ଆନନ୍ଦପୁର/ହରିଚନ୍ଦନପୁର : ବିବାହ ଭୋଜି ବେଳେ ବଜ୍ରାଘାତ ହେବାରୁ ବରର ମୃତ୍ୟୁ ହୋଇଛି। ୫ ଜଣ ଗୁରୁତର ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଟାଙ୍ଗିରିଆପାଳ କଟଘାଟି ସାହିରେ ଆଜି ଅପରାହ୍‌ଣରେ ଏଭଳି ଦୁଃଖଦ ଘଟଣା ଘଟିଛି। ମୃତ ବରଙ୍କ ନାମ ଜିତେନ୍ଦ୍ର ମୁର୍ମୁ (୩୦)। ଅନ୍ୟ ଆହତମାନେ ହେଲେ ସୁଲୋଚନା ମାରାଣ୍ଡି (୨୨), ମୁନା ମୁର୍ମୁ ଓ ଫାଗୁରାମ ହାଁସଦା। ଏମାନଙ୍କୁ କେଶଦୁରାପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଖବର ଅନୁସାରେ ଗତ ସୋମବାର ଦିନ ଜିତେନ୍ଦ୍ର ମୁର୍ମୁଙ୍କର ବିବାହ ହୋଇଥିଲା। ସେ କଙ୍କଡ଼ାହାଡ଼ ଅଞ୍ଚଳରୁ ଆଦିବାସୀ ରୀତିନୀତି ଅନୁସାରେ ବିବାହ ସାରି କନ୍ୟାକୁ ଧରି ଗତକାଲି ଘରକୁ ଫେରିଥିଲେ। ଆଜି ଅପରାହ୍‌ଣରେ ପାରମ୍ପରିକ ନାଚଗୀତ ଓ ଭୋଜିଭାତ ଚାଲିଥିଲା। ଏଥିରେ ବରକନ୍ୟାଙ୍କ ସମେତ ଉଭୟ ପକ୍ଷର ବନ୍ଧୁବାନ୍ଧବ ସାମିଲ ହୋଇଥିଲେ। ଭୋଜି ଖାଇସାରି କନ୍ୟାପକ୍ଷ ଫେରିଯାଇଥାନ୍ତେ। ଏହି ସମୟରେ ହଠାତ ବଜ୍ରପାତ ହୋଇଥିଲା। ଫଳରେ ଭୋଜି ଖାଉଥିବା ୫-୭ଜଣ ଟଳିପଡ଼ିଥିଲେ। ବିବାହ ଉତ୍ସବର ଆନନ୍ଦ ହଠାତ ମିଳାଇଯାଇଥିଲା। କାନ୍ଦ ବୋବାଳିରେ ସ୍ଥାନଟି ଫାଟି ପଡ଼ିଥିଲା। ଗୁରୁତରଙ୍କୁ ସଙ୍ଗେସଙ୍ଗେ ନିକଟସ୍ଥ କେଶଦୁରାପାଳ ଡାକ୍ତରଖାନାକୁ ନିଆଯାଇଥିଲା। ଅବସ୍ଥା ବିଗିଡ଼ିବାରୁ ବର ଜିତେନ୍ଦ୍ରଙ୍କୁ ଆନନ୍ଦପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ଅନ୍ୟ ଗୁରୁତର ବ୍ୟକ୍ତିଙ୍କ ବିଷୟରେ ସବିଶେଷ ସୂଚନା ମିଳିପାରିନାହିଁ।

ସେହିପରି ଅନ୍ୟଏକ ଘଟଣାରେ ବାଟସାହିର ସଞ୍ଜୁ ସୋରେନ ବଜ୍ରାଘାତରେ ଆହତ ହୋଇଛନ୍ତି। ବଜ୍ରପାତରେ ତରୀମୂଳ ପଞ୍ଚାୟତ ଅଧୀନ ରେକୁଟିଆରେ ପ୍ରକାଶ ଚନ୍ଦ୍ର ପାତ୍ରଙ୍କର ମଧ୍ୟ ଦୁଇ ବଖରା ଘର ଜଳିଯାଇଛି। ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିଥିଲେ।