‘ଫନି’ ବିପର୍ଯ୍ୟୟ : ପାଣି ଓ ବିଦ୍ୟୁତ ଯୋଗାଣରେ ସ୍ୱାଭାବିକତା ସମୟ ନେବ, ଚିନ୍ତାରେ ରାଜଧାନୀବାସୀ

ଭୁବନେଶ୍ୱର (ସୁବ୍ରତ ଦାସ) : ପ୍ରଳୟଙ୍କରୀ ଫନି ଓଡ଼ିଶାରେ ତାଣ୍ଡବଲୀଳା ରଚିବାର ୪୮ଘଣ୍ଟା ପରେ ମଧ୍ୟ କ୍ଷତିଗ୍ରସ୍ତ ଅଞ୍ଚଳରେ ବିଶେଷତଃ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଜଳଯୋଗାଣ ଓ ବିଦ୍ୟୁତ ଯୋଗାଣରେ ସ୍ୱାଭାବିକତା ଫେରିବା ବହୁ ଦୂରରେ ରହିଛି । ଜନସାଧାରଣ ଅନ୍ଧକାରରେ ଦୁଇ ରାତି କାଟି ସାରିଲେଣି ଏବଂ ଜଳ ବିନା ଚାରିଆଡେ ହାହାକାର ।

୧୯୯୯ ମହାବାତ୍ୟା ଭଳି ଫନିର ପ୍ରକୋପ ସମାନ ରହିଥିଲେ ମଧ୍ୟ ଏବଂ ପ୍ରାୟ ୧୪ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ନିୟନ୍ତ୍ରଣ କରିବାରେ ସଫଳ ହୋଇଛନ୍ତି ବୋଲି ରାଜ୍ୟ ସରକାର ବାହାବା ନେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସର୍ବାଧିକ କ୍ଷତିଗ୍ରସ୍ତ ପୁରୀ ଜିଲ୍ଲା ଗସ୍ତ କରି ଆଜି ସଂନ୍ଧ୍ୟା ସୁଦ୍ଧା ୯୦ପ୍ରତିଶତ ଅଞ୍ଚଳରେ ଜଳ ଯୋଗାଣ ହୋଇଯିବ ବୋଲି ଆଶା ପ୍ରକାଶ କରିଛନ୍ତି । ତେବେ ଆଜି ଦିନ ସାରା ରାଜଧାନୀର ବିଭିନ୍ନ ବସ୍ତିରେ ଲମ୍ବାଧାଡ଼ି ଲଗାଇ ପାଣି ଟ୍ୟାଙ୍କରକୁ ଲୋକେ ଅପେକ୍ଷା କରିଥିବାର ଦେଖିବାକୁ ମିଳିଥିଲା ।

କଟକ ରୋଡରେ ଗତକାଲି ଭଳି ଆଜି ମଧ୍ୟ ଜେନେରେଟର ଓ ଇନ୍‌ଭର୍ଟର କିଣିବା ପାଇଁ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ରାଜଧାନୀରେ ଶହ ଶହ ଗଛ ଓ ବିଜୁଳି ଖୁଣ୍ଟ ଉପୁଡ଼ି ପଡ଼ିଥିବାରୁ ବିଦ୍ୟୁତ ଓ ଜଳ ଯୋଗାଣ ସଂପୂର୍ଣ୍ଣ ବନ୍ଦ ରହିଛି । ଆଜି ସଂନ୍ଧ୍ୟାସୁଦ୍ଧା ବିଦ୍ୟୁତ ଓ ଜଳ ଯୋଗାଣ ଆରମ୍ଭ ହୋଇ ପାରି ନ ଥିବାର ଜଣାଯାଏ ।

ପେଟ୍ରୋଲ ପମ୍ପଗୁଡ଼ିକରେ ପେଟ୍ରୋଲ ଓ ଡିଜେଲ ପାଇଁ ଚାରିଚକିଆ ଗାଡ଼ି, ଅଟୋ ରିକ୍ସା ଓ ସ୍କୁଟର ମଟରସାଇକେଲର ଲମ୍ବାଧାଡ଼ି ଦେଖିବାକୁ ମିଳିଥିଲା । ଇଣ୍ଟରନେଟ୍‌ ଓ ମୋବାଇଲ ଫୋନ ସେବା ସଂପୂର୍ଣ୍ଣ ବନ୍ଦ ରହିଥିବାରୁ ଓଡ଼ିଶା ବାହାରେ ଥିବା ଲୋକମାନେ ନିଜ ନିଜ ଆତ୍ମୀୟଙ୍କ ଖବର ଜାଣି ପାରୁ ନଥିବାରୁ ବେଶ୍‌ ଉତ୍କଣ୍ଠାରେ ଅଛନ୍ତି । ରାଜଧାନୀରେ ବାସ କରୁଥିବା ଲୋକମାନେ ମଧ୍ୟ ପରସ୍ପରର ଖବର ଜାଣି ପାରୁ ନାହାନ୍ତି । ବିଦ୍ୟୁତ ଯୋଗାଣ ସଂପୂର୍ଣ୍ଣ ବନ୍ଦ ଥିବାରୁ ଲୋକମାନେ ମୋବାଇଲ ଫୋନ ଚାର୍ଜ କରିପାରୁ ନାହାନ୍ତି । ସେଥିପାଇଁ ଯେଉଁଠି ମୋବାଇଲ ଚାର୍ଜ କରିବାର ସୁବିଧା ରହିଛି, ସେଠି ଲମ୍ବାଧାଡ଼ି ଲାଗିଥିବାର ଦେଖିବାକୁ ମିଳିଛି ।

ଏହି ପରିସ୍ଥିତିରେ ଶୀଘ୍ର ବିଦ୍ୟୁତ ଯୋଗାଣ ଏକାନ୍ତ ଅପରିହାର୍ଯ୍ୟ ହୋଇ ପଡ଼ିଥିବା ବେଳେ ସେସୁ କର୍ମଚାରୀମାନେ କେବେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ହେବ ତାହା ସଠିକ ଭାବେ କହି ପାରୁ ନାହାନ୍ତି । ଅନ୍ୟ ପକ୍ଷରେ, ୧୦ହଜାର ଗାଁ ଓ ୫୨ଟି ବାତ୍ୟା କ୍ଷତିଗ୍ରସ୍ତ ସହରାଞ୍ଚଳରେ ଜୋରସୋର୍‌ରେ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ସମୀକ୍ଷା ବୈଠକ କରୁଥିବା ସହ ସର୍ବାଧିକ କ୍ଷତିଗ୍ରସ୍ତ ପୁରୀ ଗସ୍ତ କରିଥିବାରୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ଆସନ୍ତାକାଲି ପରିଦର୍ଶନରେ ଆସୁଥିବାରୁ ସରକାରୀ ମହଲରେ ତତ୍ପରତା ଦେଖା ଦେଇଛି । ପ୍ରଶାସନ ପକ୍ଷରୁ ଏହା ଏକ ଚ୍ୟାଲେଞ୍ଜ ରୂପେ ଠିଆ ହୋଇଛି ।

ସମ୍ବନ୍ଧିତ ଖବର