ମାଲକାନଗିରି: କୋରାପୁଟ ଜିଲ୍ଲା କୁନ୍ଦୁଲିରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଥିଲା। ମାସେ ପରେ ବି ଏହି ମାମଲା ଥଣ୍ଡା ପଡ଼ି ନଥିବା ବେଳେ ମାଲକାନଗିରିରେ ବି ଜଣେ କଲେଜ ଛାତ୍ରୀଙ୍କୁ ଉଲଗ୍ନ କରାଯାଇ ଅସଦାଚରଣ କରାଯାଇଥିବା ଓ ତାଙ୍କ ଫଟୋ ଉଠାଯାଇଥିବା ଅଭିଯୋଗ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଘଟଣାର ୫ ଦିନ ପରେ ବି ପୁଲିସ ହାତ ଖାଲି ରହିଛି। ଏମିତିକି ଅଭିଯୋଗ ପ୍ରତ୍ୟାହାର ପାଇଁ ଛାତ୍ରୀ ଏବଂ ଘଟଣା ସହ ସଂପୃକ୍ତ ଅଧ୍ୟାପକଙ୍କ ଉପରେ ଚାପ ପଡୁଥିବା ଅଭିଯୋଗ ହେଉଛି। ମାମଲା ପ୍ରତ୍ୟାହାର ନ କଲେ ପରିସ୍ଥିତି ଭୟାବହ ହେବ ବୋଲି ଫୋନରେ ଧମକ ମିଳୁଥିବା ପୀଡ଼ିତାଙ୍କ ସଂପର୍କୀୟ ଆଜି ଏସ୍‌ପି ଜଗମୋହନ ମୀନାଙ୍କୁ ଭେଟି ଜଣାଇଛନ୍ତି। ଘଟଣା ପରଠାରୁ ଛାତ୍ରୀ ଜଣକ ସିଡବ୍ଲୁସି ହେପାଜତରେ ରହିଛନ୍ତି। ତେଣୁ ପାଠପଢାରେ ସମସ୍ୟା ହେଉଥିବା ନେଇ ଛାତ୍ରୀ ଜଣକ କହିଛନ୍ତି।

Advertisment

ଅସଦାଚରଣ କରିଥିବା ଦୁଇ ଅଭିଯୁକ୍ତଙ୍କୁ ଛାତ୍ରୀ ଜଣକ ଚିହ୍ନିଛନ୍ତି। କେଉଁଭଳି ତାଙ୍କ ସହ ଅସଦାଚରଣ କରାଯାଇଥିଲା ତାହା ମଧ୍ୟ ପୁଲିସକୁ ଜଣାଇଛନ୍ତି। ତଥାପି ପୁଲିସ ଖାଲି ହାତରେ ବସିବା ସନ୍ଦେହ ସୃଷ୍ଟି କରିଛି। ପୁଲିସ ଘଟଣାକୁ ଗୁରୁତ୍ୱ ଦେଉ ନଥିବା ନେଇ ମଧ୍ୟ ଅଭିଯୋଗ ହେଲାଣି। ପୂର୍ବରୁ ବି ଛାତ୍ରୀ ଜଣକ ପୁଲିସର ଭୂମିକାକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ। ଏନେଇ ଏସପି ଜଗମୋହନ ମୀନାଙ୍କୁ ପଚାରିବାରୁ ତଦନ୍ତ ଚାଲିଥିବା କହିଥିଲେ। ମାମଲାକୁ ଗୁରୁତ୍ୱ ଦେଇ ଗୋଟିଏ ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ର ନେତୃତ୍ୱ ଏଏସପି ନେଉଥିବା ବେଳେ ତଦନ୍ତକୁ ତ୍ୱରାନ୍ଵିତ କରାଯାଇଛି। ଏକାଧିକ ଟିମ୍‌ ଅଭିଯୁକ୍ତଙ୍କ ସନ୍ଧାନରେ ରହିଛନ୍ତି। ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସପି କହିଛନ୍ତି। ସେହିପରି ସିଡବ୍ଲୁସି ଅଧ୍ୟକ୍ଷା ସଂଯୁକ୍ତା ପ୍ରଧାନ ମଧ୍ୟ ଛାତ୍ରୀଙ୍କୁ କିପରି ନ୍ୟାୟ ମିଳିବ ସେନେଇ ଚେଷ୍ଟା ଚଳାଇଛନ୍ତି। କିନ୍ତୁ ଫୋନରେ ଛାତ୍ରୀ ଓ ଅଧ୍ୟାପକଙ୍କୁ ଧମକ ମିଳିବା ନେଇ ଅଭିଯୋଗ ହେବାରୁ ଦୁହିଁଙ୍କର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ତେଣୁ ଦୁହିଁଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

ପ୍ରକାଶଯୋଗ୍ୟ, ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀର ଏସଏସଡି ହାଇସ୍କୁଲ ପରିସରରେ ରହିଥିବା ଯୁକ୍ତ୨ ବିଜ୍ଞାନ ମହାବିଦ୍ୟାଳୟରେ ଜଣେ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କୁ ୩ଜଣ ଯୁବକ ସ୍କୁଲ ପରିସରରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଛାତ୍ରୀ ଜଣକ ଥାନାରେ ଅଭିଯୋଗ କରିଥିଲେ। ୭ତାରିଖ ଦିନ ଏତଲା ଦିଆଯାଇଥିବା ବେଳେ ଚଞ୍ଚକତା କରି ଏତଲାରେ ତାରିଖକୁ ୯ତାରିଖ କରାଯାଇଥିବା ଅଭିଯୋଗ ହୋଇଥିଲା। ତେଣୁ ଘଟଣାକୁ ଭିନ୍ନ ମୋଡ଼ ଦେଇ ଚପାଇ ଦେବାକୁ ଉଦ୍ୟମ ହେଉଥିବା ଛାତ୍ରୀ ପ୍ରକାଶ କରିଥିଲେ। ଏବେ ଦେଖିବାକୁ ବାକି ରହିଲା ଅଭିଯୁକ୍ତମାନେ କେବେ ଧରା ପଡୁଛନ୍ତି ଏବଂ ଛାତ୍ରୀଙ୍କୁ ନ୍ୟାୟ ମିଳିବା ପାଇଁ ଆହୁରି କେତେ ସମୟ ଲାଗିବ।