ଦ୍ରୁତ ଶିଳ୍ପାୟନର କବର ଭିତରକୁ ଚାଲିଗଲାଣି ସବୁଜିମା: ଏବେ କେବଳ ଈଶ୍ବର ଅଛନ୍ତି, ଝାଡ଼୍‌ ନାହିଁ

ତେଜସ୍କର ମହାପାତ୍ର

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ଇଷ୍ଟଦେବତା ବାବା ଝାଡ଼େଶ୍ବରଙ୍କୁ ନେଇ ଜିଲ୍ଲାର ନାମକରଣ ବି ହୋଇଥିବା ଲୋକକଥାରେ ପ୍ରଚଳିତ। ଅଞ୍ଚଳର ପ୍ରାକୃତିକ ସ୍ଥିତିକୁ ନେଇ ଏହି ଶତାବ୍ଦୀ ପୁରୁଣା ମନ୍ଦିରର ସେତେବେଳେ ନାମକରଣ ହୋଇଥିଲା। ଝାଡ଼୍‌(ସମ୍ବଲପୁରୀ ଭାଷାରେ ଜଙ୍ଗଲ) ମଧ୍ୟରେ ପାତାଳ ଫୁଟି ଶିବଲିଙ୍ଗ ବାହାରିଥିଲେ। ତେଣୁ ଏହି ଠାକୁରଙ୍କ ନାମ ଝାଡ଼େଶ୍ବର ବୋଲି ରଖାଯାଇଥିଲା। କିନ୍ତୁ ଜିଲ୍ଲାରେ ଦ୍ରୁତ ଶିଳ୍ପାୟନ ସାଙ୍ଗକୁ ଜନବସତିର ବୃଦ୍ଧି ଯୋଗୁ ଏହି ଜଙ୍ଗଲର ଏବେ ହଜିଗଲାଣି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ୯୦ ଦଶକ ପରେ ହିଁ ଏହି ଅଞ୍ଚଳରୁ ଜଙ୍ଗଲ କ୍ଷୟ ଆରମ୍ଭ ହୋଇଥିବା ବେଳେ ବିକଳ୍ପ ବନୀକରଣ ପାଇଁ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ଫଳରେ ଏବେ ଏଠାରେ କେବଳ ମହାଦେବ ଈଶ୍ବର ରହିଥିବା ବେଳେ ଝାଡ଼୍‌ ବା ଜଙ୍ଗଲର ଅସ୍ତିତ୍ବ ହିଁ ନାହିଁ। ଇତିହାସ ପୃଷ୍ଠାକୁ ଓଲଟାଇ ଦେଖିଲେ ପ୍ରାୟ ୧୮୩୦ ମସିହା ବେଳକୁ ଝାରସୁଗୁଡ଼ାର ଜମିଦାର ଥିବା ଗୋବିନ୍ଦ ସିଂଙ୍କ ସମୟରେ ଏକ ଚାଳ କୁଡ଼ିଆରେ ଏହି ପାତାଳ ଫୁଟି ଶିବ ଲିଙ୍ଗଙ୍କୁ ପୂଜା କରାଯାଉଥିଲା। ଏହି ଶିବଲିଙ୍ଗ କେତେ ପୁରୁଣା ତାହା କୌଣସି ଇତିହାସରେ ବି ସ୍ପଷ୍ଟଭାବେ ବର୍ଣ୍ଣିତ ହୋଇନାହିଁ। ତେବେ, ଏହାର ପ୍ରାୟ ୯୦ ବର୍ଷ ପରେ ଅର୍ଥାତ୍‌  ୧୯୧୬ ମସିହାରେ ଗୁଜରାଟୀ କଣ୍ଟ୍ରାକ୍ଟର ମୁଲିଜୁ ଜଗମାଲ ଏଠାରେ ଏକ ଛୋଟ ମନ୍ଦିର ତିଆରି କରିଥିଲେ। ସମୟକ୍ରମେ ମନ୍ଦିରର ଆକାର ବୃଦ୍ଧି ହୋଇଆସିଛି। ୯୦ ଦଶକ ଯାଏ ଏହି ମନ୍ଦିରକୁ ଲାଗି ପୂର୍ଣ୍ଣା ଓ କାତିକେଲା ଜଙ୍ଗଲ ପ୍ରାୟ ୨ କିମି ପରିଧି ଯାଏ ପରିବ୍ୟାପ୍ତ ଥିଲା। ସେତେବେଳେ ଦଲ୍‌କି (ଗୋଟିଏ ସ୍ଥାନର ନଁା) ମଧ୍ୟ ଏହି ଜଙ୍ଗଲର ଅଂଶବିଶେଷ ଥିଲା। ବିଭିନ୍ନ ପ୍ରକାର ବନ୍ୟଜନ୍ତୁ ଏହି ଜଙ୍ଗଲରେ ବସବାସ କରୁଥିଲେ। ଏପରିକି ୯୦ ଦଶକରେ ଏକ ନରହନ୍ତା ମହାବଳ ବାଘ ବି ଏହି ମନ୍ଦିର ନିକଟରେ ବୁଲାବୁଲି କରିବା ସହିତ ପ୍ରଶାସନର ନିଦ ହଜେଇ ଦେଇଥିଲା। ସମ୍ବଲପୁରରୁ ସାର୍ପସୁଟର ଆସି ଉକ୍ତ ମହାବଳକୁ ମାରିବା ପରେ ତାକୁ ସହର ସାରା ବୁଲା ଯାଇଥିଲା।

ଅର୍ଥାତ୍‌ ୯୦ ଦଶକ ଯାଏ ମନ୍ଦିରକୁ ଲାଗି ମହାବଳ ବାଘ ରହିବା ଭଳି ଉତ୍କୃଷ୍ଟ ଜଙ୍ଗଲ ବି ରହିଥିଲା। କେବଳ ବାଘ ନୁହେଁ, ବରଂ ୨୦୧୦ ଯାଏ ମନ୍ଦିର ପରିସରରେ ୨ଶହରୁ ଅଧିକ ହରିଣ ରହୁଥିବା ଏକ ଡିୟର ପାର୍କ ବି ରହିଥିଲା। କିନ୍ତୁ ଦ୍ରୁତ ଶିଳ୍ପାୟନ ଯୋଗୁ ସମ୍ପୂର୍ଣ୍ଣ କାତିକେଲା ଜଙ୍ଗଲ ଉଜୁଡ଼ିଗଲା। ଏହି କାତିକେଲା ଓ ପୂର୍ଣ୍ଣା ଜଙ୍ଗଲ ଉପରେ ନିର୍ଭରଶୀଳ ଲୋକଙ୍କ ଜୀବନ ଜୀବିକା ଉଜୁଡ଼ିଗଲା। କିନ୍ତୁ ଉଜୁଡ଼ିଥିବା ଜଙ୍ଗଲର ପୁନରୁଦ୍ଧାର ପାଇଁ ନା କୌଣସି ପ୍ରୟ‌ାସ ହେଲା ନା ପୁନଃବନୀକରଣ ହେଲା। ଫଳସ୍ବରୂପ ଝାରସୁଗୁଡ଼ା ବନଖଣ୍ଡ ୨୦୦୩ ମସିହାରେ ସମ୍ବଲପୁରରୁ ଭିନ୍ନହୋଇ ସ୍ବତନ୍ତ୍ର ଡିଭିଜନ ହେବାବେଳକୁ ଏହାର ଜଙ୍ଗଲ ଆୟତନ ୩୩ ପ୍ରତିଶତରୁ ଖସି ୨୦ ପ୍ରତିଶତରେ ପହଞ୍ଚି ସାରିଥିଲା। ଏହାରି ଭିତରେ ଜଙ୍ଗଲର ଆୟତନ ଆହୁରି ୫ ପ୍ରତିଶତ ହ୍ରାସ ପାଇସାରିଥିବା ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର