ଆନ୍ତର୍ଜାତିକ ଗ୍ରିନ୍ ୱାକ୍‌ଥନ୍‌ ଉଦ୍‌ଘାଟିତ

ନିରାକାରପୁର : ପ୍ରେରଣା ଗ୍ରିନ୍ ଆର୍ମି ଓ ସ୍ମାଇଲ୍‌ ପ୍ଲିଜ୍‌ର ମିଳିତ ଆନୁକୂଲ୍ୟରେ ଆଜି ‘ସବୁଜ ବିଶ୍ବ’ ପ୍ରତିଷ୍ଠାର ସଙ୍କଳ୍ପ ନେଇ ରାମେଶ୍ବରଠାରେ ଆନ୍ତର୍ଜାତିକ ଗ୍ରିନ୍ ୱାକ୍‌ଥନ୍‌ ଉଦ୍‌ଘାଟିତ ହୋଇଯାଇଛି। ବିଶ୍ବତାପନରେ ସମଗ୍ର ପୃଥିବୀ ସନ୍ତୁଳି ହେଉଥିବା ବେଳେ ଏଥିରୁ ରକ୍ଷା ପାଇବା ପାଇଁ ବ୍ୟାପକ ବୃକ୍ଷରୋପଣ ଏକ ବିକଳ୍ପ ଭାବେ ଆମ ପାଖରେ ଉପଲବ୍ଧ। ତେଣୁ ରାଜ୍ୟର ବିଭିନ୍ନ ଅଞ୍ଚଳର କବି, ଲେଖକ, ବୁଦ୍ଧିଜୀବୀ, କଳାକାର, ରାଜନେତା ଏକାଠି ହୋଇ ନିଜସ୍ବ ଉଦ୍ୟମରେ ସମସ୍ତେ ଗଛଟିଏ ଲଗାଇବାକୁ ସଙ୍କଳ୍ପ ନେବାକୁ ଏହି ଆନ୍ତର୍ଜାତିକ ୱାକ୍‌ଥନ ଅବସରରେ ଅନୁରୋଧ କରିଛନ୍ତି। ଆଗାମୀ ୨୦୩୫ ମସିହା ସୁଦ୍ଧା ଓଡ଼ିଶାକୁ ବିଶ୍ବର ସବୁଜ ରାଜଧାନୀ ଭାବେ ପ୍ରତିଷ୍ଠା କରିବା ଆଭିମୁଖ୍ୟ ନେଇ ଆରମ୍ଭ ହୋଇଥିବା ଆନ୍ତର୍ଜାତିକ ୱାକ୍‌ଥନ୍‌କୁ ଉଦ୍‌ଘାଟନ କରି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ପୃଥିବୀର ଯେଉଁଠାରେ ଥିଲେ ମଧ୍ୟ ପ୍ରତ୍ୟେକ ଓଡ଼ିଆ ଗଛଟିଏ ଲଗାଇବାକୁ ଅନୁରୋଧ କରିଛନ୍ତି।

ପ୍ରେରଣା ଗ୍ରିନ୍ ଆର୍ମିର ଚିଫ୍ କମାଣ୍ତର ଡ. ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ନେତୃତ୍ବରେ ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ବ ବୁଦ୍ଧିଜୀବୀ, କଳାକାର, ସାହିତ୍ୟିକ, ଛାତ୍ରଛାତ୍ରୀ ଓ ରାଜନେତା ୧୬ ନମ୍ବର ଜାତୀୟ ରାଜପଥର ରାମେଶ୍ବର ଠାରେ ଏକାଠି ହୋଇ ଆନ୍ତର୍ଜାତିକ ଗ୍ରିନ୍ ୱାକ୍‌ଥନ୍‌ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ୱାକ୍‌ଥନ୍‌ ଅବସରରେ ରାମେଶ୍ବର ଖେଳପଡ଼ିଆ ଚାରିପାଖେ, ମେଳନ ପଡ଼ିଆ, ରାମେଶ୍ବର ଗ୍ରାମ୍ୟ ଜଙ୍ଗଲରେ ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ବ ବିଭିନ୍ନ କିସମର ଚାରା ରୋପଣ କରାଯାଇଥିଲା। ସମାଜସେବୀ ଇଂ ବିଶ୍ବମୋହନ ପଟ୍ଟନାୟକ, ପ୍ରକାଶ ଶ୍ରୀଚନ୍ଦନ, ଭୁବନେଶ୍ବର ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକ, ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡେଇତରାୟ, ହାସ୍ୟ ଅଭିନେତା ପପୁ ପମ୍‌ପମ୍ , ଋଷି ପଟ୍ଟନାୟକ, ସିନେ କଳାକାର ଅର୍ଚିତା, ସବ୍ୟସାଚୀ, ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ଗାଳ୍ପିକ ଅଜୟ ସ୍ବାଇଁ, କବି ସରୋଜ ବଳ ପ୍ରମୁଖଙ୍କ ଉପସ୍ଥିତି ଏହି ୱାକ୍‌ଥନରେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷରୋପଣ କାର୍ଯ୍ୟରେ ସାମିଲ ହେବା ପାଇଁ ପ୍ରେରଣା ଯୋଗାଇଥିଲା। ଏହି ଅବସରରେ କବିତା ପାଠୋତ୍ସବ, ପଥପ୍ରାନ୍ତ ନାଟକ, ଓ ପରିବେଶ ସଂକ୍ରାନ୍ତୀୟ ଆଲେଶଚନା ଚକ୍ରମାନ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ରମାକାନ୍ତ ମହାପାତ୍ର, ବିଶ୍ବଭୂଷଣ ଛୋଟରାୟ, ବିପିନ୍ ଜୟସିଂହ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର