ପୂର୍ବତନ ସରପଞ୍ଚ-ବରଯାତ୍ରୀ ଗଣ୍ଡଗୋଳ; ବାଟରେ ଅଟକ ରହିଛି ବର; ବାହା ହେବାକୁ ଚାହିଁ ବସିଛି ମଙ୍ଗୁଳା କନ୍ୟା

ଭୁବନେଶ୍ୱର: ଗୁରୁବାର ରାତି ପ୍ରାୟ ୧୨ଟା ପରେ ଡେଲାଙ୍ଗ-ଜେନାପୁର ରାସ୍ତାରେ ଗୋଟାଏ ବରଯାତ୍ରୀ ଦଳ ଓ ଜଣେ ପୂର୍ବତନ ସରପଞ୍ଚ ଓ ତାଙ୍କର କିଛି ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ସମ୍ପୃକ୍ତ ବରକୁ ଅଟକ ରଖାଯାଇଛି। ତେଣ, ବାହା ହେବା ପାଇଁ ମଙ୍ଗୁଳା କନ୍ୟା ବସିରହିଛି ଏବଂ କନ୍ୟାଘର ଲୋକେ ବରଯାତ୍ରୀଙ୍କ ଅଭ୍ୟର୍ଥନା ଲାଗି ଖାଦ୍ୟ ପାନୀୟ ବ୍ୟବସ୍ଥା କରି ଅପେକ୍ଷା କରିଛନ୍ତି।

ଗତ ରାତିରେ ବ୍ରହ୍ମଗିରିର କାଣ୍ଡକୋଦାରୁ ବରଯାତ୍ରୀମାନେ ବର ନେଇ ଡେଲାଙ୍ଗର ଜେନାପୁରକୁ ବାହା କରାଇବାକୁ ନେଉଥିଲେ।

ବର ଓ ବରଯାତ୍ରୀମାନେ ଅଣଓସାରିଆ ରାସ୍ତାରେ ଯାନବାହନ ସହ ନାଚିକୁଦି ଯାଉଥିବା ବେଳେ ସେମାନଙ୍କ ପଛପଟୁ ଜଣେ କାର୍‌ରେ ଜଣେ ପୂର୍ବତନ ସରପଞ୍ଚ ଏବଂ ତାଙ୍କ ଲୋକେ ଆସୁଥିଲେ। ଯେତେ ଚେଷ୍ଟା କଲେ ବି ସେମାନେ ବରଯାତ୍ରୀ ଦଳକୁ ଟପି ଯାଇ ପାରି ନ ଥିଲେ କି, ସେମାନେ ମଧ୍ୟ ତାଙ୍କୁ ରାସ୍ତା ଛାଡ଼ି ନ ଥିଲେ ବୋଲି କୁହାଯାଉଛି। ପ୍ରାୟ ଘଣ୍ଟାଏ ଅପେକ୍ଷା କରିବା ପରେ ଉତ୍ତେଜିତ ହୋଇ ପୂର୍ବତନ ସରପଞ୍ଚଙ୍କ ଡ୍ରାଇଭର ଯାଇ ଦୁଇ ତିନି ଜଣ ବରଯାତ୍ରୀଙ୍କୁ ମାରଧର କରିଥିଲେ। ଫଳରେ ବରଯାତ୍ରୀ ଦଳରେ ଥିବା ଡ୍ରାଇଭର ଏବଂ ବରଯାତ୍ରୀମାନେ ପୂର୍ବତନ ସରପଞ୍ଚଙ୍କ ଡ୍ରାଇଭର ଏବଂ ତାଙ୍କ ଲୋକଙ୍କୁ ମାରଧର କରିଥିଲେ।

ପୂର୍ବତନ ସରପଞ୍ଚଙ୍କର କମ୍‌ ଲୋକ ଥିବାରୁ ସେମାନେ ଘଟଣାସ୍ଥଳରୁ ଚାଲି ଚାଲି ଆଗରେ ଥିବା ତାଙ୍କ ଗାଁକୁ ପଳାଇ ଥିଲେ। ବର ଓ ବରଯାତ୍ରୀ ତାଙ୍କ ଗାଁରେ ପହଞ୍ଚିବା କ୍ଷଣି ସେମାନେ ବରକୁ ଅଟକ ରଖିଛନ୍ତି।

ଏ ସଂକ୍ରାନ୍ତରେ ପୁଲିସକୁ ଖବର ଦିଆ ଥିଲେ ବି ବର ଓ କନ୍ୟା ଘର ଘଟଣାର ଆପୋସ ସମାଧାନ କରି ଶୀଘ୍ର ବାହାଘର ସାରିବାକୁ ଚାହୁଁଛନ୍ତି।

ସମ୍ବନ୍ଧିତ ଖବର