ଭୂତଳ ଜଳ ବ୍ୟବହାରରେ ଲଗାମ ନାହିଁ: ୧୦ ହଜାର ସଂସ୍ଥାଙ୍କୁ ସିଜିଡବ୍ଲ୍ୟୁଏର ନୋଟିସ୍‌

ପୁରୀରେ ହୋଟେଲ ଟାଣୁଛନ୍ତି ବେଆଇନ ପାଣି, ଭୁବନେଶ୍ବରରେ ଶୋଷୁଛନ୍ତି ମାଳମାଳ ଆପାର୍ଟମେଣ୍ଟ

ଭୁବନେଶ୍ବର: ଭୂତଳ ଜଳ ବ୍ୟବହାର କରିବାକୁ ହେଲେ କେନ୍ଦ୍ରୀୟ ଭୂଜଳ କର୍ତ୍ତୃପକ୍ଷ(ସିଜିଡବ୍ଲ୍ୟୁଏ)ଙ୍କଠାରୁ ସ୍ବୀକୃତି ନେବାକୁ ହୁଏ। ହେଲେ ଏଭଳି ସ୍ବୀକୃତି ନ ନେଇ ମନଇଚ୍ଛା ମାଟି ତଳୁ ପାଣି ଟାଣୁଛନ୍ତି ରାଜଧାନୀ ଓ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଗଢ଼ି ଉଠିଥିବା ହୋଟେଲ ଓ ଆପାର୍ଟମେଣ୍ଟ। ଫଳରେ ଭୂତଳ ଜଳସ୍ତର କମିବା ସହ ଦୂଷିତ ହେବାରେ ଲାଗିଛି। ଏଭଳି ସ୍ଥିତି ପରିଲକ୍ଷିତ ହେବା ପରେ ସିଜିଡବ୍ଲ୍ୟୁଏ ପ୍ରାୟ ୧୦ ହଜାର ଶିଳ୍ପ ସଂସ୍ଥା, ହୋଟେଲ ଓ ଖଣିକୁ ନୋଟିସ୍‌ କରିଛି। ସେମାନଙ୍କୁ ମାସେ ସମୟ ଦିଆଯାଇଛି। ଉଚିତ ପରିମାଣର ଜରିମାନା ଦାଖଲ କରି ସ୍ବୀକୃତି ନେବା ପାଇଁ କୁହାଯାଇଛି। ଯଥା‌ ସମୟରେ ସ୍ବୀକୃତି ନ ନେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାଇ ଦେଇଛନ୍ତି ସିଜିଡବ୍ଲ୍ୟୁଏ ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଦ୍ୟୁମ୍ନ ମହାପାତ୍ର।

ପୁରୀରେ ଶହଶହ ହୋଟେଲ ରହିଛି। ହେଲେ ଏଠାରେ ମାତ୍ର ୩ଟି ହୋଟେଲ ଭୂତଳ ଜଳ ବ୍ୟବହାର କରିବା ପାଇଁ ସିଜିଡବ୍ଲ୍ୟୁଏ ଠାରୁ ସ୍ବୀକୃତି ନେଇଛି। ସେହିଭଳି ଭୁବନେଶ୍ବରରେ ମାଳମାଳ ହୋଟେଲ ଏଭଳି ବେଆଇନ ଭାବରେ ଭୂତଳ ଜଳ ବ୍ୟବହାର କରିଛନ୍ତି। ଏହା ଛଡ଼ା ଅନୁଗୁଳ, ଯାଜପୁର, କେନ୍ଦୁଝର, ଝାରସୁଗୁଡ଼ାର ଶିଳ୍ପ ସଂସ୍ଥା ଓ ଖଣି ରହିଥିବା ବେଳେ ପୁରୀ ସମେତ ରାଉରକେଲା, ବ୍ରହ୍ମପୁର, ବାଲେଶ୍ବର, ସମ୍ବଲପୁର ପ୍ରଭୃତି ଜିଲ୍ଲାରେ ଶହଶହ ହୋଟେଲ ବିନା ସ୍ବୀକୃତିରେ ଭୂତଳ ଜଳ ବ୍ୟବହାର କରୁଛନ୍ତି। କେତେକ ହୋଟେଲ ଓ ସଂସ୍ଥା ନୂଆ ତିଆରି ହୋଇଥିବା ବେଳେ କେତେକ ବର୍ଷବର୍ଷ ଧରି ଭୂତଳ ଜଳ ବେଆଇନ ଭାବରେ ଟାଣି ବ୍ୟବହାର କରି ଚାଲିଛନ୍ତି। ଉପରୋକ୍ତ ଜିଲ୍ଲା ବ୍ୟତୀତ ଅନ୍ୟ ଜିଲ୍ଲାରେ ମଧ୍ୟ ହୋଟେଲ ଓ ଶିଳ୍ପ ରହିଛି। ଏମାନଙ୍କୁ ପୂର୍ବରୁ ନୋଟିସ୍‌ କରାଯାଇଥିଲା। ଲକ୍ଷେ ଟଙ୍କା ଜରିମାନା‌ ଦେବା ସହ ଏହି ବ୍ୟବସ୍ଥାକୁ ସ୍ବୀକୃତିପ୍ରାପ୍ତ କରାଇବା ପାଇଁ କୁହାଯାଇଥିଲା। ହେଲେ ଏହି ନୋଟିସ୍‌କୁ କେହି ଖାତିର କରିନଥିଲେ। ଏବେ ସିଜିଡବ୍ଲ୍ୟୁଏ କଠୋର ହୋଇଛି।

ପ୍ରାଥମିକ ପର୍ଯ୍ୟାୟରେ ଏହି ସବୁ ହୋଟେଲ ଓ ଶିଳ୍ପସଂସ୍ଥାର ତାଲିକା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଠାରୁ ସିଜିଡବ୍ଲ୍ୟୁଏ ସଂଗ୍ରହ କରିଛି। ଏଭଳି ବେଆଇନ ଭାବରେ ପାଣି ଟାଣୁଥିବା ସଂସ୍ଥା ଆହୁରି ଥାଇପାରନ୍ତି ବୋଲି ଆଶଙ୍କା କରି ଏବେ ସିଜିଡବ୍ଲ୍ୟୁବି ଖୋଳତାଡ଼ ଆରମ୍ଭ କରିଛି। କୋଠା ନିର୍ମାଣ ପାଇଁ ସ୍ବୀକୃତି ଦେଉଥିବା କର୍ତ୍ତୃପକ୍ଷମାନଙ୍କ ଠାରୁ ତାଲିକା ସଂଗ୍ରହ କରିବା ସହ ସ୍ବତନ୍ତ୍ର ଅଧିକାରୀଙ୍କ ଜରିଆରେ ତଥ୍ୟ ସଂଗ୍ରହ ଆରମ୍ଭ କରିଛି। ଏଭଳି ବେଆଇନ ଭାବରେ ପାଣି ବ୍ୟବହାର କରୁଥିଲେ ସେମାନଙ୍କୁ ମଧ୍ୟ ନୋଟିସ୍‌ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ ରାଜ୍ୟରେ ଭୂତଳଜଳ ଉଦ୍‌ବେଜନକ ଭାବରେ ହ୍ରାସ ପାଉଥିବାରୁ କେନ୍ଦ୍ର ସରକାର ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହି ମର୍ମରେ ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ଅଥରିଟି ବିଡିଏ, ବିଏମ୍‌ସି, ସିଏମ୍‌ସି, ପିକେଡିଏ ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଥିଲେ। ଭୂତଳ ଜଳ ଉତ୍ତୋଳନ ପାଇଁ ଠିକାଦାର ବା ନିର୍ମାଣକାରୀ ସଂସ୍ଥା ସ୍ବୀକୃତି ଦେବା ବେଳେ ସିଜିଡବ୍ଲ୍ୟୁଏର ଏନ୍‌ଓସି ବାଧ୍ୟତାମୂଳକ କରିବାକୁ କହିଥିଲେ। ହେଲେ ଏହାକୁ କେହି ମାନୁ ନାହାନ୍ତି। ସିଜିଡବ୍ଲ୍ୟୁଏର ବିନା ଏନ୍‌ଓସିରେ ଘର ତିଆରି କରିବାକୁ ସ୍ବୀକୃତି ଦିଆଯାଉଛି। ଫଳରେ ସ୍ଥିତି ଉଦ୍‌ବେଗଜନକ ହେବାରେ ଲାଗିଛି। ଏଥିପାଇଁ ବ୍ୟାପକ ଅର୍ଥ କାରବାର ହେଉଥିବା ମଧ୍ୟ ଅଭିଯୋଗ ରହିଛି। ତେବେ ବେଆଇନ ଭାବରେ ଭୂତଳ ଜଳ ବ୍ୟବହାର କରୁଥିବା ଉପରୋକ୍ତ ଅନୁଷ୍ଠାନମାନଙ୍କୁ ଚିହ୍ନଟ କରାଯାଇଛି। ଏହି ଚିହ୍ନଟୀକରଣ ପ୍ରକ୍ରିୟା‌ ଜାରି ମଧ୍ୟ ରହିଛି। କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେଲେ ବ୍ୟବସ୍ଥାରେ ଶୃଙ୍ଖଳା ଆସିବ ବୋଲି ସିଜିଡବ୍ଲ୍ୟୁଏ ଆଶାବାଦୀ ଅଛି।

ସମ୍ବନ୍ଧିତ ଖବର