ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ଚାରିପଟେ ‘ଏଏମ୍ଏସ୍ଏଆର୍’ ଆଇନ ୧୯୫୮’ର ବ୍ୟାପକ ଉଲ୍ଲଂଘନ କରାଯାଇ ନିର୍ମାଣ କାର୍ଯ୍ୟ କରାଯାଉଥିବାରୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ‘ଭାରତୀ୍ର ପ୍ରତ୍ନତାତ୍ତ୍ବିକ ସର୍ଭେକ୍ଷଣ ସଂସ୍ଥା’(ଏଏସଆଇ)ର ଡି.ଜି.ଙ୍କୁ ଶ୍ରୀଜଗନ୍ନାଥ ସେନା ଆଜି ସ୍ମାରକ ପତ୍ର ଦେଇଛି।
ଶ୍ରୀଜଗନ୍ନାଥ ସେନାର ଜାତୀୟ ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ସ୍ବାକ୍ଷର ଥିବା ଉକ୍ତ ସ୍ମାରକ ପତ୍ରରେ ଦାବି କରାଯାଇଛି ଯେ, ‘ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା’ କିଂବା ‘ନ୍ୟାସ୍ନାଲ୍ ମନୁମେଣ୍ଟଟ୍ ଅଥରିଟିଜ୍’ଙ୍କଠାରୁ କୌଣସି ସ୍ବତନ୍ତ୍ର ଅନୁମତି ନ ଆଣି ଶ୍ରୀଜଗନ୍ନାଥ ମନ୍ଦିର ଚାରିପଟେ ନିଷିଦ୍ଧ ଥିବା ୧୦୦ ମିଟର ଅଞ୍ଚଳ ମଧ୍ୟରେ ବେଆଇନ ଭାବେ ବଡ଼ ବଡ଼ ନିର୍ମାଣ କାର୍ଯ୍ୟ ଚାଲିଛି।
ନିର୍ମାଣର ମୂଳ ଆଜେଣ୍ଡାକୁ ଲୁଚାଇ ଦେଇ ସର୍ବସାଧାରଣଙ୍କ ନିମନ୍ତେ ପରିସ୍ରାଗାର, ଲଗେଜ୍ ରୁମ୍, କ୍ଲୋକ୍ ରୁମ୍ ଆଦି ନିର୍ମାଣ କରୁଛନ୍ତି କହି ରାଜ୍ୟ ସରକାର, ପୁରୀ ଜିଲ୍ଲାପାଳ ଏବଂ ଟାଟା ମିଳିତ ଭାବେ ଏହି ସବୁ ବେଆଇନ ନିର୍ମାଣ ଚଳାଇଛନ୍ତି।
/sambad/media/post_attachments/wp-content/uploads/2022/03/puri-Temple1.jpg)
ଏହି ଧରଣର ଛୋଟ ଛୋଟ ନିର୍ମାଣ ନିମନ୍ତେ ସେମାନେ ଏସ୍କାଭେଟର୍ ଓ ଡ୍ରିଲିଙ୍ଗ୍ ମେସିନ୍ ଆଦି ବ୍ୟବହାର କରି ୨୦ରୁ ୪୦ ଫୁଟ୍ ଗହୀର ଗର୍ତ୍ତ ଖନନ କରୁଥିବାରୁ ଭୀଷଣ କମ୍ପନ ସୃଷ୍ଟି ହେଉଛି। ଫଳରେ ଶ୍ରୀମନ୍ଦିର ବଡ଼ ବିପଦଜ୍ଜନକ ଅବସ୍ଥାରେ ଅଛି ଓ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିପଡୁଛି।
କମ୍ପନର କାରଣ ହେଉଥିବାରୁ ମନ୍ଦିର ଉପରେ ଲମ୍ବା ବାନା ସବୁ ଉଡ଼ାଇବା, ଡି.ଜେ. ମ୍ୟୁଜିକ୍ ଏବଂ ବାଣ ଆଦି ଫୁଟାଇବା ନିଷେଧ କରାଯାଇଥିବା ବେଳେ ଭୂକମ୍ପନ କରାଉଥିବା ପ୍ରକାଣ୍ଡ ଯନ୍ତ୍ରପାତି ବ୍ୟବହାର କରି ନିର୍ମାଣ ନିମନ୍ତେ ଗର୍ତ୍ତ ଖୋଳିବାକୁ କିଭଳି ଅନୁମତି ମିଳୁଛି ବୋଲି ଉକ୍ତ ସ୍ମାରକ ପତ୍ରରେ ଉଲ୍ଲେଖ ଅଛି।
ଏଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଲୁହାଛଡ଼ ଦିଆ ଏହି କଂକ୍ରିଟ୍ ଓ ସିମେଣ୍ଟ୍ରେ ଉଠିଥିବା ପ୍ରକାଣ୍ଡ ମୂଳଦୁଆ ସବୁ ଶହ ଶହ ବର୍ଷ ପୁରାତନ ଆମ ମନ୍ଦିର ଢାଞ୍ଚା ପ୍ରତି ବିପଦ ସୃଷ୍ଟି କରୁଛି।
ନିଷିଦ୍ଧାଞ୍ଚଳରେ ନିର୍ମାଣ କାର୍ଯ୍ୟ ପାଇଁ ନିକଟ ଅତୀତରେ ‘ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ’ର ଡି.ଜି. ମନା କରିଥିବା ବେଳେ ରାଜ୍ୟ ସରକାର ସେଥିପ୍ରତି ଧ୍ୟାନ ନ ଦେଇ ବଡ଼ ଧରଣର ନିର୍ମାଣ ଚଳାଇଛନ୍ତି।
ଆମେ ବିକାଶମୂଳକ କାର୍ଯ୍ୟକୁ ବିରୋଧ କରୁନାହୁଁ, କିନ୍ତୁ ଜଗନ୍ନାଥ ମନ୍ଦିରକୁ ବିପଦଗ୍ରସ୍ତ କରି ଆମ ଧର୍ମୀୟ ଭାବାବେଗକୁ ଆଘାତ ଦେଉଥିବା ରାଜ୍ୟ ସରକାରଙ୍କ ବେଆଇନ ନିର୍ମାଣକୁ ବିରୋଧ କରିବା ସହ ଏଥିପାଇଁ କଠୋର କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରୁଛୁ।