ହଜ୍‌ ତୀର୍ଥଯାତ୍ରୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର : ରାଜ୍ୟ ହଜ୍‌ କମିଟି ଓ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ହଜ୍‌ ତୀର୍ଥଯାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଉତ୍ସବରେ ଭିଡିଓ କନ୍‌ଫରେନ୍ସିଂରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବର୍ଷ(୨୦୨୩)ର ହଜ୍‌ ତୀର୍ଥଯାତ୍ରୀଙ୍କର ମଙ୍ଗଳକାମନା କରିବା ସହ ସୁରକ୍ଷିତ ଯାତ୍ରା ପାଇଁ ଶୁଭକାମନା ଜଣାଇଛନ୍ତି।

ଏହି ଅବସରରେ ପ୍ରତ୍ୟେକ ଯାତ୍ରୀଙ୍କୁ ହଜ୍‌ କିଟ୍‌ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ୧୦ ହଜାର ଟଙ୍କା ଲେଖାଏଁ ଚେକ୍‌ ଜରିଆରେ ପ୍ରଦାନ କରାଯାଇଛି। ଓଡ଼ିଆ ଭାଷାରେ ଏକ ହଜ୍‌ ଗାଇଡ୍‌ ଉନ୍ମୋଚନ କରାଯାଇଛି। ଚଳିତ ବର୍ଷ ହଜ୍‌ କମିଟି ଜରିଆରେ ରାଜ୍ୟର ୮୮୮ ଜଣ ହଜ୍‌ ତୀର୍ଥ ଯାତ୍ରୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୫୧୧ ଜଣ ପୁରୁଷ ଓ ୩୭୭ ଜଣ ମହିଳା ରହିଛନ୍ତି। ଯାତ୍ରାକାଳରେ ସେମାନଙ୍କର ଯତ୍ନ ନେବା ପାଇଁ ୩ ଜଣ ଖାଦିମ୍‌-ଉଲ୍‌-ହୁଜାଜ୍‌ଙ୍କୁ ସରକାର ସେମାନଙ୍କ ସାଙ୍ଗରେ ପଠାଇଛନ୍ତି।

ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟ ସଭା ସାଂସଦ ମୁନ୍ନା ଖାନ୍, ବିଧାୟକ ଦେବୀପ୍ରସାଦ ମିଶ୍ର, ବିଭାଗୀୟ ସଚିବ ରୂପାରୋଶନ ସାହୁ, ସଂଖ୍ୟାଲଘୁ ବ୍ୟାପାର ଉପଦେଷ୍ଟା ତହେରା ଖାତୁନ୍‌, ଓଡ଼ିଶା ୱାକଫ୍‌ ‌ବୋର୍ଡ ପ୍ରଶାସକ ସେଖ୍‌ ନିଜାମୁଦ୍ଦିନ୍‌, ଓବିସି ନିର୍ଦ୍ଦେଶକ ସୀତାଂଶୁ କୁମାର ରାଉତ, ହଜ୍‌ କମିଟି ନିର୍ବାହୀ ଅଧିକାରୀ ସୁଲତାନ୍‌ ଖାନ୍‌ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର