ସୁନ୍ଦରଗଡ଼: ୨୦୨୩ ଜୁନ୍ ୧୨ ତାରିଖରେ  ସୁନ୍ଦରଗଡ଼ ସହର କେବେ ଘଟି ନଥିବା ଏକ ଅଭାବନୀୟ ଘଟଣାକୁ ସାମ୍ନା କରିଥିଲା। ସେଦିନ ସହରକୁ ଜଳଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ସହରାଞ୍ଚଳ ଜନସ୍ବାସ୍ଥ୍ୟ ବିଭାଗ ବା ଓଡ଼ିଶା ଜଳ ନିଗମର ଜଳଯୋଗାଣ ଓ ବିଶୋଧନାଗାରକୁ ଜଳଉତ୍ସ ଇବ୍‌ ନଦୀରୁ ପାଣି ଆସୁନଥିବାରୁ ହାତ ଟେକି ଦେଇଥିଲା ବିଭାଗ। ପାଣି ପାଇଁ ପୂରା ସହରରେ ହାହାକାର ପଡ଼ିଯାଇଥିଲା। ଅସହ୍ୟ ତାତି ସଙ୍ଗକୁ ପାଣି ମୁନ୍ଦେ ନମିଳିବାର ଯନ୍ତ୍ରଣାରେ ଲୋକେ ଛଟପଟ ହୋଇଥିଲେ। ସେତେବେଳେ  ଇବ୍‌ ନଦୀର କ୍ଷୀଣ ଜଳଧାର ଶୁଖିଯାଇଥିବାରୁ ଏ ଶୋଚନୀୟ ସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଥିଲା। ଏବେ ଆହୁରି ସଙ୍ଗିନ ପରିସ୍ଥିତି ସୃଷ୍ଟିହୋଇଛି। ଯେଉଁ ପାଣି ୨୫ ଫୁଟ ତଳେ ଥିଲା, ତାହା ୧୫୦ ଫୁଟକୁ ଖସିଆସିଛି।

Advertisment

ସେହିବର୍ଷର ଘଟଣା ସମ୍ପର୍କରେ ସ୍ଥାନୀୟଲୋକେ କୁହନ୍ତି ଯେ ଦୁଇଦିନ ଧରି ଏହି ସମସ୍ୟା ଲାଗି ରହିଥିଲା। ଏହାପରେ ବିକଳ୍ପ ବ୍ୟବସ୍ଥା କରି ପାଣି ଯୋଗାଯାଇଥିଲା। ତେବେ, ଚିରସ୍ରୋତା ଇବ୍‌ନଦୀ ହଠାତ୍‌ ଏମିତି ସମ୍ପୂର୍ଣ୍ଣ ଶୁଖିଲା ପଡ଼ିଯିବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଥିଲା। କେବଳ ସେହିବର୍ଷ କାହିଁକି, କିଛିବର୍ଷ ହେଲା ବର୍ଷାଋତୁ ବ୍ୟତୀତ ଅନ୍ୟ ଋତୁରେ ନଦୀରେ କେବେ କ୍ଷୀଣ ଜଳଧାର ତ’ କେବେ ଶୁଖିଲା ରହୁଥିବା ପରିଲକ୍ଷିତ ହେଉଛି। ଏହାକୁ ନେଇ ବିଶେଷଜ୍ଞ କହନ୍ତି, ସୁନ୍ଦରଗଡ଼ ସମେତ ଅନ୍ୟ ଅଞ୍ଚଳରେ ଭୂତଳ ଜଳସ୍ତର ଉଦ୍‌ବେଗଜନକ ଭାବେ ତଳକୁ ଖସି ଯାଉଥିବାରୁ ପୂର୍ବଭଳି ନଈ, ପୋଖରୀ, କୂଅ ଆଦିର ଜଳଧାରଣ କ୍ଷମତା ସଂକୁଚିତ ହେଉଛି, ପାଣି ରହୁନାହିଁ। ଏପରିକି ଅନେକ ସ୍ଥାନରେ ନଳକୂଅରୁ ବି ପାଣି ବାହାରୁ ନାହିଁ।

ଏଭଳି ସ୍ଥିତିରେ ଗ୍ରାମ୍ୟ ଗ୍ରାମ୍ୟ ଜଳଯୋଗାଣ ବିଭାଗ ଯେଉଁ ତଥ୍ୟ ପ୍ରଦାନ କରିଛି, ତାହା ଅତ୍ୟନ୍ତ ଉଦ୍‌ବେଗଜନକ। ବିଭାଗର ସୂଚନା ଅନୁସାରେ, ୨୦ ବର୍ଷ ପୂର୍ବେ ସୁନ୍ଦରଗଡ଼ରେ ୨୫ ଫୁଟ୍‌ ତଳେ ପାଣି ମିଳୁଥିଲା। ଏବେ ତାହା ଦେଢ଼ଶହ ଫୁଟ୍ ତଳକୁ ଖସିଗଲାଣି। ବିଶେଷକରି ଖଣି ଅଞ୍ଚଳ ହେମଗିର, କୋଇଡ଼ାରେ ଭୂତଳ ଜଳସ୍ତର ବହୁ ତଳକୁ ଚାଲି ଯାଇଛି। ଏଥିପାଇଁ  ବ୍ୟାପକ ଜଙ୍ଗଲ କ୍ଷୟ ବଡ଼ କାରଣ ବୋଲି କହିଛନ୍ତି ବିଶେଷଜ୍ଞ। ଏକଦା ସୁନ୍ଦରଗଡ଼ ସହର ସବୁଜିମାମୟ ଥିଲା। ତତ୍କାଳୀନ ରାଜା ସହରର ରାସ୍ତାକଡ଼ରେ ବହୁଳ ଭାବେ ନିମ୍ବ ଗଛ ଲଗାଇଥିଲେ। ପରବର୍ତ୍ତୀ ସମୟରେ ପ୍ରଶାସନ ରାସ୍ତା ପ୍ରଶସ୍ତୀକରଣ ପାଇଁ ସବୁ ଗଛ କାଟି ଦେଇଥିଲା। ଖଣିଖାଦାନ ପାଇଁ ବି ଶହଶହ ଏକର ସବୁଜ ଜଙ୍ଗଲ ପଦା ହୋଇଯାଇଛି। ଯେଉଁଥିପାଇଁ ମାଟିର ଜଳଧାରଣ କ୍ଷମତା ହ୍ରାସ ସହ ଜଳସଂକଟ ଉତ୍କଟ ସ୍ଥିତିରେ ପହଞ୍ଚିଥିବା କୁହାଯାଉଛି।