ଶିଶୁପାଳ ହୋଇ ଫେରିଲେ ବର, ଉତୁରିଲା ନାବାଳିକା କନ୍ୟାକୁ ବିବାହ କରିବା ନିଶା

ବାହାନଗା: ନାବାଳିକା କନ୍ୟାକୁ ବିବାହ କରିବାକୁ ଆସି ହଟହଟ୍ଟା ହେଲେ ବର | ବିବାହ ନ କରି ବର ବିଳମ୍ବିତ ରାତିରେ ଘରକୁ ଫେରିଥିବା ଘଟଣା ବାଲେଶ୍ୱର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ଗୋପାଳପୁର ଫାଣ୍ଡି ଅଞ୍ଚଳରେ ଜଣେ ୧୭ ବର୍ଷର ନାବାଳିକା ଝିଅକୁ ବିବାହ କରାଯାଉଥିବାର ଚାଇଲ୍ଡ ଲାଇନରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇ ଖଇରା ଚାଇଲ୍ଡ ଲାଇନର ୪ ଜଣିଆ ଟିମ ସହ ୩ ଜଣ ଫାଣ୍ଡି ପୁଲିସ ବାହାଘର ହେଉଥିବା ନାବାଳିକାର ଘରେ ପହଁଚି ଥିଲେ। ଝିଅ ନାବାଳିକା ଥିବାରୁ ବିବାହ କରିବାକୁ ଚାଇଲଡ଼ ଲାଇନ ସଦସ୍ୟ ବାରଣ କରିବା ସହିତ କନ୍ୟା ପରିବାର ଏବଂ ବିବାହକୁ ଆସିଥିବା ବନ୍ଧୁ ପରିଜନଙ୍କ ସହ ଆଲୋଚନା କରିଥିଲେ । ଏଥିରେ ଗରିବ ଶ୍ରେଣୀର ଥିବା କନ୍ୟା ପରିବାର ଓ ବନ୍ଧୁ ବାନ୍ଧବ ମିଳିତ ହୋଇ ଚାଇଲଡ଼ ଲାଇନ ଟିମକୁ ବିରୋଧ କରିବା ସହ ଯୁକ୍ତିତର୍କ ହୋଇଥିଲା। ଏପରିକି ସମସ୍ତଙ୍କୁ ଦୁର୍ବ୍ୟବହାର କରିବା ସହ ଅଟକ ରଖିଥିବାର ମଧ୍ୟ ଅଭିଯୋଗ ହୋଇଛି ।

ଖବର ପାଇ ଗୋପାଳପୁର ଫାଣ୍ଡି ଅଧିକାରୀ ବଂଶୀଧର ପ୍ରଧାନଙ୍କ ହସ୍ତକ୍ଷେପ ପରେ ଚାଇଲଡ଼ ଲାଇନ ଟିମ ମୁକୁଳିଥିଲେ। କନ୍ୟା ଘରୁ ମୁକୁଳିବା ପରେ ବିବାହ ସ୍ଥଗିତ ରଖିବା ପାଇଁ ଚାଇଲଡ଼ ଲାଇନ ଟିମ ଖନ୍ତାପଡ଼ା ଥାନାରେ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ । ପରେ ବିଳମ୍ବିତ ରାତିରେ ବିବାହ କରିବାକୁ ଖଇରା ଥାନା ତୁଡିଗଡିଆ ଅଞ୍ଚଳର ଶରତ ମହାରଣା(୩୫) ବରଯାତ୍ରୀ ଙ୍କୁ ଧରି ଗୋପାଳପୁର ବଜାରରେ ପହଞ୍ଚିଥିଲେ।

ତେବେ ଗୋପାଳପୁରଠାରେ ଘଟଣା ବାବଦରେ ବରପକ୍ଷ ସୂଚନା ପାଇବାରୁ ଦୀର୍ଘ ସମୟ ବିଚାର ବିମର୍ଷ ପରେ ବିଳମ୍ବିତ ରାତିରେ ଉଭୟ ଖନ୍ତାପଡା ଓ ଗୋପାଳପୁର ଫାଣ୍ଡି ପୁଲିସ ସହିତ ଆଲୋଚନା ପରେ ବରଯାତ୍ରୀ ନେଇ ଫେରିଯାଇଥିଲେ। ଅଘଟଣକୁ ଆଶଙ୍କା କରି ଗୋପାଳପୁର ବଜାରରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପୁଲିସ ଉପସ୍ଥିତ ଥିବାର ଦେଖାଯାଇଥିଲା। ପରେ ଶେଷ ସୂଚନା ମୁତାବକ ବିଳମ୍ବିତ ରାତିରେ କନ୍ୟାପିତା ଝିଅକୁ ୧୮ବର୍ଷ ନହେବା ପର୍ଯ୍ୟନ୍ତ ବିବାହ କରାଇବେ ନାହିଁ ବୋଲି ଖନ୍ତାପଡା ଥାନାରେ ଲିଖିତ ଦେଇଛନ୍ତି।

ସମ୍ବନ୍ଧିତ ଖବର