ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗତ ତିନି ଦିନ ହେଲା କୋହଲା ପାଗ ସାଂଗକୁ ରହି ରହି ଝିପିଝିପି ବର୍ଷା ଲାଗି ରହିଛି। ଫଳରେ ଶିଶୁ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସ୍ବାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖିବାକୁ ମିଳିଛି। ସବୁଠାରୁ ଚିନ୍ତାରେ ପଡିଛନ୍ତି ବାଦାମ ଚାଷୀ। ପନିପରିବା ଚାଷୀ ମଧ୍ୟ କ୍ଷତି ସହୁଛନ୍ତି। କୋହଲା ପାଗ ଯୋଗୁଁ ବାଦାମ ପତ୍ରରେ ଏବଂ ପନିପରିବାରେ ପୋକ ଲାଗିବା ଭଳି ଆଂଶକା ସୃଷ୍ଟି ହୋଇଛି। ସେହିପରି ବର୍ଷା ଲାଗି ରହିଲେ ବାଦାମ ଅମଳରେ ମଧ୍ୟ ସମସ୍ୟା ସୃଷ୍ଟି ହେବ। ଏଥିସହ ପନିପରିବା ମଧ୍ୟ ସଂପୂର୍ଣ୍ଣ ନଷ୍ଟ ହେବ ବୋଲି ଚାଷୀ ଚିନ୍ତାରେ ପଡିଛନ୍ତି।
ଜିଲ୍ଲାରେ ତୈଳ ଜାତୀୟ ଚାଷ ପ୍ରାୟ ୧୭ ହଜାର ୫୩୪ ହେକ୍ଟର ଜମିରେ କରାଯାଇଥିବା ନେଇ କୃଷି ବିଭାଗ ଟାର୍ଗେଟ ନେଇଥିବା ବେଳେ ଚଳିତ ବର୍ଷ ୧୭ ହଜାର ୧୭୨ ହେକ୍ଟର ଜମିରେ ଚାଷ କରାଯାଇଛି। ୧୭ ହଜାର ୫୬୮ ହେକ୍ଟର ଜମିରେ ପନିପରିବା ଚାଷ ପାଇଁ ଟାର୍ଗେଟ ରହିଥିବା ବେଳେ ଚଳିତ ବର୍ଷ ୧୬ ହଜାର ୩୩୬ ହେକ୍ଟର ଜମିରେ ଚାଷ କରାଯାଇଛି। କିଛି ସ୍ଥାନରେ ବାଦାମ ଚାଷ ଭଲ ହୋଇଥିବା ଯୋଗୁଁ ଏହି କୋହଲା ପାଗ ଏବଂ ଝିପିଝିପି ବର୍ଷା ଚାଷକୁ ନଷ୍ଟ କରିବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି।
ଜିଲ୍ଲାରେ ବାଦାମ ଚାଷ ପରେ ଦ୍ବିତୀୟ ସ୍ଥାନରେ ପନିପରିବା ଚାଷ କରାଯାଉଛି। କୋହଲା ପାଗ ଏବଂ ବର୍ଷାକୁ ନେଇ ଜିଲ୍ଲା କୃଷି ବିଭାଗର ସିଡିଏ ଜାମି ସୂର୍ଯ୍ୟା ରାଓଙ୍କୁ ପଚାରିବାରୁ ଏନେଇ କୃଷି ବିଭାଗ ସଜାଗ ରହିଛି। ଆଗାମୀ ଦୁଇ ଦିନ ମଧ୍ୟରେ ଏହାର ଆକଳନ କରାଯିବ।ତେବେ କ୍ଷତିପୂରଣ ପାଇଁ ସମସ୍ତ ବ୍ୟବସ୍ଥା ରହିଥିବା କୁହାଯାଇଛି।କୋହଲା ପାଗ ଯୋଗୁଁ ପୋକ ଲାଗିବାର ସମ୍ଭାବନା ରହିଥିବା ସେ କହିଥିଲେ।
ତେବେ ତଦନ୍ତ ପରେ ହିଁ ଜିଲ୍ଲାରେ କେତେ ଫସଲ ନଷ୍ଟ ହୋଇଛି ତାହା ଜଣାପଡିବ ବୋଲି କହିଥିଲେ। ଜିଲ୍ଲାରେ ୨୧୬୦ ହେକ୍ଟର ଜମିରେ ମକା ଚାଷ କରାଯାଇଥିବା ବେଳେ ୧୦ ହଜାର ୮୪୯ ହେକ୍ଟର ଜମିରେ ମୁଗ, ବିରି ଚାଷ କରାଯାଉଛି। ମୁଗ ଓ ବିରି ବର୍ତ୍ତମାନ ଅମଳ ହେଉଥିବାରୁ ଏହି ଚାଷ ଉପରେ କୌଣସି ପ୍ରକାର ପ୍ରଭାବ ପଡିବ ନାହିଁ ବୋଲି କୃଷି ବିଭାଗ କହିଛି। ଜିଲ୍ଲାରେ ବର୍ତ୍ତମାନ ୪୯ ହଜାର ୬୧୫ ହେକ୍ଟର ଜମିରେ ଧାନକୁ ଛାଡି ମକା, ତୈଳ ଜାତୀୟ, ଡାଲି ଜାତୀୟ, ମସଲା ଜାତୀୟ ଆଦି ଚାଷ ହେଉଥିବା ବେଳେ ଲାଗି ରହିଥିବା କୋହଲା ପାଗ ଏବଂ ବର୍ଷା ଫସଲ କେତେ ନଷ୍ଟ କରୁଛି ତାହା ସମୟ କହିବ। କିନ୍ତୁ ବହୁ ଚାଷୀ ଋଣ ଭାରରେ ରହିଥିବା ଯୋଗୁଁ ଫସଲ ନଷ୍ଟ ହେଲେ ଆଗାମୀ ଦିନରେ ସେମାନେ ନାହିଁ ନଥିବା ହଇରାଣ ହେବେ ବୋଲି କହିଛନ୍ତି।