ଶ୍ରୀକୃଷ୍ଣପୁରରେ ‘ସମ୍ବାଦ’ର ‘ଗ୍ରାଉଣ୍ଡଜିରୋ’ ରିପୋର୍ଟ: ଅଧିକାଂଶ ଶିଶୁ ଅପପୁଷ୍ଟିର ଶିକାର

କାହାରିକୁ ମିଳିନି ଆବାସ ଘର କି ବାର୍ଦ୍ଧକ୍ୟ ଭତ୍ତା, ପ୍ରତିଶ୍ରୁତି ଦେଇ ଠକୁଛନ୍ତି ନେତା ଓ ସରକାରୀ ବାବୁ

ବଟକୃଷ୍ଣ ବିହାରୀ

ବାଲେଶ୍ବର: କେହି ଭୋକିଲା ରହିବେନି। ଚାଳଛପର ପରିବର୍ତ୍ତେ ପକ୍କାଗୃହ ମିଳିବ। ଗାଁକୁ ରାସ୍ତା, ପ୍ରତି ଘରକୁ ବିଶୁଦ୍ଧ ପାଣି, ବରିଷ୍ଠ ନାଗରିକଙ୍କୁ ଭତ୍ତା, ଏମିତି କେତେ ଫଳପ୍ରସୂ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ବାଲେଶ୍ବର ଜିଲ୍ଲା ରେମୁଣା ବ୍ଳକର ଶ୍ରୀକୃଷ୍ଣପୁର ଗାଁ ଏକ ବ୍ୟତିକ୍ରମ। ଯେଉଁଠି ଆଜି ସୁଦ୍ଧା ବିକାଶ ଅପହଞ୍ଚ। ଭୋଟ୍‌ ପାଇଁ ନେତାମାନେ ଭୋଟର ତାଲିକାରେ ଲୋକଙ୍କ ନାଁ ଚଢ଼ାଇ ଦେଲେ। ଭୋଟର୍‌ ହୋଇଥିବାରୁ ସେମାନଙ୍କୁ ଆଧାରକାର୍ଡ ବି ମିଳିଗଲା। ତେବେ ନେତାଙ୍କ ମିଥ୍ୟା ପ୍ରତିଶ୍ରୁତି ଓ ସରକାରୀ ବାବୁଙ୍କ ଅଣଦେଖା ଯୋଗୁଁ ଶ୍ରୀକୃଷ୍ଣପୁର ଗ୍ରାମବାସୀ ଆଜି ସୁଦ୍ଧା ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ରହିବା ଖାଲି ବିଡ଼ମ୍ବନା ନୁହେଁ, ଘୋର ପ୍ରବଞ୍ଚନା ମଧ୍ୟ। ନଗଡ଼ା ଭଳି ପୁଷ୍ଟିକର ଖାଦ୍ୟ ଅଭାବରୁ ଗାଁର ଅଧିକାଂଶ ଶିଶୁ ଅପପୁଷ୍ଟିର ଶିକାର ହେବା ଏହାର ଜ୍ବଳନ୍ତ ଦୃଷ୍ଟାନ୍ତ।

ରେମୁଣା ପଞ୍ଚାୟତର ଶ୍ରୀକୃଷ୍ଣପୁର ହେଉଛି ଏକ ପଡ଼ା ଗାଁ। ରେମୁଣା କଲେଜ ସମ୍ମୁଖରେ ଥିବା ଏହି ଗାଁରେ ୧୫ଟି ପରିବାରର ୫୦ରୁ ଊର୍ଦ୍ଧ୍ବ ଲୋକ ବାସ କରୁଛନ୍ତି। ଗାଁରେ ସମସ୍ତ ପରିବାର ଡମ ସଂପ୍ରଦାୟର। ପୁରୁଷ ଓ ମହିଳାଙ୍କୁ ଭୋଟର ପରିଚୟପତ୍ର ସହିତ ଆଧାର କାର୍ଡ ବି ମିଳିଛି। ପଞ୍ଚାୟତ ହେଉ କି ସାଧାରଣ ନିର୍ବାଚନ, ଲୋକମାନେ ମତଦାନ ସାବ୍ୟସ୍ତ କରି ଆସୁଛନ୍ତି। ସରକାରୀ ଯୋଜନା କହିଲେ ପ୍ରତି ଘରେ ପାଇଖାନା, ଆଉ ଗାଁ ମୁଣ୍ଡରେ ବସାଯାଇଛି ଏକମାତ୍ର ନଳକୂପ। ଦୁର୍ଭାଗ୍ୟର ବିଷୟ ହେଉଛି, ଏଠାରେ ସବୁ ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ଥାଇ ଦୁର୍ଦ୍ଦଶାରେ ଦିନ କାଟୁଥିଲେ ବି କାହା ଭାଗ୍ୟରେ ରାସନ୍‌ କାର୍ଡଟିଏ ଜୁଟିନାହିଁ। ସରକାରୀ ଆବାସ, ଚାଉଳ, ଗହମ, କିରାସିନ ଓ ସାମାଜିକ ସୁରକ୍ଷା ସହାୟତା ଏମାନଙ୍କ ପାଇଁ ସ୍ବପ୍ନ। ଗାଁରେ କିଏ ଚାଳଛପର ତ ଆଉ କିଏ ପଲିଥିନ୍ ତଳେ ପିଲାଛୁଆଙ୍କୁ ଧରି ମୁଣ୍ଡ ଗୁଞ୍ଜିଛି। ବିଜୁଳି ଆଲୁଅ, ପାନୀୟ ଜଳ, ଭତ୍ତା କେବଳ ସେମାନେ ଶୁଣିଛନ୍ତି ବୋଲି କହିଛନ୍ତି ଗ୍ରାମର ଉତ୍ତମ କାଳନ୍ଦୀ ଓ ବାଇଧର କାଳନ୍ଦୀ। ବୃଦ୍ଧ ବାଇଧର ଓ ବୃଦ୍ଧା ବୁହୁନିଙ୍କ ବୟସ ୭୦ ଉପରେ। ସେମାନଙ୍କ ସହିତ ଗାଁର ଆହୁରି ୧୨ ଜଣ ପରିଣତ ବୟସରେ ପହଞ୍ଚିଥିଲେ ମଧ୍ୟ କାହାକୁ ଭତ୍ତା ମିଳୁନି। ତେବେ ଆବାସ ଗୃହ ଓ ଭତ୍ତା କରାଇ ଦେବା ଆଳରେ କିଛି କୁଜିନେତା ପ୍ରତି ପରିବାର ପିଛା ୧ ହଜାର ଟଙ୍କା ଲେଖା ନେଇଛନ୍ତି ବୋଲି ଏହି ପ୍ରତିନିଧିଙ୍କ ଆଗରେ କହିଥିଲେ ଫୁଲମଣି କାଳନ୍ଦୀ ଓ ରଜନୀ କାଳନ୍ଦୀ।

ସମ୍ବନ୍ଧିତ ଖବର