ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଆଜି ଲୋକାରଣ୍ୟ ହୋଇଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଲୋକମାନେ ନିଜର ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ସେମାନଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଲୋକମାନେ କହିଛନ୍ତି।

Advertisment

ଝିଅର ଚିକିତ୍ସା ପାଇଁ ବଦଳି
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ପାତ୍ରପୁର ଅଞ୍ଚଳର ରଶ୍ମିରଂଜନ ପ୍ରଧାନ। ତାଙ୍କ ୧୧ବର୍ଷର ଝିଅ ଅଟିଜିମ୍‌ରେ ପୀଡ଼ିତ। ପତ୍ନୀ ସ୍ଥାନୀୟ ଅଞ୍ଚଳରେ ପ୍ରାଥମିକ ସ୍କୁଲର ଶିକ୍ଷକଭାବେ କାର୍ଯ୍ୟ କରୁଛନ୍ତି। ହେଲେ ଅଟିଜିମ୍‌ରେ ପୀଡ଼ିତ ଝିଅର ଚିକିତ୍ସା କିନ୍ତୁ ଭୁବନେଶ୍ବର ଚନ୍ଦକା ଅଞ୍ଚଳରେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ହେଲ୍‌ଥ ସାଇନ୍‌ସରେ ହେଉଛି। ମାତ୍ର ଗଣଶିକ୍ଷା ବିଭାଗରେ ଅନ୍ତଃ ଜିଲ୍ଲା ବଦଳିର ନିୟମ ନାହିଁ। ଧୀରେ ଧୀରେ ଝିଅ ବଡ଼ ହେଉଥିବା ବେଳେ ନିୟମିତ ଚିକିତ୍ସା ନ କଲେ ସ୍ଥିତି ଆହୁରି ବିଗିଡ଼ିଯିବ। ଏହାର ସମାଧାନ ପାଇଁ ଭିନ୍ନକ୍ଷମ କମସନରଙ୍କଠାରୁ ଆରମ୍ଭ କରି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଅଧିକାରୀଙ୍କୁ ଭେଟି ନିଜର ଦୁଃଖ ଜଣାଇଥିଲି। ଏହା ଏକ ସ୍ବତନ୍ତ୍ର ମାମଲା ହୋଇଥିବାରୁ ବଦଳି ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଉଦ୍ୟମ ହୋଇଥିଲା। ହେଲେ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଝିଅର ଚିକିତ୍ସା ପାଇଁ ଡାକ୍ତର ଓ ପ୍ରଶିକ୍ଷକ ମା’ଙ୍କ ଉପସ୍ଥିତି ଖୋଜୁଛନ୍ତି। ମାତ୍ର ତାଙ୍କ ପତ୍ନୀ ଗାଁରେ ଶିକ୍ଷକ ଥିବାରୁ ନିୟମିତ ଭୁବନେଶ୍ବରୁ ଆସିପାରୁ ନାହାନ୍ତି। ତେଣୁ କିଛିବର୍ଷ ହେବ ଝିଅର ଚିକିତ୍ସା ବନ୍ଦ ରହିଛି। ତେଣୁ ମୁଖ୍ୟମନ୍ତ୍ରୀ ଯଦି ଚାହିଁବେ ତାହାଲେ ବଦଳି ସମ୍ଭବ ହେବା ସହ ଝିଅର ଚିକିତ୍ସା ହୋଇପାରିବ। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଗୁହାରି ଜଣାଇବି ବୋଲି ରଶ୍ମି କହିଛନ୍ତି।

ସରକାରୀ ଜାଗା ଦର୍ଶାଇ ଦୋକାନଘର ସିଲ୍‌ କରିଦେଲେ ତହସିଲଦାର
କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଅଞ୍ଚଳର କୁନି ସାସମଲ। ୨ବର୍ଷ ହେବ ସ୍ଥାନୀୟ ତହସିଲଦାର ତାଙ୍କ ଦୋକାନ ଘରକୁ ସରକାରୀ ଜାଗାରେ ହୋଇଥିବା ଦର୍ଶାଇ ସିଲ୍‌ କରିଦେଇଛନ୍ତି। ତାଙ୍କ ଘର ପାଖରେ ଏକ ବ୍ରିଜ୍ ନିର୍ମାଣ ହୋଇଛି। ପୂର୍ବରୁ ତାଙ୍କ ଦୋକାନ ନିର୍ମାଣ ହୋଇଥିଲା। ମାତ୍ର ବ୍ରିଜ୍ ନିର୍ମାଣ ସମୟରେ ତାଙ୍କ ଜାଗାର ୩ଥର ମାପଚୁପ ହୋଇଥିଲା। ତହସିଲଦାର, ଆରଆଇ ଓ ଅନ୍ୟମାନେ ମାପଚୁପ୍ କରିଥିଲେ। ହେଲେ ଏହାକୁ ସରକାରୀ ଜାଗା କହି ୨ଟି ଦୋକାନ ଘରକୁ ସିଲ୍‌ କରିଦେଲେ। କୁନିଙ୍କ କହିବା କଥା ଦୋକାନ ସିଲ୍‌ କରାଯିବା ପରେ ବ୍ରହ୍ମପୁରସ୍ଥିତ ଆରଡିସିଙ୍କ ନିକଟରେ ମାମଲା ରୁଜୁ କରିଥିଲେ। ମାତ୍ର ବର୍ତ୍ତମାନ ସୁଦ୍ଧା ଏ ମାମଲାରେ କୌଣସି ସମାଧାନ ହୋଇନାହିଁ। ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଗତକାଲିଠାରୁ ଆସିଛି। ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କ ସହ ଆଲୋଚନା କରି‌ ସମାଧାନ କରିବେ ବୋଲି କହିଛନ୍ତି।

publive-image

ସ୍ଥାୟୀ ଚାକିରି ପାଇଁ ଟଙ୍କା ନେଲେ, ଟଙ୍କା ମାଗିବାରୁ ଛଟେଇ କରିଦେଲେ
ମୟୂରଭଞ୍ଜ ଜିଲ୍ଲା କୁଳିଅଣାର ନୀଳକଣ୍ଠ ସିଂହ। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଏକ କାର୍ଯ୍ୟାଳୟରେ ଅସ୍ଥାୟୀଭାବେ ମାଳି କାମ କରୁଥିଲେ। ସ୍ଥାୟୀ ଚାକିରି କରିବା ପାଇଁ ଷ୍ଟେନୋ ତାଙ୍କଠାରୁ ୩୦ହଜାର ଟଙ୍କା ନେଇଥିଲେ। ହେଲେ ଚାକିରି ସ୍ଥାୟୀ ହୋଇପାରିଲା ନାହିଁ। ତେଣୁ ପୂର୍ବରୁ ଯେଉଁ ଟଙ୍କା ଦେଇଥିଲେ ତାକୁ ଫେରାଇବାକୁ ଷ୍ଟେନୋଙ୍କ ନିକଟରେ ଦାବି କରିଥିଲେ। ଟଙ୍କା ତ ମିଳିଲା ନାହିଁ ଓଲଟା ଚାକିରିରୁ ଛଟେଇ କରିଦେଲେ। ଗତ ୪-୫ବର୍ଷ ହେବ ଛଟେଇ ହୋଇଥିବା ନୀଳକଣ୍ଠ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଗତକାଲିଠାରୁ ଭୁବନେଶ୍ବରକୁ ଆସିଛନ୍ତି। ଚାକିରି ଫେରିପାଇବା ନେଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଜଣାଇଥିବା ସେ କହିଛନ୍ତି।

ଅଭିଯୋଗ ପ୍ରକୋଷ୍ଠକୁ ଗୁରୁଣ୍ଡି ଗୁରୁଣ୍ଡି ଆସିଲେ କଷ୍ଟହରି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜିଲ୍ଲା କେନ୍ଦୁଝରର କଷ୍ଟହରି ଜେନା। ନାଁରେ ଯେମିତି ‘କଷ୍ଟ’, ଜୀବନ ମଧ୍ୟ ସେତିକି କଷ୍ଟ। କଷ୍ଟହରି ଜନ୍ମରୁ ଦିବ୍ୟାଙ୍ଗ। କିଛିଦିନ ତଳେ ବାପା ଚାଲିଗଲେ। ରହିବା ପାଇଁ ଘ‌ର ଖଣ୍ଡେ ନାହିଁ। ଯିବାଆସିବା ପାଇଁ ହ୍ବିଲ୍‌ ଚେୟାର ମଧ୍ୟ ନାହିଁ। ପୂର୍ବରୁ ମିଳିଥିବା ହ୍ବିଲ୍‌ ଚେୟାରଟି ଖରାପ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଆଜି ଅଭିଯୋଗ ଶୁଣୁଥିବା ଜାଣିବା ପରେ ଟ୍ରେନ୍‌ରେ ଭୁବନେଶ୍ବରକୁ ଆସିଛନ୍ତି। ୪ ଦିନ ହେବ ଭୋକ ଉପାସରେ ରେଲୱେ ଷ୍ଟେସନ୍‌ରେ ପଡ଼ି ରହିଥିଲେ। ଜଣେ ବ୍ୟକ୍ତି କଦଳୀ ଖାଇବାକୁ ଦେଇଥିଲେ। ଦୟା ଦେଖାଇ ଜଣେ ଅଟୋବାଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଛାଡ଼ି ଦେଇଛନ୍ତି। ହେଲେ ହ୍ବିଲ୍ ଚେୟାର ନ ଥିବାରୁ ଆଜି ଗୁରୁଣ୍ଡି ଗୁରୁଣ୍ଡି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଥିଲେ। ରହିବା ପାଇଁ ଘର ଖଣ୍ଡେ, ହ୍ବିଲ୍‌ ଚେୟା ସାଙ୍ଗକୁ କିଛି ଅର୍ଥ ସହାୟତା ଦେଲେ ଘରକୁ ଯିବେ ବୋଲି କଷ୍ଟହରି କହିଛନ୍ତି।

ଫ୍ୟାମିଲି ପେନ୍‌ସନ୍‌ ପାଇଁ ୫ବର୍ଷ ହେଲା ଦୌଡ଼ୁଛି
ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ର ତପନ ମଣ୍ଡଳ। ବାପା ପୋଷ୍ଟ ମାଷ୍ଟର ଥିଲେ। କିଛିବର୍ଷ ହେବ ତାଙ୍କ ବାପା ଓ ମା’ଙ୍କ ମୃତ୍ୟୁ ହୋଇଯାଇଛି। ତପନ ନିଜେ ଜଣେ ଭିନ୍ନକ୍ଷମ। ଫ୍ୟାମିଲି ପେନ୍‌ସନ୍‌ ନେଇ ୨୦୧୯ ମସିହାରୁ ବିଭିନ୍ନ କାର୍ଯ୍ୟାଳୟ ଦୌଡ଼ୁଛନ୍ତି। ହେଲେ ‌ସମସ୍ୟାର ସମାଧାନ ହୋଇପାରୁନି। ଆଜି ସକାଳୁ ସକାଳ ‌ତପନ ଭୁବନେଶ୍ବରରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ପେନ୍‌ସନ୍‌ର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ତପନ କହିଛନ୍ତି।

୩୨ବର୍ଷ ହେଲା ସ୍କୁଲରେ ଖଟୁଛି, ମୋ ଦରମା ମିଳୁ
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍‌ର ସୁନାମଣି ମୁଖୀ। ଫକୀରପୁର ପ୍ରାକ୍ଟିସିଂ ଗାର୍ଲସ୍‌ ହାଇସ୍କୁଲରେ ୱାଚମ୍ୟାନ୍ କମ୍ ସୁପରଭାଇଜର ଭାବେ କାମ କରନ୍ତୁ ସୁନାମଣି। ୧୯୯୧ ମସିହାରୁ କାମ କରୁଥିଲେ ‌ହେଲେ ଆଜି ପର୍ଯ୍ୟନ୍ତ ମୋର ଦରମା ମିଳିନାହିଁ। ୫୦ହଜାର ଟଙ୍କା ଦେଲେ ସବୁ ଦରମା ମିଳିବ ବୋଲି କୁହାଗଲା। ଏତେ ଟଙ୍କା କେଉଁଠୁ ଆଣିବି ବୋଲି କହିବାରୁ ମତେ ନିର୍ଯାତନା ଦିଆଯାଉଛି। ମୋର ଆଉ ୨ବର୍ଷ ଚାକିରି ରହିଛି। ୩୨ବର୍ଷ ଧରି ମୋର ଦରମା ମିଳି ନ ଥିବାରୁ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛି। ଆସନ୍ତା ୭ଦିନ ଭିତରେ ସମସ୍ୟାର ସମାଧାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ସୁନାମଣି କହିଛନ୍ତି।