ବାଲେଶ୍ୱର, ବଲାଙ୍ଗୀର ମେଡିକାଲ କଲେଜକୁ ସବୁଜ ସଂକେତ

ବାରିପଦା ଓ କୋରାପୁଟ ମେଡିକାଲ୍‌ କଲେଜକୁ ଦ୍ୱିତୀୟ ବର୍ଷ ନାମ ଲେଖା ଅନୁମତି, ସରକାରୀ ମେଡିକାଲ୍‌ କଲେଜରେ ସିଟ୍‌ ୧୦୦୦ ଟପିଲା

ଭୁବନେଶ୍ୱର : ୨୦୧୮-୧୯ ଶିକ୍ଷା ବର୍ଷରେ ରାଜ୍ୟରେ ଦୁଇଟି ନୂଆ ସରକାରୀ ମେଡିକାଲ କଲେଜରେ ନାମ ଲେଖା ହେବ। ବାଲେଶ୍ୱର ଓ ବଲାଙ୍ଗୀର ମେଡିକାଲ କଲେଜକୁ କେନ୍ଦ୍ର ସରକାର ବିଧିବଦ୍ଧ ଅନୁମତି ପ୍ରଦାନ କରିଛନ୍ତି। ଉଭୟ କଲେଜରେ ୧୦୦ ଲେଖାଏଁ ସିଟ୍‌ରେ ନାମଲେଖା ହେବ।

ସେହିପରି ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ୍‌କୁ ଦିଆଯାଇଥିବା ସର୍ତ୍ତମୂଳକ ଅନୁମତିକୁ ଲଗାତର ଦ୍ୱିତୀୟ ବର୍ଷ ପାଇଁ ବଜାୟ ରଖାଯିବା ସହ ୧୦୦ ସିଟ୍‌ରେ ନାମଲେଖା ପାଇଁ ସ୍ୱୀକୃତି ମିଳିଛି। ଗତ ବର୍ଷ ଠାରୁ ଆରମ୍ଭ ହୋଇଥିବା କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ୍‌ରେ ମଧ୍ୟ ଏ ବର୍ଷ ୧୦୦ ସିଟ୍‌ରେ ନାମଲେଖା ଅନୁମତି ମିଳିଛି। ଏହି ଚାରିଟି କଲେଜରେ ୪୦୦ ସିଟ୍‌ ସହ ମୋଟ୍‌ ୭ଟି ସରକାରୀ ମେଡିକାଲ୍‌ କଲେଜରେ ସିଟ୍‌ ସଂଖ୍ୟା ୧୦୫୦ରେ ପହଞ୍ଚିଛି।

ଏହି ଦୁଇ ମେଡିକାଲ କଲେଜ ପାଇଁ ନିକଟରେ ଏମ୍‌ସିଆଇର ୩ ଜଣିଆ ପ୍ରତିନିଧିମଣ୍ଡଳୀ କଲେଜକୁ ଗସ୍ତ କରିବା ସହିତ ଭିତ୍ତିଭୂମି ନେଇ ସନ୍ତୋଷ ଜାହିର କରିଥିଲେ। ସେହିପରି ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ୍‌କୁ ଦ୍ୱିତୀୟ ବର୍ଷ ପାଇଁ ନାମଲେଖା ଅନୁମତି ଦେବା ସହ ନୂଆ ମେଡିକାଲ କଲେଜ ପ୍ରସଙ୍ଗ ବିଚାରକୁ ନେବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡାଙ୍କୁ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖି ଅନୁରୋଧ କରିଥିଲେ। କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ୨୦୧୮-୧୯ରେ ବାଲେଶ୍ୱର ଓ ବଲାଙ୍ଗୀରରେ ଦୁଇଟି ନୂତନ ମେଡିକାଲ କଲେଜକୁ ଅନୁମତି ଦିଆଯିବା ସହ ବାରିପଦା କଲେଜକୁ ସର୍ତ୍ତମୂଳକ ଅନୁମତି ଦିଆଯାଇଥିବା ନେଇ ଶ୍ରୀ ନଡ୍ଡା କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଚିଠି ଜରିଆରେ ସୂଚନା ଦେଇଛନ୍ତି। ଓଡ଼ିଶାର ଅନୁରୋଧ ରକ୍ଷା କରିଥିବାରୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନଙ୍କ କୃତଜ୍ଞତା ଜଣାଇବା ସହ ଏହା ରାଜ୍ୟର ସ୍ୱାସ୍ଥ୍ୟ ସେବାକୁ ନୂଆ ଦିଶା ଦେଖାଇବାରେ ସଫଳ ହେବ ବୋଲି ମତପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର