୧୭ ବର୍ଷ ପରିଶ୍ରମରେ ସବୁଜିମା ଲେଉଟିଲା, ରାତାରାତି ଲଣ୍ଡା କରିଦେଇଥିଲେ କାଠମାଫିଆ

ପୁନାସିଆ ଗାଁ ଲୋକଙ୍କ ସବୁଜ ମିସନ ସଫଳ ହେଲା

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍‌ ପୁନାସିଆ ଗାଁକୁ ଲାଗିରହିଛି ପାଖାପାଖି ୮୦ ହେକ୍ଟର ପରିସୀମା ପରିବ୍ୟାପ୍ତ ଗ୍ରାମ୍ୟ ଜଙ୍ଗଲ। ହେଲେ, ୧୭ ବର୍ଷ ପୂର୍ବରୁ ଏହି ଜଙ୍ଗଲ ଉପରେ ନଜର ପକାଇଥିଲେ କାଠ ମାଫିଆ। ରାତାରାତି ଗଛ କାଟି ଜଙ୍ଗଲ ଲଣ୍ତା କରି ଦେଉଥିଲେ। ସେତେବେଳେ ବନବିଭାଗର ଏତେ କଡ଼ା ନଜର ବି ନଥିଲା। ଆଉ ଦିନ କେଇଟା ଭିତରେ ସାରା ଜଙ୍ଗଲ ଉଜୁଡ଼ିଗଲା। ଏ ସବୁ ଦେଖି କ୍ଷୋଭ ପ୍ରକାଶ କରିଥିଲେ ପୁନାସିଆ ଗ୍ରାମବାସୀ। ଦୀର୍ଘବର୍ଷ ଧରି ଅକ୍ଳାନ୍ତ ପରିଶ୍ରମ କରି ଏହାକୁ ସବୁଜ ବନାନୀରେ ରୂପାନ୍ତରିତ କରିଛନ୍ତି।

ସୂଚନା ଅନୁସାରେ, ୨୦୦୩ ମସିହାରେ ଗ୍ରାମର କିଛି ଯୁବକ ଓ ମହିଳା ଜଙ୍ଗଲ ସଜାଡ଼ିବାକୁ ଦାୟିତ୍ବ ନେଇ ପୁନାସିଆ ବନସୁରକ୍ଷା କମିଟି ଗଠନ କଲେ। ପାଳି କରି ଜଙ୍ଗଲକୁ ଜଗିବା ଆରମ୍ଭ କଲେ। ଧୀରେ ଧୀରେ କଟା ହୋଇଥିବା ଗଛ ଗଣ୍ତିରୁ ନୂଆ ଗଜା ବାହାରିଲା। ଯାହାକୁ ଦେଖି ଗ୍ରାମବାସୀଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଥିଲା। ପରେ ପରେ ଶାଳ, ପିଆଶାଳ, କଦମ୍ବ, ଜାମୁ, ପଣସ, ଓଉ, ଅଂଳା, କୁସୁମ ଭଳି ଶହଶହ ଗଛ ଲଗାଇଲା ବନସୁରକ୍ଷା କମିଟି। ଧୀରେ ଧୀରେ ଲଣ୍ତା ପଡ଼ିଆ ହୋଇଯାଇଥିବା ଉକ୍ତ ଜଙ୍ଗଲ ପୁଣି ଘଞ୍ଚ ହୋଇଛି। ଏହାର ରକ୍ଷଣାବେକ୍ଷଣ ବାବଦ ଯାହାବି ଅର୍ଥ ଆବଶ୍ୟକ ପଡ଼ୁଛି ଗ୍ରାମବାସୀ ନିଜେ ଦେଉଛନ୍ତି। ଜଙ୍ଗଲ ବୃଦ୍ଧି ପାଇବା ଯୋଗୁଁ ପୁଣି ଏଠାକୁ ଫେରିଲେଣି ପଶୁପକ୍ଷୀ। ଆଉ ଏବେ ସେମାନଙ୍କ କଳରବରେ କୋଳହାଳମୟ ଏହି ଜଙ୍ଗଲ। ତେବେ, ପରିତାପର ବିଷୟ ଉକ୍ତ ଜଙ୍ଗଲ ଜମି ରାଜସ୍ବ ବିଭାଗ ଅଧୀନରେ ଯାଉଥିବାରୁ ଜଙ୍ଗଲ ବିଭାଗ କୌଣସି ଆର୍ଥିକ ସହାୟତା ପ୍ରଦାନ କରୁନାହିଁ। ଜଙ୍ଗଲ ସୁରକ୍ଷା ପାଇଁ ସରକାରଙ୍କ ସହାୟତା ଜରୁରୀ ବୋଲି କହିଛନ୍ତି ଗ୍ରାମର କମଲ କୁମାର ନାଏକ, ପ୍ରଦୀପ ନାଏକ, ନିରଂଜନ ସୁଆଂସି, ସଉଦାମୀନି ମହାକୁଡ, ଉଷାମଣି ମହାକୁଡ, ଅଂଜନା ନାଏକ, ଉସାମଣି ନାଏକ, କୌଶଲ୍ୟା ନାଏକ, ସଂଜୁ ମହାକୁଡ, କୌଶଲ୍ୟା ମହାକୁଡ, କବିତା ମହାକୁଡ, ଦୈପଦୀ ନାଏକ ପ୍ରମୁଖ। ଏଥିସହ ଜଙ୍ଗଲ ପରିସୀମାକୁ ତାରଜାଲି ଘେରାଇଲେ ଏହା ଅଧିକ ସୁକ୍ଷିତ ହୋଇ ପାରନ୍ତା ବୋଲି ସେମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର