ସୋନଗଡ଼ ବ୍ୟାରେଜ୍‌କୁ ଗ୍ରିନ ସିଗ୍‌ନାଲ!

ଜଳସମ୍ପଦ ବିଭାଗ ସଚିବଙ୍କୁ ଭେଟିଲେ ପଞ୍ଚାୟତ ସମିତି ଅଧ୍ୟକ୍ଷା

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଜଳସେଚନକୁ ଗୁରୁତ୍ୱ ଦେଉଛନ୍ତି ମୁଖ୍ୟମନ୍ତ୍ରୀ। ଲୋୟର ସୁକତେଲ କାର୍ଯ୍ୟକୁ ପୁଣି ଥରେ ଆରମ୍ଭ କରିବାକୁ ପ୍ରୟାସ ଚାଲିଥିବା ବେଳେ ଏବେ ସୋନଗଡ଼ ବ୍ୟାରେଜକୁ ନେଇ ବି ସରକାରୀ ସ୍ତରରେ ଗ୍ରିନ ସିଗନାଲ ମିଳିଛି। ସୋନଗଡ଼ ନଦୀରେ ଅନ୍ତର୍ଲା ଓ ଭୁତିଆରବାହାଲ ମଝିରେ ଏକ ବ୍ୟାରେଜ ନିର୍ମାଣ କରିବାକୁ ଦାବି ହୋଇଆସୁଛି। ଏହି ବ୍ୟାରେଜ କାମ ସୁନିଶ୍ଚିତ କରାଯିବ ବୋଲି ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ପ୍ରତିଶ୍ରୁତି ଦେଇଥିବା ଦେଓଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ରୀନା ମେହେର କହିଛନ୍ତି। ବୁଧବାର ସଚିବଙ୍କ ବଲାଙ୍ଗୀର ଗସ୍ତ ଅବସରରେ ସମିତି ଅଧ୍ୟକ୍ଷା ଶ୍ରୀମତୀ ମେହେର ଓ ପୂର୍ବ ବିଡିସିସି ବ୍ୟାଙ୍କ ସଭାପତି ଲକ୍ଷ୍ମଣ ମେହେର ତାଙ୍କୁ ସାକ୍ଷାତ କରିଥିଲେ। ପ୍ରସ୍ତାବିତ ସୋନଗଡ଼ ନଦୀରେ ବ୍ୟାରେଜ ନିର୍ମାଣ ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଆଲୋଚନା ସମୟରେ ଶ୍ରୀମତୀ ଗର୍ଗ ସୋନଗଡ଼ ନଦୀ ଉପରେ ସୁନିଶ୍ଚିତ ବ୍ୟାରେଜ ନିର୍ମାଣ ହେବ ବୋଲି କହିଥିବା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ମେହେର ପ୍ରକାଶ କରିଛନ୍ତି।

ଏହି ବ୍ୟାରେଜ ନିର୍ମାଣ ହେଲେ ଦେଓଗାଁ ବ୍ଲକର ୧୮ଟି ଗାଁ ଓ ବଲାଙ୍ଗୀର ସଦର ବ୍ଲକର ୫ଟି ଗାଁର ଚାଷୀମାନେ ଲାଭାନ୍ୱିତ ହେବେ। ଉଭୟ ରବି ଓ ଖରିଫ ଚାଷକୁ ଜଳସେଚନ ସୁବିଧା ହୋଇପାରିବ। ଉଭୟ ବ୍ଲକର ୩ହଜାର ୨୦୦ ଏକର ଜମିକୁ ଜଳସେଚିତ ହୋଇପାରିବ। ସୋନଗଡ଼ ନଦୀର ଉଭୟ ପାର୍ଶ୍ବରେ ଅନେକ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟ ହୋଇପାରିବ। ପାନୀୟ ଜଳ ବ୍ୟବସ୍ଥା ପାଇଁ ସୁବିଧା ସୁଯୋଗ ସୃଷ୍ଟି ହେବ। ପରିବେଶ ସନ୍ତୁଳିତ ହେବା ସହିତ ଅନେକ ଉଠାଜଳସେଚନ ପଏଣ୍ଟ ମଧ୍ୟ କରାଯାଇପାରିବ ବୋଲି ସେ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିବା ପ୍ରକାଶ କରିଛନ୍ତି। ଏହି ଆଲୋଚନା ସମୟରେ ଜଳସମ୍ପଦ ବିଭାଗର ଅତିରିକ୍ତ ଶାସନ ସଚିବ ରାଜେନ୍ଦ୍ର ପଟ୍ଟନାୟକ, ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ, ଦେଓଗାଁ ବ୍ଲକ ସରପଞ୍ଚ ସଂଘ ସଭାପତି ଦୟାନିଧି ଖମାରୀ, ବ୍ଲକ ଉପାଧ୍ୟକ୍ଷ ରାଜୁ ବାଗ ଓ ପୂର୍ବ ସରପଞ୍ଚ ଅନ୍ତର୍ଯ୍ୟାମୀ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରକାଶ ଯେ, କ୍ଷୁଦ୍ରଜଳସେଚନ ବିଭାଗ ଏହାର ଏକ ସବିଶେଷ ପ୍ରକଳ୍ପ ରିପୋର୍ଟ ମଧ୍ୟ ପ୍ରସ୍ତୁତ କରି ସରକାରଙ୍କୁ ଦେଇସାରିଛନ୍ତି। ବୈଷୟିକ କମିଟି କ୍ଷେତ୍ର ପରିଦର୍ଶନ କରି ଗତ ୨୭.୮.୨୦୧୯ରେ ଅନୁଷ୍ଠିତ ୯୯ତମ ବୈଷୟିକ ପରାମର୍ଶଦାତା କମିଟି ବୈଠକ(ଟିଏସି)ରେ ଅନୁମୋଦନ କରିଛି। ବଲାଙ୍ଗୀର କ୍ଷୁଦ୍ରଜଳସେଚନ ଡିଭିଜନ ପକ୍ଷରୁ ତାଙ୍କ ପତ୍ରସଂଖ୍ୟା-୭୩୫ ତା.୨୮.୨.୨୦୨୦ରେ କେବିକେ ସର୍କଲ ଭବାନୀପାଟଣାର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଡିପିଆର ପ୍ରଦାନ କରାଯାଇଛି। ସେହିପରି ଅଧୀକ୍ଷଣ ଯନ୍ତ୍ରୀ ତାଙ୍କ ପତ୍ରସଂଖ୍ୟା ୪୩୫/ତା.୪.୩.୨୦୨୦ରେ କ୍ଷୁଦ୍ରଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀଙ୍କୁ ପଠାଇଛନ୍ତି। ସେହି ଡିପିଆରକୁ ମୁଖ୍ୟଯନ୍ତ୍ରୀ ଜଳସେଚନ ବିଭାଗର ଇନଞ୍ଜିନିୟରିଂ ଇନଚିଫଙ୍କୁ ପ୍ରଦାନ କରିସାରିଛନ୍ତି।

ଏହି ପ୍ରସ୍ତାବରେ ଉଲ୍ଲେଖ ରହିଛି ଯେ, ସୋନଗଡ଼ର ଏହି ପ୍ରକଳ୍ପ ହେଲେ ସଦର ବ୍ଲକର ଭୁତିଆରବାହାଲ, ନାରାୟଣପୁର, ନୁନିଆଁଢିପା, କୁଠୁର୍ଲା ଓ ଦେଓଗାଁ ବ୍ଲକର ଅପାମରା, ସାରସମାଲ, ସିଲେଟକାନୀ, ବଡବନ୍ଧ, ସିକୁଆଁ, କୁତୁର୍ଲା, ପିପିଲପଦର, ଚୋରମରା, କନକପୁର, ଅର୍ଡା, ଗାଈବାହାଲ, ଜୁର୍ଲାକାନୀ, କଛାରପାଲି, ଦେଓଗାଁ, ହାତୀସରା ଇତ୍ୟାଦି ଗ୍ରାମର ଚାଷଜମିକୁ ସିଧାସଳଖ ଜଳସେଚନ କରାଯାଇପାରିବ। ଏହା ସହିତ ପ୍ରକଳ୍ପର ଉପରମୁଣ୍ଡର ଅନ୍ତର୍ଲା, ଛତାପିପଲ, ସନ୍ଧିଜୋର, ଡଙ୍ଗରପଡା, ବନ୍ଧପଡା, ଟେପରେନ ଇତ୍ୟାଦି ଗ୍ରାମର ଚାଷୀମାନେ ଉଠାଜଳସେଚନ ପଏଣ୍ଟ ମାଧ୍ୟମରେ ତାଙ୍କର ଜମିକୁ ମଧ୍ୟ ଜଳସେଚିତ କରିପାରିବେ। ଗତ ୨୧.୧୦.୨୦୨୦ରେ ଏନେଇ ଦେଓଗାଁ ସମିତି ବୈଠକରେ ସର୍ବସମ୍ମତିରେ ଏହି ପ୍ରକଳ୍ପ ପାଇଁ ପ୍ରସ୍ତାବ ମଧ୍ୟ ପାରିତ ହୋଇଛି।

ସମ୍ବନ୍ଧିତ ଖବର