ଇଏସ୍‌ଆଇ ମେଡ଼ିକାଲ କଲେଜକୁ ସବୁଜ ସଙ୍କେତ

ଘୋଷଣାରେ ନ ରହୁ, ବାସ୍ତବ ରୂପ ନେଉ, ଜିଲ୍ଲାରେ ଅଛନ୍ତି ୧ ଲକ୍ଷ ୮ହଜାର ବୀମାଭୁକ୍ତ ଶ୍ରମିକ

ରାଉରକେଲା: ରାଉରକେଲାରେ ଇଏସ୍‌ଆଇ ମେଡ଼ିକାଲ କଲେଜ ନିର୍ମାଣ ପାଇଁ ବାଟ ଖୋଲିଛି। ଭୁବନେଶ୍ବରସ୍ଥ ଇଏସ୍ଆଇ ଆଞ୍ଚଳିକ ବୋର୍ଡ ବୈଠକରେ ଇଏସ୍ଆଇ ମେଡ଼ିକାଲ କଲେଜକୁ ସବୁଜ ସଙ୍କେତ ମିଳିବା ପରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ଜୋରଧରିଛି। ଇଏସ୍ଆଇ ଆଞ୍ଚଳିକ ବୋର୍ଡ ସଦସ୍ୟ ତଥା ସିଆଇଟିୟୁର ସର୍ବଭାରତୀୟ ଉପସଭାପତି ବିଷ୍ଣୁ ମହାନ୍ତି ଜିଲ୍ଲାରେ ଉତ୍ତମ ସ୍ବାସ୍ଥ୍ୟସେବା ଦୃଷ୍ଟିରୁ ଜିଲ୍ଲାବାସୀ ଏଭଳି ସୁଯୋଗ ଆଦୌ ହାତଛଡା କରିବା ଉଚିତ ନୁହେଁ ବୋଲି କହିଛନ୍ତି।

ଦଳମତ ନିର୍ବିଶେଷରେ ଇଏସ୍‌ଆଇ ମେଡ଼ିକାଲ କଲେଜ କିପରି ରାଉରକେଲାରେ ବାସ୍ତବରୂପ ନେବ, ଏଥିପାଇଁ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଶ୍ରୀ ମହାନ୍ତି ନୁହେଁ ଇଏସ୍‌ଆଇ ଆଞ୍ଚଳିକ ବୋର୍ଡର ସଦସ୍ୟ ତଥା ଶ୍ରମିକ ନେତା ଜାହାଙ୍ଗୀର ଅଲ୍ଲୀ, ସୁନ୍ଦରଗଡ ଶିଳ୍ପାଞ୍ଚଳ ଶ୍ରମିକ ସଭାର ସାଧାରଣ ସମ୍ପାଦକ ଦିଗାମ୍ବର ମହାନ୍ତି ମଧ୍ୟ ସମାନ କଥା କହିଛନ୍ତି। ଶିଳ୍ପ ସମୃଦ୍ଧ ସୁନ୍ଦରଗଡ ଜିଲ୍ଲାରେ ବିଭିନ୍ନ କଳକାରଖାନାରେ ହଜାର ହଜାର ଶ୍ରମିକ କାମ କରୁଛନ୍ତି। ଚିକିତ୍ସା ପାଇଁ ଇଏସ୍ଆଇସି ମଡେଲ୍‌ ହସ୍ପିଟାଲ ରହିଛି। କିନ୍ତୁ ଡାକ୍ତର ଓ ଆନୁଷଙ୍ଗିକ ବ୍ୟବସ୍ଥା ଅଭାବରୁ ଶ୍ରମିକ ଓ ତାଙ୍କ ପରିବାରକୁ ଉପଯୁକ୍ତ ଚିକିତ୍ସା ମିଳିପାରୁନି। ଇଏସ୍‌ଆଇ ମଡେଲ୍‌ ହସ୍ପିଟାଲ ଏକପ୍ରକାର ରେଫ୍‌ରାଲ ହସ୍ପିଟାଲରେ ପରିଣତ ହୋଇଛି। ଶ୍ରମିକ ଓ ତାଙ୍କ ପରିବାର ଇଏସ୍‌ଆଇ ମଡେଲ ହସ୍ପିଟାଲରେ ଭର୍ତ୍ତି ହେବା ମାତ୍ରେ ସେମାନଙ୍କୁ ସହବନ୍ଧିତ ଭୁବନେଶ୍ବର କିମ୍ବା କଟକର ବିଭିନ୍ନ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରି ଦିଆଯାଉଛି। ରାଉରକେଲାରେ ମେଡ଼ିକାଲ କଲେଜ ନିର୍ମାଣ ହେବା ପରେ କେବଳ ସୁନ୍ଦରଗଡ଼ ଜିଲ୍ଲାର ଶ୍ରମିକ ପରିବାର ନୁହେଁ, ପଶ୍ଚିମ ଓଡ଼ିଶାବାସୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳିବ। ଖୁବ୍‌ କମ୍‌ ଖର୍ଚ୍ଚରେ ସଠିକ୍‌ ଚିକିତ୍ସା ପାଇପାରିବେ। ସେମିତି ସୁନ୍ଦରଗଡ଼, ଝାରସୁଗୁଡା ଓ କେନ୍ଦୁଝର ବିଭିନ୍ନ କଳକାରଖାନାରେ କାମ କରୁଥିବା ପ୍ରାୟ ୧ ଲକ୍ଷ ୩୨ ହଜାର ବୀମାଭୁକ୍ତ ଶ୍ରମିକ ଇଏସ୍ଆଇ ମଡ଼େଲ ହସ୍ପିଟାଲ ଉପରେ ନିର୍ଭର କରୁଛନ୍ତି। ଏଥି ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରେ କେବଳ ୧ ଲକ୍ଷ ୮ ହଜାର ବୀମାଭୁକ୍ତ ଅଛନ୍ତି।

ଉପଯୁକ୍ତ ଚିକିତ୍ସା ମିଳୁ ନଥିବାରୁ ଅଧିକାଂଶ ସମୟରେ ଶ୍ରମିକ ଓ ତାଙ୍କ ପରିବାରକୁ ନିରାଶ ହୋଇ ଫେରିଯିବାକୁ ପଡୁଛି। ଅଧିକାଂଶ ଶ୍ରମିକ ଓ ତାଙ୍କ ପରିବାର ଘରୋଇ ହସ୍ପିଟାଲରେ ଶୋଷଣର ମଧ୍ୟ ଶିକାର ହେଉଛନ୍ତି। ଏସବୁ ଦୃଷ୍ଟିକୋଣକୁ ବିଚାର କରି ରାଉରକେଲାରେ ପ୍ରତିଷ୍ଠା ହେବାକୁ ଯାଉଥିବା ଇଏସ୍‌ଆଇ ମେଡ଼ିକାଲ କଲେଜ ପାଇଁ ଐକ୍ୟବଦ୍ଧ ଆାନ୍ଦୋଳନର ଆବଶ୍ୟକତା ରହିଛି। ଉଲ୍ଲେଖଯୋଗ୍ୟ, ୨୦୧୦ରୁ ୨୦୧୪ରେ ରାଉରକେଲାରେ ଇଏସ୍‌ଆଇ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ସିଆଇଟିୟୁ ଓ ରାଉରକେଲା ବିକାଶ ମଞ୍ଚ ଆନ୍ଦୋଳନକୁ ଜୋରଦାର କରିଥିଲା। ଏପରିକି ୨୦୧୨ରେ ତତ୍କାଳୀନ ସୁନ୍ଦରଗଡ଼ ସାଂସଦ ହେମାନନ୍ଦ ବିଶ୍ବାଳଙ୍କ ନେତୃତ୍ବରେ ପାର୍ଲିଆମେଣ୍ଟ ଷ୍ଟାଣ୍ଡିଂ କମିଟି ଆସିଥିଲେ। ରାଉରକେଲା ଓ ସୁନ୍ଦରଗଡ ଜିଲ୍ଲାର ଶତାଧିକ ବୀମାଭୁକ୍ତ ଶ୍ରମିକ/ କର୍ମଚାରୀମାନଙ୍କ ତଥା ପଶ୍ଚିମ ଓଡ଼ିଶାରେ ସ୍ବାସ୍ଥ୍ୟ ବ୍ୟବସ୍ଥାର କୌଣସି ସୁବିଧା ନଥିଲା। ଏହାକୁ ଦୃଷ୍ଟିରେ ରଖି ରାଉରକେଲାରେ ଇଏସ୍‌ଆଇ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ସୁପାରିଶ କରିଥିଲେ।

୨୦୧୩ରେ ଉଚ୍ଚସ୍ତରୀୟ କମିଟି କେନ୍ଦ୍ର ସରକାର ଓ ଇଏସ୍ଆଇସି ବିଭାଗ ତରଫରୁ ରାଉରକେଲା ପରିଦର୍ଶନ କରିଥିଲେ। ରାଉରକେଲାର ପାନପ‌ୋଷସ୍ଥ ବାଲୁଘାଟ ଓ କୁଆରମୁଣ୍ଡାସ୍ଥ ଡାଏରି ଫାର୍ମ ନିକଟରେ ଇଏସ୍‌ଆଇ ମେଡ଼ିକାଲ ପ୍ରତିଷ୍ଠା ପାଇଁ ଜାଗା ଚିହ୍ନଟ ହୋଇଥିଲା। ମାତ୍ର ରାଜ୍ୟ ସରକାରଙ୍କ ଭୁବନେଶ୍ବର ପ୍ରୀତି ଯୋଗୁ ରାଉରକେଲାରେ ଇଏସ୍‌ଆଇ ମେଡ଼ିକାଲ କଲେଜ ନ କରି ଭୁବନେଶ୍ବର ଠାରେ ମେଡ଼ିକାଲ କଲେଜ ‌ପାଇଁ ଜମି ଅଧିଗ୍ରହଣ କରି ତତ୍କାଳୀନ ରାଷ୍ଟ୍ରପତି ପ୍ରତିଭା ପାଟିଲ ଭୂମିପୂଜନ ପାଇଁ କାର୍ଯ୍ୟକ୍ରମ ରଖିଥିଲେ। ରାଉରକେଲା ବିକାଶ ମଞ୍ଚର ଓ ସିଆଇଟିୟୁର ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ବର ଠାରେ ଇଏସ୍ଆଇ ମେଡ଼ିକାଲ ଭୂମିପୂଜନ ନ କରିବା ପାଇଁ ଅନୁରୋଧ କରିଥିଲେ। କେନ୍ଦ୍ର ସରକାର ପରିବର୍ତ୍ତନ ଓ ରାଉରକେଲାରେ ଆନ୍ଦୋଳନର ଶିଥିଳତା ଯୋଗୁ ରାଉରକେଲା ବା ଭୁବନେଶ୍ବରରେ ଇଏସ୍‌ଆଇ ମେଡ଼ିକାଲ କଲେଜ ପ୍ରତିଷ୍ଠା ହୋଇପାରି ନଥିଲା।

ସମ୍ବନ୍ଧିତ ଖବର