ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ କମୁଛି ଭୂତଳ ଜଳସ୍ତର। ବ୍ୟାପକ ଜଙ୍ଗଲ ନଷ୍ଟ, ନୀଳଗିରି ଓ ମକା ଚାଷ କାରଣରୁ ଗତ ୧୦ ବର୍ଷରେ ଜଳସ୍ତର ୨.୬ ମିଟର ତଳକୁ ଖସିଲାଣି। ବାର୍ଷିକ ହାରାହାରି ୦.୨୬ ମିଟର ତଳକୁ ଜଳସ୍ତର ଖସୁଥିବାରୁ ଆଗାମୀ ଦିନରେ ନବରଙ୍ଗପୁର ଜିଲ୍ଲା ଜଳ ସଙ୍କଟର ସମ୍ମୁଖୀନ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

Advertisment

ଜିଲ୍ଲାରେ ପୂର୍ବରୁ ୪୬ ପ୍ରତିଶତ ଜଙ୍ଗଲ ରହିଥିଲା। ବର୍ତ୍ତମାନ ତାହା ୨୨ ପ୍ରତିଶତକୁ ଖସି ଆସିଛି। ଜଙ୍ଗଲ ହ୍ରାସ ଯୋଗୁ ଗତ ୧୦ବର୍ଷ ମଧ୍ୟରେ ହାରାହାରି ୬୦୦ ମିମି ବର୍ଷା କମିଛି। ନଦୀ, ନାଳ ଶୁଖିବା ସହ ଝରଣାଗୁଡ଼ିକ ପୋତି ହୋଇଗଲାଣି। ବିଶେଷ କରି ପ୍ରାକ୍ ମୌସୁମୀ ଓ ମୌସୁମୀ ପରବର୍ତ୍ତୀ ଭୂତଳ ଜଳସ୍ତର ସାଂଘାତିକ ଭାବେ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଜଙ୍ଗଲ ନଷ୍ଟ ସହ ବ୍ୟାପକ ନୀଳଗିରି ଚାଷ ଭୂତଳ ଜଳକୁ ଶୋଷିବାରେ ଲାଗିଛି। ଇନ୍ଦ୍ରାବତୀ, ଭାସ୍କେଲ ନଦୀ ସହ ବିଭିନ୍ନ ନାଳରୁ ମାତ୍ରାଧିକ ବାଲି ଚାଲାଣ ମଧ୍ୟ ଜଳସ୍ତର ହ୍ରାସର ଅନ୍ୟ ଏକ କାରଣ। ପ୍ରାକ୍ ମୌସୁମୀ ଭୂତଳ ଜଳସ୍ତର ଗତ ଦଶନ୍ଧି ମଧ୍ୟରେ ୨.୬ ମିଟର ହ୍ରାସ ପାଇଥିବା ବେଳେ ମୌସୁମୀ ପରବର୍ତ୍ତୀ ଜଳସ୍ତର ୨.୩ ମିଟର ହ୍ରାସ ପାଇଛି। 

ଆଗକୁ ଜଳ ସଙ୍କଟ ଆଶଙ୍କା
ନୀଳଗିରି, ମକା ଚାଷ, ଜଙ୍ଗଲ କ୍ଷୟ ପ୍ରମୁଖ କାରଣ

୨୦୧୫ରେ ପ୍ରାକ୍ ମୌସୁମୀ ଜଳସ୍ତର ୫.୪ ମିଟର ରହିଥିବା ବେଳେ ମୌସୁମୀ ପରବର୍ତ୍ତୀ ଜଳସ୍ତର ୩.୭ ମିଟର ରହିଥିବା ସୂଚନା ମିଳିଛି। ୨୦୧୬ରେ ପ୍ରାକ୍ ମୌସୁମୀ ଜଳସ୍ତର ୫.୭ ମିଟର ରହିଥିଲା। ମୌସୁମୀ ପରବର୍ତ୍ତୀ ସମୟରେ ଜଳସ୍ତର ୩.୯କୁ ବୃଦ୍ଧି ପାଇଥିଲା। ୨୦୧୭ରେ ପ୍ରାକ୍ ମୌସୁମୀ ଜଳସ୍ତର ୬.୦ ମିଟର ଓ ମୌସୁମୀ ପରବର୍ତ୍ତୀ ଜଳସ୍ତର ୪.୨ ମିଟର, ୨୦୧୮ରେ ପ୍ରାକ୍ ମୌସୁମୀ ଜଳସ୍ତର ୬.୩ ମିଟର ଓ ମୌସୁମୀ ପରବର୍ତ୍ତୀ ଜଳସ୍ତର ୪.୪ ମିଟର ରହିଥିଲା। ୨୦୧୯ରେ ପ୍ରାକ୍ ମୌସୁମୀ ଜଳସ୍ତର ୬.୫ ମିଟର ଓ ମୌସୁମୀ ପରବର୍ତ୍ତୀ ଜଳସ୍ତର ୪.୭ ମିଟର, ୨୦୨୦ରେ ପ୍ରାକ୍ ମୌସୁମୀ ଜଳସ୍ତର ୬.୯ ମିଟର ଓ ମୌସୁମୀ ପରବର୍ତ୍ତୀ ଜଳସ୍ତର ୫.୦ ମିଟର, ୨୦୨୧ ମସିହାରେ ପ୍ରାକ୍ ମୌସୁମୀ ଜଳସ୍ତର ୭.୧ ମିଟର ଓ ମୌସୁମୀ ପରବର୍ତ୍ତୀ ଜଳସ୍ତର ୫.୨ ମିଟର, ୨୦୨୨ ମସିହାରେ ପ୍ରାକ୍ ମୌସୁମୀ ଜଳସ୍ତର ୭.୪ ମିଟର ଓ ପରବର୍ତ୍ତୀ ଜଳସ୍ତର ୫.୪ ମିଟର, ୨୦୨୩ରେ ପ୍ରାକ୍ ମୌସୁମୀ ଜଳସ୍ତର ୭.୭ ମିଟର ଓ ମୌସୁମୀ ପରବର୍ତ୍ତୀ ଜଳସ୍ତର ୫.୭ ମିଟର, ୨୦୨୪ ମସିହାରେ ପ୍ରାକ୍ ମୌସୁମୀ ଜଳସ୍ତର ୮.୦ ମିଟର ଓ ମୌସୁମୀ ପରବର୍ତ୍ତୀ ଜଳସ୍ତର ୬.୦ ମିଟର ରହିଛି। ବର୍ଷା ଜଳ ସଂରକ୍ଷଣ ଓ ଭୂତଳ ଜଳ ସଂରକ୍ଷଣ ନେଇ କାର୍ଯ୍ୟକାରୀ ହୋଇଥିବା ଯୋଜନାଗୁଡ଼ିକର ସଫଳ ରୂପାୟନ ହୋଇପାରୁ ନ ଥିବାରୁ ଆଗାମୀ ଦିନରେ ଜିଲ୍ଲାର ଜଳସ୍ତର ଆହୁରି କମିବ ବୋଲି ପରିବେଶବିତ୍ ମତ ପ୍ରକାଶ କରିଛନ୍ତି।