ଭୁବନେଶ୍ୱର : ଏଣିକି ବ୍ଲକସ୍ତରରେ ହେବ ଶିକ୍ଷକ ଓ ବିଦ୍ୟାଳୟ ସମସ୍ୟାର ସମାଧାନ। ଜିଲ୍ଲା କିମ୍ବା ରାଜ୍ୟସ୍ତରରେ ଥିବା ଅଭିଯୋଗ ପ୍ରକୋଷ୍ଠ ବଦଳରେ ବ୍ଲକସ୍ତରରେ ଅଭିଯୋଗର ଶୁଣାଣି କରାଯିବ। ଶିକ୍ଷକଙ୍କୁ ଆଉ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ। ବ୍ଲକସ୍ତରରୁ ଆରମ୍ଭ କରି ଜିଲ୍ଲା ପର୍ଯ୍ୟନ୍ତ ଅଭିଯୋଗ ପ୍ରକୋଷ୍ଠକୁ ସକ୍ରିୟ କରାଯାଇ ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗୋପବନ୍ଧୁ ପ୍ରଶାସନିକ ଏକାଡେମିଠାରେ ଆଜିଠାରୁ ଆରମ୍ଭ ହୋଇଥିବା ଶିକ୍ଷା ପ୍ରଶାସନ ଅଧିକାରୀଙ୍କ ତିନିଦିନିଆ ସମ୍ମିଳନୀକୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଉଜ୍ଜ୍ୱଳ, ଉତ୍ଥାନ ଓ ଉତ୍କର୍ଷ ଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବିଦ୍ୟାଳୟକୁ ଠିକ୍ ଭାବେ ମନିଟରିଂ କରିବା ସହ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକମାନେ ନିୟମିତ ବ୍ୟବଧାନରେ ବିଦ୍ୟାଳୟକୁ ଗସ୍ତ କରି ଯାଞ୍ଚ କରିବେ। ଅଭିଭାବକ ଓ ଗୋଷ୍ଠୀଙ୍କ ସହ ଆଲୋଚନା କରି ସକରାତ୍ମକ ବାତାବରଣ ସୃଷ୍ଟି ଦିଗରେ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି। ବିଦ୍ୟାଳୟଗୁଡ଼ିକରେ ସବୁଜ ବାତାବରଣ ସୃଷ୍ଟି କରିବାକୁ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଯୋଗଦେଇ ଶିକ୍ଷା ବିଭାଗରେ ପୁନର୍ଗଠନ କରାଯିବା ସହ ଶିକ୍ଷା ସମ୍ପର୍କିତ ୧୫ଟି ପ୍ରସ୍ତାବକୁ ଗୃହୀତ କରାଯାଇଛି ବୋଲି କହିଥିଲେ। ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓପେପା)ର ନିର୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ସ୍ୱାଗତ ଭାଷଣ ଦେଇ ଗୁଣାତ୍ମକ ଶିକ୍ଷା ହାସଲ ନିମନ୍ତେ କାର୍ମତତ୍ପର ଓ ଉତ୍ତରଦାୟୀ ହେବାକୁ ପରାମର୍ଶ ଦେଇଥିଲେ। ଏହି ସମ୍ମିଳନୀରେ ଏସ୍ସିଇଆର୍ଟି ନିର୍ଦେଶକ ପ୍ରତାପ ଚନ୍ଦ୍ର ଦାସ, ପ୍ରାଥମିକ ଶିକ୍ଷା ନିର୍ଦେଶକ ବିରଞ୍ଚି ନାରାୟଣ ମହାନ୍ତି, ବିଭାଗୀୟ ବରିଷ୍ଠ ପଦାଧିକାରୀ, ୩୦ଟି ଜିଲ୍ଲା ଶିକ୍ଷା ଅଧିକାରୀ, ସମଗ୍ର ଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ପ୍ରମୁଖ ଉପସ୍ଥିତ ଥିଲେ।