ଦୁର୍ଦ୍ଦଶାରେ ଗ୍ରୀଡ୍‌କୋ, ଓପିଟିସିଏଲ୍‌ ଯନ୍ତ୍ରୀ

ଭୁବନେଶ୍ୱର : ନୂଆ ନିଯୁକ୍ତିରେ ନିଷେଧାଜ୍ଞା ବଳବତ୍ତର ଥିବାରୁ ସରକାରୀ ନିଗମ ଗ୍ରୀଡ୍‌ କର୍ପୋରେସନ୍‌ (ଗ୍ରୀଡ୍‌କୋ) ଏବଂ ଓଡ଼ିଶା ବିଦ୍ୟୁତ ପରିବହନ କର୍ପୋରେସନ୍‌ ଲିଃ (ଓପିଟିସିଏଲ୍‌)ରେ ଖାଲି ପଡ଼ିଥିବା ନିୟମିତ ଇଞ୍ଜିନିୟର୍‌ ପଦଗୁଡ଼ିକୁ ୨୦୦୫ରୁ ୨୦୦୮ ମଧ୍ୟରେ ଆଉଟ୍‌ ସୋର୍ସିିଂ ଇଞ୍ଜିନିୟର୍‌ ନାମରେ ପୂରଣ କରାଯାଇଥିଲା। ଉଭୟ ନିଗମର ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ଚୟନ କମିଟି ଦ୍ୱାରା ପ୍ରଥମ ଶ୍ରେଣୀରେ ଡିଗ୍ରୀ ଓ ଡିପ୍ଲୋମା ପାସ୍‌ କରିଥିବା ଇଞ୍ଜିନିୟର୍‌ମାନଙ୍କୁ ଯଥାକ୍ରମେ ସହକାରୀ ମ୍ୟାନେଜର୍‌ (ଏଏମ୍‌) ଓ କନିଷ୍ଠ ମ୍ୟାନେଜର (ଜେଏମ୍‌) ଭାବେ ନିଯୁକ୍ତି ଦେଇଥିଲେ। ସେତେବେଳେ ସେମାନଙ୍କ ପ୍ରାପ୍ୟ ଧାର୍ଯ୍ୟ ହୋଇଥିଲା ୮,୫୦୦ ଓ ୬,୫୦୦ ଟଙ୍କା। ଦୀର୍ଘ ୧୨ରୁ ୧୫ ବର୍ଷ ଧରି ବିଦ୍ୟୁତ୍‌ ପରିବହନ, ଆବଣ୍ଟନ ଓ ଏପରିକି ଇଏଚ୍‌ଟି ଲାଇନ୍‌ ଭଳି ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ ସେହି ଯନ୍ତ୍ରୀମାନେ ଏବେ ୪୦ ବର୍ଷରେ ଉପନୀତ। ଅଥଚ ସେମାନଙ୍କ ପ୍ରାପ୍ୟ ଯାହା ଥିଲା ସେଇଆ। ସେମାନେ କେବେ ବାର୍ଷିକ ବେତନ ବୃଦ୍ଧି (ଇନ୍‌କ୍ରିମେଣ୍ଟ)ର ସୁଯୋଗ ପାଇ ନାହାନ୍ତି କି ସେମାନଙ୍କ ଚାକିରି ନିରାପତ୍ତା ନାହିଁ।

Sarkari360.com

ଯଦିଓ ଓପିଟିସିଏଲ୍‌ ଅତୀତରେ ଚାକିରି ଅଭିଜ୍ଞତା ଭିତ୍ତିରେ ନିୟମିତ ସହକାରୀ ଯନ୍ତ୍ରୀ ନିଯୁକ୍ତ କରିଛି, ତଥାପି ସେହି ସଂସ୍ଥାରେ ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ଆଉଟ୍‌ ସୋର୍ସିିଂ ଯନ୍ତ୍ରୀମାନେ ଅନୁରୂପ ସୁଯୋଗରୁ ବଞ୍ଚିତ ହୋଇଛନ୍ତି। ଠିକା ବା ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କୁ ନିୟମିତ କରିବା ଲାଗି ସରକାର ଇତିମଧ୍ୟରେ ନୀତି ନିର୍ଦ୍ଧାରଣ କରିଛନ୍ତି। ମାତ୍ର ଗ୍ରୀଡ୍‌କୋ ଏବଂ ଓପିଟିସିଏଲ୍‌ରେ କାର୍ଯ୍ୟରତ ଏହି ଦୁର୍ଦ୍ଦଶାଗ୍ରସ୍ତ ଇଞ୍ଜିନିୟର୍‌ଙ୍କ ପାଇଁ ସେହି ନୀତି ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନାହିଁ। ଦୀର୍ଘ ବର୍ଷର କାର୍ଯ୍ୟ ଦକ୍ଷତା ଓ ଅଭିଜ୍ଞତାକୁ ବିଚାର କରି ଏହି ଯନ୍ତ୍ରୀମାନଙ୍କୁ ଆଉଟ୍‌ ସୋର୍ସିିଂ ବଦଳରେ ଇନ୍‌ ସୋର୍ସିିଂ ଇଞ୍ଜିନିୟର୍‌ ଭାବେ ଉଭୟ ନିଗମ ନିୟମିତ କରିବାକୁ ସେମାନେ ଆକୁଳ ନିବେଦନ କରି ଆସୁଥିଲେ ମଧ୍ୟ କର୍ତ୍ତୃପକ୍ଷ କିମ୍ବା ସରକାର ଅଦ୍ୟାବଧି କର୍ଣ୍ଣପାତ କରି ନାହାନ୍ତି। ଏହି ଦୁର୍ଦ୍ଦଶାଗ୍ରସ୍ତ ଇଞ୍ଜିନିୟର୍‌ମାନେ ଜଣାଇଛନ୍ତି ଯେ ପଡ଼ୋଶୀ ତେଲେଙ୍ଗାନା ରାଜ୍ୟର ବିଦ୍ୟୁତ ନିଗମରେ କାର୍ଯ୍ୟରତ ସମସ୍ତ ଆଉଟ୍‌ ସୋର୍ସିିଂ ଓ ଚୁକ୍ତିଭିତ୍ତିକ ଯନ୍ତ୍ରୀମାନଙ୍କ ଚାକିରିକୁ ସେ ସରକାର ୨୦୧୭ରୁ ନିୟମିତ କରିଛନ୍ତି। ମାତ୍ର ଅତ୍ୟାବଶ୍ୟକ ସେବା ଯୋଗାଇବା ଲାଗି ୫ଟି ଓ ମୋ ସରକାର ଯୋଜନା କାର୍ଯ୍ୟକାରୀ କରିଥିବା ଓଡ଼ିଶା ସରକାର ବିଦ୍ୟୁତ ଯୋଗାଣ ଭଳି ଅତ୍ୟାବଶ୍ୟକ ସେବାରେ ଥିବା ଏହି ଅବିଚାର ପ୍ରତି ଏ ପର୍ଯ୍ୟନ୍ତ ଦୃଷ୍ଟି ଦେଇ ନାହାନ୍ତି।

ସମ୍ବନ୍ଧିତ ଖବର