କାଳିଆପାଣି : କାଳିଆପାଣି ଥାନା ଅନ୍ତର୍ଗତ ଓଡ଼ିଶା ଖଣି ନିଗମ(ଓଏମ୍ସି)ର ଟାଉନସିପ୍ କଲୋନିସ୍ଥିତ ଓଡ଼ିଶା ପୁଲିସର ଶିଳ୍ପ ସୁରକ୍ଷା ବଳ (ଓଆଇଏସ୍ଏଫ୍) ମହିଳା ବାରାକ୍ ପାଚେରିରୁ ପାଖାପାଖି ୫ ଲକ୍ଷ ଟଙ୍କାର ଲୁହା ଗ୍ରିଲ୍ ଚୋରି ହୋଇଛି। ଲୁଟେରାମାନେ ଯୋଜନାବଦ୍ଧ ଭାବେ ମାତ୍ର ଦିନକ ମଧ୍ୟରେ ପାଚେରି ଭାଙ୍ଗି ଏହିସବୁ ସାମଗ୍ରୀ ନେଇଯାଇଥିଲେ ମଧ୍ୟ ପୁଲିସ ଏହାର ଟେର୍ ପାଇ ନଥିଲା।
ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ଯୋଜନାରେ ଓଆଇଏସ୍ଏଫ୍ ବାରାକ୍, ୟୁନିଅନ୍ ବ୍ୟାଙ୍କ କାଳିଆପାଣି ଶାଖା ଓ କାଳିଆପାଣି କେନ୍ଦ୍ରୀୟ ଚିକିତ୍ସାଳୟ ଚାରିପଟେ ନିର୍ମିତ ସିମେଣ୍ଟ୍ କଂକ୍ରିଟ୍ ପାଚେରି ଉପର ଭାଗରେ ଏହି ଗ୍ରିଲ ଲାଗିଥିଲା। ଏଥିରୁ ନବେ ପ୍ରତିଶତ ତାଡ଼ି ନେବାକୁ ନେଇ ଅନ୍ତେବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କିଛି ସ୍ଥାନରେ ଲୁଟେରାମାନେ ପାଚେରି ଭାଙ୍ଗି ମାଟିରେ ମିଶାଇ ଦେଇଥିବା ଦେଖିବାକୁ ମିଳିଛି। ଏଥିରେ ଓଏମ୍ସି ପାଖାପାଖି ୧୦ ଲକ୍ଷ ଟଙ୍କା କ୍ଷତି ସହିଥିବା କୁହାଯାଇଛି। ଏଠାରେ ୪୦ ରୁ ଅଧିକ ମହିଳା ପୁଲିସ କନଷ୍ଟେବଲ୍, ହାବିଲଦାର ଓ ସବ୍ ଇନ୍ସପେକ୍ଟର ପାହ୍ୟାର ୫ ରୁ ଅଧିକ ଅଧିକାରୀ ଅବସ୍ଥାନ କରୁଥିଲେ ମଧ୍ୟ ଲୁଟେରାମାନେ ବେଧଡ଼କ ଲୁଟ୍ପାଟ୍ କରିଥିଲେ।