୨୦ରେ ପୁରୀରୁ ଆରମ୍ଭ ହେବ ‘ସବୁଜ ସଂଗ୍ରାମ’

୨୦୩୫ ସୁଦ୍ଧା ଓଡ଼ିଶାକୁ ବିଶ୍ବର ସବୁଜ ରାଜଧାନୀ କରିବା ଲକ୍ଷ୍ୟ

ଭୁବନେଶ୍ବର: ସଙ୍କଟ ହିଁ ମଣିଷକୁ ସଚେତନ କରେ। ଆଜି ବିଶ୍ବ ତଥା ନିଜ ସ୍ଥାନୀୟ ଅଞ୍ଚଳକୁ ସବୁଜିମାମୟ କରିବାକୁ ଯେତିକି ସଚେତନତା ବୃଦ୍ଧି ପାଇଛି, ତାହା ୧୦ ବର୍ଷ ତଳେ ନ ଥିଲା। ଓଡ଼ିଶାବାସୀ ଆଜି ସବୁଜିମାକୁ ନେଇ ତଥା ପୃଥିବୀର ସ୍ବାସ୍ଥ୍ୟ ପାଇଁ ଯେତିକି ସଚେତନ ହୋଇଛନ୍ତି ସେତିକି ଦ୍ବନ୍ଦ୍ବରେ ମଧ୍ୟ ରହିଛନ୍ତି। ଆମେ ସେତେ ବିକଶିତ ହୋଇନଥିବା ବେଳେ ଓ ଆମ ଚାରିପାର୍ଶ୍ବର ସବୁଜିମା ସେତେଟା ନଷ୍ଟ ହୋଇନଥିବାରୁ ଆମେ ସବୁଜିମାକୁ ନେଇ କାହିଁକି ଏତେ ସଚେତନ ହେବୁ, ଏହି ଦ୍ବନ୍ଦ୍ବ ଏବେ ଓଡ଼ିଶାରେ ବଢ଼ିବାରେ ଲାଗିଛି। ସଙ୍କଟ ନ ପଡ଼ିଲେ ମଣିଷ ବିକଳ୍ପ ଚିନ୍ତା କରେନି। କିନ୍ତୁ ସ୍ବିଡେନ ଭଳି ପରିବେଶ ସଙ୍କଟକୁ ଅପେକ୍ଷା ନ କରି ବେଳହୁଁ ସାବଧାନ ହୋଇ ବିକାଶର ଏକ ବିକଳ୍ପ ନିଷ୍ପତ୍ତି ନେବାକୁ ପରାମର୍ଶ ଦେଇଛନ୍ତି ‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ।

ଆଜି ‘ସମ୍ବାଦ ଭବନ’ ପରିସରରେ ପ୍ରେରଣା ପକ୍ଷରୁ ଆୟୋଜିତ ‘ଭିଜନ-୨୦୩୫’ର ଲୋଗୋ ଉନ୍ମୋଚନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ ଏହା କହିଥିଲେ।‘ପ୍ରେରଣା’ର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ ସଭାପତିତ୍ବ କରି ୨୦୩୫ ମସିହା ବେଳକୁ ଓଡ଼ିଶାକୁ ବିଶ୍ବର ସବୁଜ ରାଜଧାନୀରେ ପରିଣତ କରିବା ଲକ୍ଷ୍ୟ ନେଇ ଆସନ୍ତା ୨୦ ତାରିଖରେ ପୁରୀରୁ ‘ସବୁଜ ସଂଗ୍ରାମ’ ଅଭିଯାନର ଶୁଭାରମ୍ଭ ହେବ ବୋଲି ଘୋଷଣା କରିଥିଲେ। ଏହି ଅଭିଯାନରେ ଓଡ଼ିଶାର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଯଥା ଛାତ୍ରଛାତ୍ରୀ, ଅଭିନେତା/ଅଭିନେତ୍ରୀ, ଚିତ୍ରଶିଳ୍ପୀ, କଳାକାର, ‌ସାହିତ୍ୟିକ, ସାମ୍ବାଦିକ ଓ ବୁଦ୍ଧିଜୀବୀମାନେ ଯୋଗ ଦେବେ। ଏଭଳି ଏକ ନିଆରା ଅଭିଯାନ ଓ ଏହାର ପରିକଳ୍ପନାକୁ ଅଭିନନ୍ଦନ ଜଣାଇ ‘ସମ୍ବାଦ ଗ୍ରୁପ୍‌’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ କହିଲେ, ସମସ୍ତ କଥାର ବିକଳ୍ପ ଥିବା ବେଳେ ପୃଥିବୀ ମା’ର ବିକଳ୍ପ ନାହିଁ। ଏଣୁ ଏହାକୁ ସୁରକ୍ଷା ଦେବା ଆମ ଦାୟିତ୍ବ। ବିଶ୍ବର ଭୌଗଳିକ ମାନଚିତ୍ରରେ ବିନ୍ଦୁ ସଦୃଶ ଓଡ଼ିଶାରେ ଯଦି ଏ ନେଇ ଜନ ଆନ୍ଦୋଳନ ହୋଇପାରିବ ଓ ସବୁଜ ରାଜଧାନୀର କଳ୍ପନା ପୂରଣ ହୋଇଯିବ ତେବେ ଆମେ ସ୍ମାର୍ଟ ସିଟିର ସ୍ବପ୍ନ ବି ଆପେ ସାକାର ହୋଇଯିବ। କାର୍ଯ୍ୟକ୍ରମରେ ‘କନକ ନ୍ୟୁଜ୍‌’ର ସମ୍ପାଦକ ମନୋରଞ୍ଜନ ମିଶ୍ର ‌ଯୋଗ ଦେଇ କହିଲେ, ଓଡ଼ିଶାରେ ନା ବହୁ ମାତ୍ରାରେ କଳ କାରଖାନା ଅଛି ନା ହିଁ ପ୍ରଦୂଷଣର ମାତ୍ରା ଏତେ ତୀବ୍ର ଅଛି। ଫଳରେ କେଉଁଠି ନା କେଉଁଠି ଆମ ମନରେ ପରିବେଶ ପ୍ରଦୂଷଣ ନେଇ ସେତେଟା ଭାବପ୍ରବଣତା ନାହିଁ। ଏଣୁ ଲୋକଙ୍କୁ ସ୍ଥାନୀୟ ପରିବେଶଭିତ୍ତିକ ସମସ୍ୟା ତଥା ଜଳବାୟୂ ପରିବର୍ତ୍ତନ ଭଳି ଘଟଣାବଳୀ ସହ ଯୋଡ଼ି ଏକ ଖସଡ଼ା ପ୍ରସ୍ତୁତ କରି ସେମାନଙ୍କ ମନରେ ପରିବେଶ ସୁରକ୍ଷା ନେଇ ଭାବପ୍ରବଣତା ସୃଷ୍ଟି କରିପାରିଲେ ଆମର ଏହି ଅଭିଯାନ ସଫଳ ହୋଇପାରିବ। ଏହି ଅବସରରେ ‘ସମ୍ବାଦ- ସାହିତ୍ୟ ଘର’ର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା କହିଲେ, ସବୁଜିମା ନେଇ ସଚେତନ କରିବାକୁ ହେଲେ ଏହି ଅଭିଯାନ ସହ ଲୋକଙ୍କ ଜୀବନ ଓ ଜୀବିକାକୁ ଯୋଡ଼ିବାକୁ ପଡ଼ିବ। ଫଳରେ ଏହା ଅଧିକ ଆଦୃତ ହୋଇପାରିବ।

କାର୍ଯ୍ୟକ୍ରମରେ ବିଶିଷ୍ଟ କଥାକାର ତଥା ‘ସମ୍ବାଦ’ର ଫିଚର ସଂପାଦକ ଗୌରହରି ଦାସ, ‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ର, ‘ସମ୍ବାଦ’ର ଉପମହାପ୍ରବନ୍ଧକ (ବାର୍ତ୍ତା) ଗୌତମବୁଦ୍ଧ ଦାସଙ୍କ ସମେତ ଅଭିନେତ୍ରୀ ମଧୁମିତା ମହାନ୍ତି, ନିରଞ୍ଜନ ସାହୁ, ଅଧ୍ୟାପକ ରଘୁନାଥ ମଣ୍ଡଳ, ଜ୍ଞାନେନ୍ଦ୍ର ମଲ୍ଲିକ, ନିରଞ୍ଜନ ପାତ୍ର, ଦିବ୍ୟ ନାରାୟଣ ସ୍ବାଇଁ, ନିରୁପମା ପାତ୍ର, ପଦ୍ମଜା ପ୍ରିୟଦର୍ଶିନୀ ଜେନା, ସୁଶାନ୍ତ କୁମାର ପଟ୍ଟନାୟକ, ଓ ପ୍ରଦୀପ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ନିରଦ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର