ଜ୍ବାଇଁକୁ ପିଟି ପିଟି ମାରିଦେଲେ

ଶାଳଚୁଆ : ଝିଅକୁ ଅମାନୁଷିକ ଭାବେ ଜ୍ବାଇଁ ମାଡ଼ ମାରୁଥିବା ଖବର ବାପ ଘରେ ପହଞ୍ଚିଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବାପଘର ଲୋକେ ତତ୍‌କ୍ଷଣାତ୍‌ ଜ୍ବାଇଁ ଘରେ ପହଞ୍ଚିଥିଲେ। ଘଟଣା ସଂପର୍କରେ ପଚରାଉଚରା କରିବା ପରେ ପରିସ୍ଥିତି ଉଗ୍ରରୂପ ନେଇଥିଲା। ଶେଷରେ ଶ୍ବଶୁର ଘର ଲୋକଙ୍କ ମାଡ଼ରେ ଜ୍ବାଇଁର ପ୍ରାଣ ଚାଲିଗଲା। ଏପରି ଦୁଃଖଦାୟକ ଘଟଣା ଘଟିଛି କପ୍ତିପଦା ଥାନା ଅଧୀନସ୍ଥ ମଝିଗଡିଆ ପଞ୍ଚାୟତରେ ଥିବା ଭେଜିଡିହା ଗ୍ରାମରେ।

ଅଭିଯୋଗରୁ ପ୍ରକାଶ, ଭେଜିଡିହା ଗ୍ରାମର ମୋହନ ବେଶ୍ରାଙ୍କ ପୁଅ ଟୁନା ବେଶ୍ରା(୨୬) ମଙ୍ଗଳବାର ବିଳମ୍ବିତ ରାତିରେ ମଦ୍ୟପାନ କରି ପତ୍ନୀ ଚମ୍ପା ବେଶ୍ରା ସହିତ ପାଟିତୁଣ୍ତ କରିଥିଲେ। କଳହ ବଢ଼ିବାରୁ ଟୁନା ଉତ୍ତ୍ୟକ୍ତ ହୋଇ ପତ୍ନୀଙ୍କୁ ପିଟାମରା କରି ତଣ୍ଟିକୁ ଚିପି ଧରିଥିଲେ। ତେବେ କୌଶଳକ୍ରମେ ଚମ୍ପା ସେଠାରୁ ଖସିଯାଇ ବାପଘର ଶରତ ଥାନା ଅନ୍ତର୍ଗତ ବଡଶାଳକୁ ଏ ସଂପର୍କରେ ଖବର ଦେଇଥିଲେ। ଖବର ପାଇ ବାପଘର ଲୋକ ପହ‌ଞ୍ଚି ଜ୍ବାଇଁ ଟୁନାକୁ ଗଣ୍ତଗୋଳ ସଂପର୍କରେ ପଚାରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ବଢ଼ିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ବାପଘର ଲୋକେ ଜ୍ବାଇଁ ଟୁନାକୁ ମାରଧର୍ କରିଥିଲେ। ଏହି ମାଡ଼ରେ ଟୁନା ଗୁରୁତର ହୋଇ ପଡିଥିଲା। ଡାକ୍ତରଖାନାରେ ପହ‌ଞ୍ଚିବା ପରେ ଡାକ୍ତର ଟୁନାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର