ଗ୍ରିନ ମହାନଦୀ ମିସନ୍‌କୁ ଧକ୍କା

ସମ୍ବଲପୁର : ମହତ୍ ଲକ୍ଷ୍ୟ ନେଇ ୨୦୧୮ ମସିହାରେ ଆରମ୍ଭ ହୋଇଥିବା ଗ୍ରିନ୍ ମହାନଦୀ ମିସନ୍‌କୁ ସମ୍ବଲପୁର ଜିଲ୍ଲାରେ ଲାଗିଛି ଧକ୍କା। ମୃତ୍ତିକା ସଂରକ୍ଷଣ, ବନ୍ୟା ନିୟନ୍ତ୍ରଣ ସାଂଗକୁ ମହାନଦୀର ଉଭୟ ପାର୍ଶ୍ବ‌ରେ ସବୁଜ ବଳୟ ସୃ‌ଷ୍ଟି ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରିବାରେ ଅର୍ଥ ସାଜିଛି ପ୍ରତିବନ୍ଧକ। ବୃକ୍ଷରୋପଣ ପାଇଁ ନିଜେ ସରକାର ଅର୍ଥ ଯୋଗାଇବାରେ ବିଫଳ ହୋଇଛନ୍ତି। ଆଗାମୀ ଆର୍ଥିକ ବର୍ଷରେ ବୃକ୍ଷରୋପଣ ହୋଇପାରିବା ନେଇ ବି ଆଶଙ୍କା ସୃଷ୍ଟି ହୋଇଛି।

ଗତ ୫ ଜୁନ୍ ୨୦୧୮ରେ ଓଡ଼ିଶାର ଜୀବନରେଖା ମହାନଦୀର ସ‌ମଲେଶ୍ବରୀ ଘାଟରେ ତତ୍କାଳୀନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ ସମ୍ବଲପୁର ଜିଲ୍ଲାରେ ଗ୍ରିନ୍ ମହାନଦୀ ମିସନର ଆରମ୍ଭ କରିଥିଲେ। ଲକ୍ଷ୍ୟ ଥିଲା, ସମ୍ବଲପୁର ଜିଲ୍ଲାରେ ୨ କୋଟି ବୃକ୍ଷରୋପଣ । ଜଂଗଲ ଜମି, ସରକାରୀ ଓ ବେସରକାରୀ ଆଦି ଜମି ମିଶାଇ ସର୍ବମୋଟ ୧୨.୨୦ ଲକ୍ଷ ହେକ୍ଟର ଜମିରେ ବୃକ୍ଷରୋପଣ ଯୋଜନା ରହିଥିଲା। ମହାନଦୀ ଉଭୟ ପାର୍ଶ୍ବରେ ଏକ କିଲୋମିଟର ଅଂଚଳରେ ଗଛ ଲଗାଇବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ଆବଶ୍ୟକସ୍ଥଳେ ୨ କିଲୋମିଟର ଅଂଚଳରେ ବି ଗଛ ଲଗାଯିବା ପାଇଁ ସ୍ଥିର ହୋଇଥିଲା। ବନ ବିଭାଗର ତଥ୍ୟ ଅନୁସାରେ, ୨୦୧୮-୧୯ ଆର୍ଥିକ ବର୍ଷରେ ୩୦ ହେକ୍ଟର ଜମିରେ ‘ବ୍ଲକ୍’ ବୃକ୍ଷରୋପଣ କରାଯାଇଥିଲା। ଏଥିସହିତ ସହରାଂଚଳରେ ୩୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଗଛ ଲଗାଯାଇଥିଲା। ଏହାବ୍ୟତୀତ ସମ୍ବଲପୁର ବନଖଣ୍ଡର ବିଭିନ୍ନ ଅଂଚଳରେ ୬୭ ହଜାର ଚାରା ବଣ୍ଟନ କରାଯାଇଥିଲା। ଏଥିସହିତ ମନ୍‌ରେଗାରେ ମଧ୍ୟ ୨୨ ହେକ୍ଟର ବ୍ଲକ୍ ବୃକ୍ଷରୋପଣ, ୫୦ ହେକ୍ଟର ‘ଗ୍ୟାପ୍’ ବୃକ୍ଷରୋପଣ ଓ ୪୬ କିଲୋମିଟର ରାସ୍ତାରେ ପଥପାର୍ଶ୍ବ ଗଛ ଲଗାଯାଇଥିଲା। ଆସନ୍ତା ଆର୍ଥିକ ବର୍ଷରେ ସମ୍ବଲପୁର ବନଖଣ୍ଡ ପକ୍ଷରୁ ୧୦୦ ହେକ୍ଟର ଜମିରେ ‘ଗ୍ୟାପ୍’ ବୃକ୍ଷରୋପଣ ସହିତ ସହରାଂଚଳରେ ୨୦ ହେକ୍ଟର ଜମିରେ ଗଛ ଲଗାଇବା ଯୋଜନା କରାଯାଇଛି।

ଏଥିସହିତ ୨ ଲକ୍ଷ ଚାରା ବଣ୍ଟନ ଲକ୍ଷ୍ୟ ରଖାଯାଇଛି। ସରକାରଙ୍କୁ ଏବାବଦକୁ ଅର୍ଥ ଯୋଗାଇବାକୁ ଅନୁରୋଧ କରାଯାଇଥିବା ବେ‌ଳେ ଏପର୍ଯ୍ୟନ୍ତ ସରକାର ଅର୍ଥ ଯୋଗାଇ ନାହାନ୍ତି। ଆଗାମୀ ଦିନରେ ଅର୍ଥ‌ ଦେବେ କି ନାହିଁ ସେ ନେଇ ମଧ୍ୟ କୌଣସି ସୂଚନା ଦେଇ ନାହାନ୍ତି ବୋଲି ସମ୍ବଲପୁର ଡିଏଫ୍‌ଓ ଡ. ସଂଜିତ କୁମାର କହିଛନ୍ତି। ମହାନଦୀ ତଟରେ ସରକାରୀ ଜାଗା ଅଭାବ ରହିଛି। ଏଣୁ ଲୋକମାନଙ୍କୁ ନିଜ ଘରୋଇ ଜାଗାରେ ଗଛ ଲଗାଇବା ଉତ୍ସାହିତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

କେବଳ ଏଥର ନୁହେଁ, ୨୦୧୯-୨୦ ଏବଂ ୨୦୨୦-୨୧ ଆର୍ଥିକ ବର୍ଷରେ ମଧ୍ୟ ସରକାର ଯେତିକି ଅର୍ଥ ଯୋଗାଇବା କଥା ଯୋଗାଇ ନଥିଲେ। ଗଛଗୁଡ଼ିକ ଯତ୍ନ ନେବା ପାଇଁ ବି ଏହି ଯୋଜନାରେ ଅର୍ଥ ଯୋଗାଇ ଦିଆଯାଉନାହିଁ। ଜନସଚେତନତା ସୃଷ୍ଟି ପାଇଁ ‘ବନଦୂତ’ ଓ ‘ ମହାନଦୀ’ ସେବକ ନିଯୁକ୍ତି ବ୍ୟବସ୍ଥା ହୋଇଛି। କେତେକ ଜାଗାରେ ସ୍ବେଚ୍ଛାସେବୀମାନଙ୍କୁ ‘ବନଦୂତ’ ଓ ‘ ମହାନଦୀ’ ସେବକ ନିଯୁକ୍ତି ଦିଆଯାଇଥିଲା। ମାତ୍ର ସେମାନଙ୍କୁ ଭତ୍ତା ପ୍ରଦାନ ପାଇଁ ବି ଅର୍ଥ ନିଅଣ୍ଟ ପଡ଼ିଲା। ଏଭଳି ସ୍ଥିତିରେ ସେମାନଙ୍କର ଆଉ ସେବା ନିଆଯାଉନଥିବା ଜଣାପଡ଼ିଛି। ସ୍ଥିତି ଏମିତି ହୋଇଛି ଯେ, ଯେତିକି ଗଛ ଲଗାଯାଇଥିଲା, ସେତିକି ବି ଗଛ ବଞ୍ଚାଇବା କଷ୍ଟକର ହୋଇପଡ଼ୁଛି।

ସମ୍ବନ୍ଧିତ ଖବର