ବିକାଶବିରୋଧୀ ବିଜେଡି ସରକାରକୁ ହଟାଇବା ଆମ ଲକ୍ଷ୍ୟ: ମନମୋହନ

ନୂଆ ରାଜ୍ୟ ସଭାପତିଙ୍କୁ ସମ୍ବର୍ଧନା, ଆମେ ଶୋଇବୁ ନାହିଁ କି ରାଜ୍ୟ ସରକାରଙ୍କୁ ଶୋଇବାକୁ ଦେବୁ ନାହିଁ

ଭୁବନେଶ୍ବର : ମନମୋହନ ସାମଲ ବିଜେପିର ରାଜ୍ୟ ସଭାପତି ହେବା ପରେ ଆଜି ରାଜ୍ୟ କାର୍ଯ୍ୟାଳୟ ଆସି ଦାୟିତ୍ବ ଗ୍ରହଣ କରିଛନ୍ତି। ଏଥିପାଇଁ ତାଙ୍କୁ ଦଳର କର୍ମୀ ଏବଂ ବରିଷ୍ଠ ନେତାମାନେ ଉଚ୍ଛ୍ବର୍ସିତ ସ୍ବାଗତ ସମ୍ବର୍ଦ୍ଧନା ଦେଇଛନ୍ତି।

ବିଜେପି ନେତା ଓ କର୍ମୀଙ୍କୁ ସମ୍ବୋଧନ କରି ମନମୋହନ ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି। ୨୦୨୪ରେ ନିର୍ବାଚନ ଜିତିବା ଏକମାତ୍ର ଲକ୍ଷ୍ୟ, ତାହା କହିଛନ୍ତି। ୨୦୦୦ ମସିହାରେ କଂଗ୍ରେସକୁ ହଟାଇବାକୁ ଶପଥ ନେଇଥିଲୁ, ଏବେ ବିଜେଡିକୁ ହଟାଇବାକୁ ଶପଥ ନେବା।

ମନମୋହନ କହିଛନ୍ତି ଯେ କଂଗ୍ରେସ ଦଳର ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତି ବିରୋଧରେ ଲଢ଼ିବାକୁ ଯାଇ ବିଜେଡିର ପ୍ରତିଷ୍ଠା ହୋଇଥିଲା। ଆଜି ତାହାଠାରୁ ବହୁ ଅଧିକ ଗୁଣା ଭୟାନକ ଓ ବିସ୍ଫୋରକ ସ୍ଥିତି ଦେଖାଯାଉଛି। ବିଜେଡି କଂଗ୍ରେସ ଦଳକୁ ବଳିଗଲାଣି। ଓଡ଼ିଶାରେ ସବୁକିଛି ଥାଇ ସୁଦ୍ଧା ଓଡ଼ିଆ ଆଜି ଗରିବ। ଶାସନ ବ୍ୟବସ୍ଥା ସ୍ଥାଣୁ ପାଲଟିଯାଇଛି। ଗଣତନ୍ତ୍ର ବିପଦରେ। ବର୍ତ୍ତମାନ ବିଜେଡି ସରକାରକୁ ତଡ଼ିବାର ସମୟ ଆସିଯାଇଛି। ଜନବିରୋଧୀ, ବିକାଶବିରୋଧୀ ବିଜେଡି ସରକାରକୁ ହଟାଇବା ହେଉଛି ଆମର ଏକ ମାତ୍ର ଲକ୍ଷ୍ୟ।

ରାଜ୍ୟ ସଭାପତି କହିଛନ୍ତି ଯେ ଅତୀତରେ ଅନ୍ୟ ରାଜନୈତିକ ଦଳ ଆମକୁ ଓଡ଼ିଶାରେ ସାଇନ୍‌ବୋର୍ଡ ପାର୍ଟି କହୁଥିଲେ। ହେଲେ ବିଜେପିର ଭୋଟ୍ ୩୯%ରେ ପହଞ୍ଚିଛି। ଏଥର ସାଧାରଣ ଲୋକ ନିର୍ବାଚନ ଲଢ଼ିବେ ଏବଂ ସେମାନେ ସରକାର ଗଠନ କରିବେ। ଆମ ଦଳର ପୋଷ୍ଟର ମାରୁଥିବା ସାଧାରଣ କାର୍ଯ୍ୟକର୍ତାଟି ନବୀନ ପଟ୍ଟନାୟକଙ୍କଠାରୁ ଭଲ ଶାସନ ଦେବାକୁ ସକ୍ଷମ। ରାଜ୍ୟରେ ରାଜନୈତିକ ବ୍ୟବସ୍ଥାକୁ ବିଜେଡି ନଷ୍ଟ କରିଦେଇଛି। କୃଷି, ଶିଳ୍ପ, ପର୍ଯ୍ୟଟନ, ଜଳସେଚନ ଆଦି କ୍ଷେତ୍ରରେ ଓଡ଼ିଶା ଆଜି ବହୁ ପଛରେ। ରାଜ୍ୟବାସୀ ଦାଦନ, କଟ୍‌ନି-ଛଟ୍‌ନିର ଶିକାର ହେଉଛନ୍ତି। ପୁଲିସ ପ୍ରଶାସନର ଅପବ୍ୟବହାର କରି ବିରୋଧୀଙ୍କୁ ମିଛ କେସ୍‌ରେ ଜେଲ୍‌ରେ ଭର୍ତ୍ତି କରାଯାଉଛି। ୨୩ ଜଣ ଯୁବ କାର୍ଯ୍ୟକର୍ତ୍ତାଙ୍କୁ ମିଛ କେସ୍‌ରେ ଜେଲ୍‌ରେ ଭର୍ତ୍ତି କରିଦିଆଯାଇଛି। ଲଢ଼େଇ ଆରମ୍ଭ ହୋଇଯାଇଛି, ରାଜ୍ୟବାସୀ ବିକଳ୍ପ ସରକାର ଖୋଜୁଛନ୍ତି। ରାଜ୍ୟର ସାମୂହିକ ବିକାଶ ପାଇଁ ଆମ ପାଖରେ ସୁଦୃଢ଼ ନକ୍ସା ପ୍ରସ୍ତୁତ ଅଛି। ଆମେ ଶୋଇବୁ ନାହିଁ କି ରାଜ୍ୟ ସରକାରଙ୍କୁ ଶୋଇବାକୁ ଦେବୁ ନାହିଁ ବୋଲି ଶ୍ରୀ ସାମଲ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ଓଡ଼ିଶା ପ୍ରଭାରୀ ଡି. ପୁରନ୍ଦେଶ୍ବରୀ, ସହପ୍ରଭାରୀ ବିଜୟପାଲ ସିଂହ ତୋମାର, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ସାଂସଦ ଜୁଏଲ ଓରାମ, ବସନ୍ତ ପଣ୍ଡା, କେ.ଭି.ସିଂହଦେଓ, ସାଂସଦ ପ୍ରତାପ ଷଡ଼ଙ୍ଗୀ, ସଂଗୀତା ସିଂହଦେଓ, ଅପରାଜିତା ଷଡ଼ଙ୍ଗୀ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ ରାଜ୍ୟ ସଭାପତି ଶ୍ରୀ ସାମଲଙ୍କୁ ଶୁଭେଚ୍ଛା ଜଣାଇବା ସହ ବିଜେଡି ସରକାରକୁ ଅପାରଗ ଓ ଭ୍ରଷ୍ଟାଚାରୀ ବର୍ଣ୍ଣନା କରି ଲଢ଼େଇକୁ ଶାଣିତ କରିବାକୁ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ରବି ନାଏକ, ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର