ତାଙ୍କ ଗୋଡ଼ ଖସିଯିବାରୁ ସେ ତଳେ ପଡ଼ିଯାଇଥିଲେ। କିନ୍ତୁ ଆଉ ନ ଉଠିବାରୁ ଝାରପଡ଼ା ଜେଲ୍ କର୍ତ୍ତୃପକ୍ଷ ଜଣେ ଫାର୍ମାସିଷ୍ଟଙ୍କ ସହାୟତାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଇଥିଲେ। ମାତ୍ର ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ତୁରନ୍ତ କ୍ୟାପିଟାଲ୍ ହସ୍ପିଟାଲ୍‌ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ରିସିଭ୍‌-ଡେଡ୍ ଅର୍ଥାତ୍ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିବା ଘୋଷଣା କରିଥିଲେ। ଏ ସଂପର୍କରେ ଜେଲ୍‌ କର୍ତ୍ତୃପକ୍ଷ ସହିରୁଦ୍ଦିନ୍‌ଙ୍କ ପରିବାର ଲୋକଙ୍କୁ ଅବଗତ କରାଇଛନ୍ତି। ସନ୍ଧ୍ୟା ହୋଇଯିବାରୁ ଆଜି ତାଙ୍କ ଶବ ବ୍ୟବ‌ଚ୍ଛେଦ ପ୍ରକ୍ରିୟା ସ୍ଥଗିତ ରଖାଯାଇଛି। ସହିରୁଦ୍ଦିନଙ୍କ ଶବ କ୍ୟାପିଟାଲ ହସ୍ପିଟାଲର ଶବ ସଂରକ୍ଷଣ ଗୃହରେ ରଖାଯାଇଛି। ଆସନ୍ତାକାଲି ବ୍ୟବଚ୍ଛେଦ କରାଯିବା ପେର ପରିବାରଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାଯାଇଛି।

ଅପରପକ୍ଷେ ଏ ସଂପର୍କରେ ଜେଲ୍ ସୁପରିନ୍‌ଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ବାଇଁ କହିଛନ୍ତି, ସହିରୁଦ୍ଦିନ୍‌ ଜେଲ୍‌ର ଵାର୍ଡ୍ ନମ୍ବର ୧୦ରେ ରହୁଥିଲେ। ରବିବାର ଭୋର୍‌ରେ ସେ ଗାଧୁଆ ଘରକୁ ଯାଉଥିବାବେଳେ ତାଙ୍କ ଗୋଡ଼ ଖସିଯିବାରୁ ଏହି ଅଘଟଣ ଘଟିଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସେ ସୂଚନା ଦେଇଛନ୍ତି।

ସେହିଭଳି ସହିରୁଦ୍ଦିନଙ୍କ ମୃତ୍ୟୁ କେମିତି ହେଲା, ତଦନ୍ତ ପାଇଁ ଲକ୍ଷ୍ମୀସାଗର ଥାନାରେ ଏକ ଶ୍ରୀ ସ୍ବାଇଁ ଏକ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଲକ୍ଷ୍ମୀସାଗର ଥାନା ପୁଲିସ୍‌ ଏକ ମାମଲା ରୁଜୁ କରିଛି। ଜାତୀୟ ମାନବାଧିକାର ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁସାରେ, ଜେଲ୍‌ରେ ଦଣ୍ଡ ଭୋଗୁଥିବା କଏଦୀ ବା ବିଚାରଧୀନ ବନ୍ଦୀଙ୍କ ମୃତ୍ୟୁ ହେଲେ ବିଚାରପତି ଏହାର ତଦନ୍ତ ନେତୃତ୍ବ ନେବେ। ତେଣୁ ସହିରୁଦ୍ଦିନଙ୍କ ମୃତ୍ୟୁର ତଦନ୍ତ ମଧ୍ୟ ଜଣେ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର