ପୁରୀ: ପୁରୀ ସମୁଦ୍ର କୂଳରେ ଚିହ୍ନଟ ମଧୁର ଜଳଭଣ୍ଡାର ସୁରକ୍ଷା ତଥା ଏହାର ଜଳସ୍ତରରେ ସ୍ଥିରତା ଆଣିବା ପାଇଁ ଜନସ୍ବାସ୍ଥ୍ୟ ବିଭାଗ(ପିଏଚ୍‌ଡି) ପକ୍ଷରୁ ଆରମ୍ଭ ହୋଇଥିଲା ମଧୁର ଜଳ ଅଞ୍ଚଳ ଭୂତଳ ଜଳ ରିଚାର୍ଜ(ଭୂତଳ ଜଳସ୍ତର ବୃଦ୍ଧି ପାଇଁ) ପ୍ରକଳ୍ପ। ପ୍ରାୟ ୧୩ କୋଟି ଟଙ୍କା ବ୍ୟୟରେ ଏଥିପାଇଁ ବଡ଼ ବଡ଼ ୫ ପୋଖରୀ ନିର୍ମାଣ କରାଗଲା। ବ୍ୟାପକ ଖନନ ସହ ମାଟିତଳେ ପାଇପ୍‌ ସଂଯୋଗୀକରଣ କାମ ଚାଲିଲା। କିନ୍ତୁ ୭ ବର୍ଷ ପରେ ବି ଏହି ପ୍ରକଳ୍ପ ଅସଂପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ପ୍ରକଳ୍ପ ଜଳସ୍ତର ବୃଦ୍ଧି ତ ଦୂରର କଥା, ଧାରାଶ୍ରାବଣରେ ବି ଜଳସ୍ତର ବୃଦ୍ଧି ପାଇଁ ଏହି ପ୍ରକଳ୍ପ ଅଧୀନରେ ନିର୍ମିତ ପୋଖରୀ ଆଜି ଶୁଖିଲା ପଡ଼ିଛି। ଯେଉଁଠି ପାଣି ଲହଡ଼ି ଭାଙ୍ଗିବା କଥା ତାହା ଖେଳପଡ଼ିଆ ପାଲଟିଛି। ଯେଉଁ ଜାଗାରୁ ପାଣି ଆସି ପୋଖରୀ ଭର୍ତ୍ତି ହେବା କଥା, ସେଠାରେ ପିଇବା ପାଇଁ ଆବଶ୍ୟକ ପାଣି ନିଅଣ୍ଟ ପଡ଼ୁଥିବାରୁ ପ୍ରକଳ୍ପ ପାଇଁ ପାଣି ଯୋଗାଇବା ସମ୍ଭବ ହେଉନି ବୋଲି ଜନସ୍ବାସ୍ଥ୍ୟ ବିଭାଗ(ୱାଟ୍‌କୋ) ଅଧିକାରୀମାନେ କହି ହାତ ଟେକି ଦେଇଛନ୍ତି।

Advertisment

ଅନ୍ୟପଟେ ରକ୍ଷଣାବେକ୍ଷଣ ଅଭାବରୁ ଏହି ପ୍ରକଳ୍ପ ଜରିଆରେ ତିଆରି ହୋଇଥିବା ପୋଖରୀର ପଥର ପ୍ୟାକିଂ ଧସିବା ଆରମ୍ଭ କଲାଣି। ସଂଯୋଗ ହୋଇଥିବା ପାଇପ୍‌ ସବୁ କଳଙ୍କି ଲାଗି ନଷ୍ଟ ହୋଇଗଲାଣି। ବ୍ୟବହାର ନ ହୋଇ ପଡ଼ି ରହିବାରୁ ଏହି ପୋଖରୀ ସବୁ ଏବେ ଅସାମାଜିକଙ୍କ ଆଡ଼ାସ୍ଥଳୀ ପାଲଟିଛି। ପୁରୀ ସହରରେ ୧୯୩୨ ମସିହାରେ ବଳିଆପଣ୍ଡା ଓ ତାଳବଣିଆ ଅଞ୍ଚଳରେ ମଧୁର ଜଳଭଣ୍ଡାରର ସନ୍ଧାନ ମିଳିବା ଭଗବାନଙ୍କ ଆଶୀର୍ବାଦ କହିଲେ ଅତ୍ୟୁକ୍ତ ହେବନି। ସେ ସମୟରେ ତାଳବଣିଆ‌ ଅଞ୍ଚଳରେ ୪୪୮ ଏକର ଓ ବଳିଆପଣ୍ଡାରେ ୨୦୭ ଏକର ଜାଗାରେ ମଧୁର ଭୂତଳ ଜଳର ସନ୍ଧାନ ମିଳିଥିଲା। ଏହି ଅଞ୍ଚଳରେ ନିର୍ମାଣ, ଖନନ ଆଦି ନିଷେଧ କରାଯିବା ପରେ ଜନସ୍ବାସ୍ଥ୍ୟ ବିଭାଗ ମାଲିକାନାରେ ଏହି ଅଞ୍ଚଳ ରହିଥିଲା। କିନ୍ତୁ କେହି ଏହି କଟକଣା ମାନିବାକୁ ନାରାଜ। ଅବାଧ ଟ୍ୟୁବୱେଲ୍‌ ଖୋଳା ଚାଲିଛି ଓ ମହଲା ପରେ ମହଲା କୋଠା ନିର୍ମାଣ ଚାଲିଛି। ସେପଟେ ଯେତେବେ‌ଳେ ପୁରୀ ସହରକୁ ପାନୀୟ ଜଳ ନିଅଣ୍ଟ ପଡ଼ିଲା ଓ ମଧୁର ଜଳଭଣ୍ଡାର ଜଳସ୍ତର ଖସିବା ନେଇ ଉଦ୍‌ବେଗ ପ୍ରକାଶ ପାଇଲା, ‌ସେତେବେଳେ ବଳିଆପଣ୍ଡା ଓ ତାଳବଣିଆ ମଧୁର ଜଳଭଣ୍ଡାର ଅଞ୍ଚଳରେ ଭୂତଳ ଜଳସ୍ତର ବୃଦ୍ଧି ପାଇଁ ପୋଖରୀ କରିବାର ପରିକଳ୍ପନା କରାଯାଇଥିଲା।

ଏହି ଲକ୍ଷ୍ୟରେ ୨୦୧୬-୧୭ ଆର୍ଥିକ ବର୍ଷରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରାୟ ୧୩ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ପଡ଼ିଥିଲା। ମୁଖ୍ୟମନ୍ତ୍ରୀ ଏହାର ଶିଳାନ୍ୟାସ କରିଥିଲେ। ପ୍ରକଳ୍ପ ଜରିଆରେ ତାଳବଣିଆ ଅଞ୍ଚଳରେ ତିନିଟି ଓ ବଳିଆପଣ୍ଡା ଅଞ୍ଚଳରେ ଦୁଇଟି ‌ପୋଖରୀ ଖୋଳାଗଲା। ଲକ୍ଷ୍ୟ ଥିଲା, ଦୁଇ ମଧୁର ଜଳ ଅଞ୍ଚଳରେ ପୋଖରୀ କରି ସମଙ୍ଗ ମୌଜାରେ ଥିବା ବୃହତ୍‌ ପାନୀୟ ଜଳ ପ୍ରକଳ୍ପରୁ ସିଧାସଳଖ ପାଇପ୍‌ ଯୋଗେ ପାଣି ଆଣି ପୋଖରୀରେ ଭରିବା। ଯଦ୍ବାରା ପୋଖରୀର ପାଣି ଭୂତଳ ଜଳସ୍ତରରେ ସ୍ଥିରତା ଆଣିପାରିବ। ଏଣୁ ପୋଖରୀର କେବଳ ଚାରିପଟେ ପଥର ପ୍ୟାକିଂ କରାଯାଇଥିଲା। କିନ୍ତୁ ଆରମ୍ଭରୁ ପ୍ରକଳ୍ପ ପୋଖରୀ ସବୁ ଅଚଳ ଅବସ୍ଥାରେ ପଡ଼ିରହିଛି। ପାଣି ନ ଥିବାରୁ ଭୂତଳ ଜଳ ରିଚାର୍ଜ ଲକ୍ଷ୍ୟ ବି ପୂରଣ ହୋଇପାରିନି। ଏ ସଂପର୍କରେ ୱାଟ୍‌କୋ ପରିଚାଳକ ଇଂଜିନିୟର୍‌ ଭବାନୀ ଶଙ୍କର ମହାନ୍ତିଙ୍କ କହିବା କଥା, ସମଙ୍ଗ ମୌଜା ବୃହତ୍ତ ପାନୀୟ ଜଳ ପ୍ରକଳ୍ପ ପାଇଁ ପାଣିର ଅଭାବ ପଡ଼ୁଛି। ଏଭଳି ସ୍ଥିତିରେ ଭୂତଳ ଜଳ ରିଚାର୍ଜ ପୋଖରୀକୁ ପାଣି ଯୋଗାଇବା ସମ୍ଭବ ନୁହେଁ। ଅନ୍ୟପଟେ ତାଳବଣିଆ ମଧୁର ଜଳ ଅଞ୍ଚଳ ଏବେ ରାଜସ୍ବ ବିଭାଗ ଅଧୀନରେ ରହିଛି, ଆମ ଅଧୀନରେ ନାହିଁ ବୋଲି ସେ କହିଛନ୍ତି।